ମୁସଲମାନଙ୍କୁ ଦେଶଭକ୍ତ ଓ ନିଷ୍ଠାବାନ କରାଇବା ଉଦ୍ଦେଶ୍ୟରେ ଚୀନ ଚଲାଇଛି ଅତ୍ୟାଚାର : ଚୀନ ସରକାର ଖୋଲିଲେ ବିଶେଷ ଟ୍ରାନ୍ସଫର୍ମେସନ୍ କ୍ୟାମ୍ପ

48

ଉଇଗର ମୁସଲମାନଙ୍କୁ ଦେଶଭକ୍ତ ଓ ନିଷ୍ଠାବାନ କରାଇବା ପାଇଁ ଚୀନ ସରକାର ବିଶେଷ ଟ୍ରାନ୍ସଫର୍ମେସନ୍ କ୍ୟାମ୍ପ ଖୋଲିଛନ୍ତି । ଏହି କ୍ୟାମ୍ପ ଉଇଗର ମୁସଲମାନଙ୍କୁ ଚୀନ ସରକାର ଓ ସେଠାକାର କମ୍ୟୁନିଷ୍ଟ ଦଳ ପ୍ରତି ବିଶ୍ୱସନୀୟତା ବଜାୟ ରଖିବା ପାଇଁ ଖୋଲାଯାଇଛି । ଏଥିରେ ଅଳ୍ପସଂଖ୍ୟକ ମୁସଲମାନଙ୍କୁ ଜୋର୍ ଜବରଦସ୍ତି ଆଣିକି ଦୁଇ ମାସ ପର୍ଯ୍ୟନ୍ତ ରଖାଯାଉଛି । ଏଠି ଚାଇନିଜ ଭାଷା ଶିଖିବା, ଆଇନ ପାଠ ପଢ଼ିବା ଓ ରୋଜଗାର ପାଇଁ ପ୍ରଶିକ୍ଷଣ ଦିଆଯାଉଥିବା ସରକାର କହିଛନ୍ତି । କିନ୍ତୁ ଅନ୍ତର୍ଜାତୀୟ ମାନବାଧିକାର ସଂସ୍ଥାଗୁଡିକର କହିବାନୁସାରେ, ସରକାର ଉଇଗର ମୁସଲମାନଙ୍କ ସାଂସ୍କୃତିକ ପରିଚୟକୁ ଶେଷ କରିବା ପାଇଁ ତାଙ୍କ ଉପରେ ବଳ ପ୍ରୟୋଗ କରି ଅତ୍ୟାଚାର କରୁଛି ।

ସୂଚନାଯୋଗ୍ୟ, ପାକିସ୍ତାନ ନିଜ ସୀମାର ଅତି ନିକଟରେ ହିଁ ମୁସଲମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଉପରେ ନୀରବ ରହିଛି । ଯେବେକି ଭାରତରେ ମୁସଲମାନଙ୍କ ଉପରେ କଥିତ ଅତ୍ୟାଚାରକୁ ନେଇ ସେ ସବୁବେଳେ ମିଛ ପ୍ରଚାର କରିଆସିଛି । ଅନ୍ୟ ମୁସଲମାନ ଦେଶ ମଧ୍ୟ ଏହି ମାମଲାରେ ଏକଦମ୍ ନୀରବ ଅଛନ୍ତି, ଯେବେକି ପଶ୍ଚିମ ମାନବାଧିକାର ସଂଗଠନ ଏବେ ଏହି ଅତ୍ୟାଚାର ଉପରେ ସ୍ୱର ଉତ୍ତୋଳନ କରିବା ଆରମ୍ଭ କଲେଣି ।

ଆମେରିକାର ପ୍ରମୁଖ ସମ୍ବାଦ ପତ୍ର ନ୍ୟୁୟର୍କ ଟାଇମ୍ସ ଏକ ବହୁତ ବଡ ବିଲ୍ଡିଙ୍ଗର ଫଟୋ ନିଜ ପେପରରେ ସ୍ଥାନ ଦେଇଛି । ଯେଉଁଠି ମୁସଲମାନଙ୍କୁ ଦେଶଭକ୍ତ ଓ ନିଷ୍ଠାବାନ କରାଇବା ପାଇଁ ପ୍ରଶିକ୍ଷଣ ଦିଆଯାଉଛି । ଏଠି ପ୍ରତିଦିନ ଘଣ୍ଟା ଘଣ୍ଟା ଧରି କ୍ଲାସ ହୁଏ, ଯେଉଁଠି ଚୀନର କମ୍ୟୁନିଷ୍ଟ ଦଳକୁ ସମର୍ଥନ କରିବାକୁ ଶିକ୍ଷା ଦିଆଯାଇଥାଏ । ମୁସଲମାନଙ୍କୁ ନିଜ ସଂସ୍କୃତିର ନିନ୍ଦା କରିବା ପାଇଁ ବି କୁହାଯାଇଥାଏ । ରିପୋର୍ଟ ମୁତାବକ, ଏହି ପ୍ରଶିକ୍ଷଣର ଉଦ୍ଦେଶ୍ୟ ହେଲା ମୁସଲମାନଙ୍କ ମଧ୍ୟରେ ନିଜ ଧର୍ମ ପ୍ରତି ଥିବା ଆସ୍ଥାକୁ ଶେଷ କରିବା ଓ ଚୀନ ପ୍ରତି ନିଷ୍ଠାବାନ ହେବା ।

ଏହି ପ୍ରଶିକ୍ଷଣ କ୍ୟାମ୍ପରେ କୈାଣସି ବାହାର ବ୍ୟକ୍ତିଙ୍କୁ ଯିବା ପାଇଁ ଅନୁମତି ନାହିଁ । ଏହି କ୍ୟାମ୍ପର ବନ୍ଦୀରୁ ମୁକ୍ତ ହୋଇଥିବା ଜଣେ ବ୍ୟକ୍ତିଙ୍କ କହିବାନୁସାରେ, ଏଥିରେ ଶତାଧିକ ଉଇଗର ମୁସଲମାନଙ୍କୁ ଜବରଦସ୍ତୀ ସାମ୍ୟବାଦୀ ସାହିତ୍ୟ ପଢ଼ାଇବା ଓ ଲେଖାଇବା ପାଇଁ ବାଧ୍ୟ କରାଯାଏ । ଏହାର ଅର୍ଥ ଏହା ଯେ କି ସେମାନେ ଇସଲାମ ଛାଡି ଚୀନ ପ୍ରତି ନିଷ୍ଠାବାନ ହୋଇଯାଆନ୍ତୁ । ଚୀନ ସରକାର ଗତ କିଛି ବର୍ଷରେ ଏମିତି ଶତାଧିକ କ୍ୟାମ୍ପ ଖୋଲିଛନ୍ତି ।