ଠିକଣା ଖୋଜୁଛି ଚିଠି : ଜମାକାରୀଙ୍କୁ ଭୁଆଁ ବୁଲାଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା

61

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜମାକାରୀଙ୍କୁ ଭୁଆଁ ବୁଲାଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । ସତ୍ୟ ଓ ତଥ୍ୟ ଲୁଚାଇ ଚିଟଫଣ୍ଡ ତଦନ୍ତ କମିଶନଙ୍କୁ ବି ଅନ୍ଧାରରେ ରଖିଛି । ଯାହାର ପ୍ରମାଣ ଲାଗିଛି କନକ ନ୍ୟୁଜ ହାତରେ । ଶୁକ୍ରବାର ଲକ୍ଷାଧିକ ଟଙ୍କା ଖର୍ଚ୍ଚରେ ବିଜ୍ଞାପନ ଦେଇ ତଦନ୍ତ କମିଶନଙ୍କ କାର୍ଯ୍ୟାଳୟ ୩୧ଟି ଚିଟଫଣ୍ଡ କମ୍ପାନୀକୁ ଅଗଷ୍ଟରେ ହାଜର ହେବାକୁ ଜାରି କରିଛି ନୋଟିସ । ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହା ପ୍ରଥମ ନୋଟିସ ନୁହେଁ, ତିନି ତିନିଥର ଏଭଳି ନୋଟିସ ଦିଆ ଗଲାଣି । କିନ୍ତୁ ନୋଟିସ ଚିଟଫଣ୍ଡ କମ୍ପାନୀଙ୍କ ପାଖରେ ପହଂଚି ପାରୁନି । ଏହା ଭିତରେ ଅଛନ୍ତି ଭୁବନେଶ୍ୱରର ୮ଟି କମ୍ପାନୀ ।

ବଡ କଥା ହେଉଛି ଏହି ଚିଟଫଣ୍ଡ କମ୍ପାନୀଙ୍କର ଆଡ୍ଡା ଯଦି କିଏ ଜାଣିଛି ସିଏ ହେଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା । କାରଣ ଏହି କମ୍ପାନୀ ଗୁଡିକର ସମସ୍ତ ଫାଇଲ୍ ଏମାନଙ୍କ ପାଖରେ ଅଛି । ସେପଟେ ନୋଟିସ ଦେଇ ଦେଇ ଥକି ଯିବା ପରେ, ଖବର କାଗଜରେ ବିଜ୍ଞାପନ ଦେଇଛନ୍ତି ଚିଟଫଣ୍ଡ କମିଶନ । କାରଣ ଠକ ଚିଟଫଣ୍ଡ କମ୍ପାନୀ ଗୁଡିକ ସାମ୍ନାକୁ ନଆସିଲେ, ଏହି ମାମଲା ଆଗକୁ ବଢାଇ ହେଉନାହିଁ । କିନ୍ତୁ ଆଶ୍ଚର୍ଯ୍ୟର କଥା ହେଉଛି କ୍ରାଇମବ୍ରାଂଚର ଅର୍ଥନୈତିକ ଅପରାଧ ଶାଖା ଚୁପ୍ ।

ଭୁବନେଶ୍ୱରର ଯେଉଁ କମ୍ପାନୀ ଗୁଡିକୁ ନୋଟିସ କରାଯାଉଛି ସେଗୁଡିକ ହେଲା, ମିଦାସ୍ ଟସ୍ ରିଅଲଟେକ୍, ଅଭିତାଭ ମୁଖାର୍ଜୀ ମାସ ଫୁଚର ରିସୋର୍ସ, ସର୍ବୋଦୟ ସର୍ଭିସେସ ଲିମିଟେଡ୍, ଉତ୍କଳ ଫାଇନାନ୍ସିଆଲ ଆଣ୍ଡ କନସଲଟାନ୍ସି ସର୍ଭିସେସ, ଉତ୍କଳ ଅର୍ବାନ ଆଣ୍ଡ କୋପରେଟିଭ୍ ଲିଃ, ସାଇ ସୁଧାଇନଫ୍ରା ଡେଭେଲପମେଂଟ ଓ ଷ୍ଟାର ଗ୍ରୁପ ଅଫ୍ କମ୍ପାନୀଜ୍ । ପ୍ରଶ୍ନ ଉଠୁଛି ଇଓଡବ୍ଲ୍ୟୁ ଅଧିକାରୀଙ୍କ ଠିକଣା ଆଧାରରେ ନୋଟିସ ବାରମ୍ବାର ପଠାଯିବା ସତ୍ୱେ ଯଦି ସଂପୃକ୍ତ କମ୍ପାନୀମାନେ ଉକ୍ତ ଠିକଣାରେ ନାହାନ୍ତି, ତେବେ ସେମାନଙ୍କୁ ଇଓଡବ୍ଲ୍ୟୁ କାହିଁକି ଫେରାର ଘୋଷଣା କରୁନି । ସାଧାରଣ ଲୋକଙ୍କ ସର୍ତ ସମ୍ବଳିତ ଏହି ପ୍ରସଙ୍ଗକୁ ନେଇ କାହିଁକି ଚୁପ ବସିଛି କ୍ରାଇମବ୍ରାଂଚ ।