ଚୀନ୍ ସେନାର ଯୁଦ୍ଧାଭ୍ୟାସ ! ଶକ୍ତି ପ୍ରଦର୍ଶନ କଲା ପିପୁଲ୍ସ ଲିବରେସନ୍ ଆର୍ମି

35

କନକ ବ୍ୟୁରୋ : ସମରାଭ୍ୟାସ ନାଁରେ ଚୀନ୍ କଲା ଶକ୍ତି ପ୍ରଦର୍ଶନ । ଭାରତୀୟ ସୀମା ନିକଟରେ ଯୁଦ୍ଧାଭ୍ୟାସ କରିଛି ଚୀନର ପିପୁଲ୍ସ ଲିବରେସନ୍ ଆର୍ମି । ଯେଉଁଥିରେ ବଡ ବଡ ଯୁଦ୍ଧ ଟ୍ୟାଙ୍କ ସହ ସାମିଲ ହୋଇଛି ପିଏଲଏ ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡର ୧୦ଟି ୟୁନିଟ୍ । ବଡ ବଡ ଯୁଦ୍ଧ ଟ୍ୟାଙ୍କ୍ ସହ ଆଂଟି ଏୟାରକ୍ରାଫ୍ଟ ଆର୍ଟିଲେରୀକୁ ବ୍ୟବହାର କରାଯାଇଛି ଯୁଦ୍ଧାଭ୍ୟାସରେ । ଡୋକଲାମକୁ ନେଇ ଭାରତ-ଚୀନ୍ ମଧ୍ୟରେ ମୁହାଁମୁହିଁ ସ୍ଥିତି ଥିବା ବେଳେ ଚୀନ୍ ସେନାର ଏହି ଅଭ୍ୟାସ ଯୁଦ୍ଧର ପ୍ରସ୍ତୁତି ବୋଲି କୁହାଯାଉଛି । ସେପଟେ ଚୀନକୁ ଚେତାବନୀ ଦେଇଛି ଭାରତ । ଗୃହମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, ଭାରତକୁ ଆଖି ଉଠାଇ ଦେଖିବାକୁ କାହାର ସାହାସ ନାହିଁ ।

ଚୀନର ଚାଇନା ସେଂଟ୍ରାଲ୍ ଟେଲିଭିଜନ୍ ରିପୋର୍ଟ ଅନୁସାରେ ଭାରତ ସୀମାନ୍ତ ସୁରକ୍ଷା ଦାୟିତ୍ୱରେ ଥିବା ୱେଷ୍ଟର୍ଣ୍ଣ ଥିଏଟର କମାଣ୍ଡ ଏହି ଯୁଦ୍ଧାଭ୍ୟାସ କରିଛି । ଭାରତ ସୀମାର ଅଳ୍ପ ଦୂରରେ ଏହି ଅଭ୍ୟାସ କରାଯାଇଥିବା ଚୀନ୍ ମିଡିଆ ଦାବି କରିଛି । ଯୁଦ୍ଧାଭ୍ୟାସର ୫ ମିନିଟ୍ର ଏକ ଭିଡିଓ ବି ଚୀନ୍ ମିଡିଆରେ ପ୍ରସାରିତ ହେଉଛି । କୁହାଯାଉଛି, ସମରାଭ୍ୟାସ ନାଁରେ ଶକ୍ତି ପ୍ରଦର୍ଶନ କରିଛି ଚୀନ୍ ସେନା । ସେପଟେ ଡୋକଲାମ ବିବାଦ ନେଇ ଗୃହମନ୍ତ୍ରୀ ରାଜନାଥ ସିଂ ରଖିଛନ୍ତି କଡା ବୟାନ । କହିଛନ୍ତି, ଭାରତକୁ ଆଖି ଉଠାଇ ଦେଖିବାକୁ କାହାର ସାହାସ ନାହିଁ  ।

ଦୁଇ ମାସ ହେଲା ଚୀନ୍-ଭାରତ ଓ ଭୂଟାନ ସୀମାନ୍ତ ଡୋକଲାମରେ ଉତେଜନା ଜାରି ରହିଛି । ଏହାରି ଭିତରେ ତୀବ୍ଦତ ପାର୍ବତ୍ୟାଂଚଳର ୫ହଜାର ଶହେ ମିଟର ଉପରେ ସାମରିକ ଅଭ୍ୟାସ କରିଥିଲା ଚୀନ୍ । ଯେଉଁଥିରେ ପ୍ରଥମ ଥର ପାଇଁ ଚୀନର ସର୍ବାଧୁନିକ ଟ୍ୟାଙ୍କ କୁହାଯାଉଥିବା ଟାଇପ୍-୯୬ବି ସାମିଲ ହୋଇଥିଲା । ସୀମାରେ ଉତେଜନା ଜାରି ରହିଥିବା ବେଳେ ଚୀନ ଏବେ ପୁଣିଥରେ କରିଛି ଯୁଦ୍ଧ ଅଭ୍ୟାସ । ଯାହା ଭାରତ ପାଇଁ ଚିନ୍ତା ବଢାଇଦେଇଛି ।