ହାରୁ ହାରୁ ଜିତିଗଲେ, ଜିତୁ ଜିତୁ ହାରିଗଲେ । ଜନାଦେଶ ୨୦୧୯ର ରୋଚକ ରେଜଲ୍ଟ, ଶେଷ ମୁହୂର୍ତ୍ତରେ ଜିତିଲେ ନେତା ।

1,011

କନକ ବ୍ୟୁରୋ : ୨୦୧୯ ନିର୍ବାଚନ ଫଳାଫଳ ଆସିସାରିଛି ଆଉ ଏହି ଫଳାଫଳରେ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି କମ ଭୋଟ ବ୍ୟବଧାନରେ ପ୍ରାର୍ଥୀ ହାରିବା । ଅଳ୍ପ ଭୋଟ ବ୍ୟବଧାନରେ କିଏ ହାରିଛି ତ ଆଉ କିଏ ଜିତିଛି । ଲୋକସଭା ଓ ବିଧାନସଭାର କିଛି ଏମିତି ତଥ୍ୟ ଉପରେ ଆସନ୍ତୁ ନଜର ପକାଇ ନେବା ।

କୋରାପୁଟ ଲୋକସଭା ଆସନରେ ଜୋରଦାର ଲଢେଇ ହୋଇଥିଲା କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲାକା ଏବଂ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକ୍କାଙ୍କ ମଧ୍ୟରେ । ପ୍ରତି ରାଉଣ୍ଡରେ, କେତେବେଳେ ଭୋଟ ବ୍ୟବଧାନ ବଢୁଥିଲା ତ ଆଉ କେତେବେଳେ ଭୋଟ ବ୍ୟବଧାନ କମୁଥିଲା । ଶେଷରେ ୩୬୧୩ ଭୋଟ ବ୍ୟବଧାନରେ କୌଶଲ୍ୟା ହିକକାଙ୍କୁ ହରାଇଥିଲେ ସପ୍ତଗିରି ଉଲାକା ।

ସମ୍ବଲପୁର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ନିତେଶ ଗଙ୍ଗଦେବଙ୍କୁ କଡା ଟକ୍କର ଦେଇଥିଲେ ବିଜେଡି ପ୍ରାର୍ଥୀ ନଳିନୀକାନ୍ତ ପ୍ରଧାନ । କଡା ମୁକାବିଲା ଭିତରେ ପଛରେ ପଡିଯାଇଥିଲେ ନଳିନୀକାନ୍ତ । ୯୧୬୨ ଭୋଟ ବ୍ୟବଧାନରେ ହାରିଥିଲେ ନଳିନିକାନ୍ତ ।

ପୁରୀ ଲୋକସଭା ଆସନରେ ବିଜେଡି ପ୍ରାର୍ଥୀ ପିନାକୀ ମିଶ୍ର ଏବଂ ବିଜେପି ପ୍ରାର୍ଥୀ ସମ୍ବିତ ପାତ୍ରଙ୍କ ମଧ୍ୟରେ ଲଢେଇ ଭିତରେ ପଛରେ ପଡିଯାଇଥିଲେ ସମ୍ବିତ । ମାତ୍ର ୧୧୭୧୪ ଭୋଟରେ ଜିତିଲେ ପିନାକୀ ମିଶ୍ର ।

କଂଟାବାଂଜି ବିଧାନସଭା କ୍ଷେତ୍ରରେ ସବୁଠୁ କମ ଭୋଟ ବ୍ୟବଧାନରେ ଜିତିଛନ୍ତି ସନ୍ତୋଷ ସିଂହ ସାଲୁଜା । ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମାତ୍ର ୧୩୮ ଖଣ୍ଡ ଭୋଟରେ ହରାଇଛନ୍ତି କଂଗ୍ରେସ ପ୍ରାର୍ଥୀ ସନ୍ତୋଷ ସିଂହ ସାଲୁଜା ।

ପରଜଙ୍ଗ ବିଧାନସଭା ଆସନରେ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ପ୍ରଧାନଙ୍କୁ ୭୪୦ ଖଣ୍ଡ ଭୋଟ ବ୍ୟବଧାନରେ ହରାଇଛନ୍ତି ବିଜେଡି ପ୍ରାର୍ଥୀ ନୃସିଂହ ଚରଣ ସାହୁ ।

ରାଜଗାଙ୍ଗପୁରରେ ମଧ୍ୟ ସମାନ ଦୃଶ୍ୟ । ବିଜେପି ପ୍ରାର୍ଥୀ ନରସିଂହ ମିଞ୍ଜଙ୍କୁ ୯୪୬ ଭୋଟରେ ହରାଇଛନ୍ତି ସିଏସ ରଂଜନ ଏକା ।

ବଡଚଣାରେ ଖୁବ କମ ବ୍ୟବଧାନରେ ଜିତିଛନ୍ତି ବିଜେଡି ପ୍ରାର୍ଥୀ ଅମର ଶତପଥୀ । ବିଜେପି ପ୍ରାର୍ଥୀ ଅମର କୁମାର ନାୟକଙ୍କୁ ୧୪୮୫ ଭୋଟରେ ହରାଇଛନ୍ତି ଅମର ପ୍ରସାଦ ଶତପଥୀ ।

ସେହିପରି ଗୋପାଳପୁରରେ ବିଜେପି ପ୍ରାର୍ଥୀ ବିଭୁତି ଭୂଷଣ ଜେନାଙ୍କୁ ୨୬୭୩ ଭୋଟରେ ହରାଇଛନ୍ତି ବିଜେଡି ପ୍ରାର୍ଥୀ ପ୍ରଦୀପ କୁମାର ପାଣିଗ୍ରାହୀ ।

ଅଳ୍ପ ଭୋଟ ବ୍ୟବଧାନରେ କିଏ ହାରିଛି ତ ଆଉ କିଏ ଜିତିଛି । ଯାହାକି ରାଜନୈତିକ ମହଲରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।