ପୁଣି ନାଲି ଆଖି ଦେଖାଇଲା ଡ୍ରାଗନ ! ସେନା ପ୍ରତ୍ୟାହାର ପାଇଁ ଭାରତକୁ ଅଲଟିମେଟନ ଦେବ ଚୀନ, ଅଣଦେଖା କଲେ ପରିଣାମ ଭୋଗିବାକୁ ଚେତାବନୀ

36

କନକ ବ୍ୟୁରୋ: ଭାରତକୁ ଅଲଟିମେଟମ ଦେବ ଚୀନ୍ । ସୀମାରୁ ସେନା ପ୍ରତ୍ୟାହାର କରିବା ପାଇଁ ଭାରତକୁ ଶେଷ ଚେତାବନୀ ଦେବ ଚୀନ୍ । ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଯଦି ଭାରତ ସେନା ପ୍ରତ୍ୟାହାର ନକରେ ତେବେ ଏହାର ପରିଣାମ ଭୋଗିବାକୁ ପଡିବ ବୋଲି ଚୀନ ସରକାରୀ ମୁଖପାତ୍ର ଗ୍ଲୋବାଲ ଟାଇମ୍ସରେ ରିପୋର୍ଟ ପ୍ରକାଶ ପାଇଛି ।

ଚୀନ୍ ସେନାର ବରିଷ୍ଠ ପରାମର୍ଶଦାତା ଜୁ ଗୁଆଁଗ୍ୟୁ କହିଛନ୍ତି ଯେ, ଆଗାମୀ ଶିଖର ସମ୍ମିଳନୀରେ କୌଣସି ବାଧା ସୃଷ୍ଟି ନହେଉ ଏବଂ ବିଭିନ୍ନ ଦେଶ ମଧ୍ୟରେ ଆର୍ଥିକ ଉନ୍ନତିି ନେଇ ଆଲୋଚନା ହେଉ ବୋଲି ଚୀନ୍ ଚାହୁଁଛି । ଏଣୁ ସେପ୍ଟେମ୍ବର ପୂର୍ବରୁ ସୀମାରୁ ଭାରତକୁ ସେନା ପ୍ରତ୍ୟାହାର କରିବା ପାଇଁ ଶେଷ ଚେତାବନୀ ଦେବ ଚୀନ୍ । ନିର୍ଦ୍ଦିଷ୍ଟ ସମୟ ମଧ୍ୟରେ ଭାରତ ଯଦି ଚେତାବନୀକୁ ଅଣଦେଖା କରେ ଏବଂ ସେନା ପ୍ରତ୍ୟାହାର ନକରେ ତେବେ ଏହାକୁ ତାର ପରିଣାମ ଭୋଗିବାକୁ ପଡିବ ବୋଲି ଚୀନର ପୂର୍ବତନ ସେନା ଅଧିକାରୀ ତଥା ବରିଷ୍ଠ ପରାମର୍ଶଦାତା ଜୁ ଗୁଆଁଗ୍ୟୁ କହିଛନ୍ତି ।

ଏହାସହ ଭାରତକୁ କିପରି ସୀମାରୁ ପଛକୁ ଘୁଂଚାଯିବ ସେ ନେଇ ଚୀନ୍ ନିକଟରେ ଅନେକ ବାଟ ଅଛି ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି । ସୀମାରେ ଆଗକୁ ବଢିବା ପାଇଁ ଚୀନ୍ ସେନାକୁ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ରହିବାକୁ ହେବ । ତେବେ ଚୀନ ଯଦି ଆଗକୁ ବଢେ ଭାରତ ନିଶ୍ଚିତ ରୂପରେ ଏହାର ପ୍ରତିବାଦ କରିବ ଏବଂ ଏଥିପାଇଁ ଚୀନ ସେନାକୁ ପ୍ରସ୍ତୁତ ରହିବାକୁ ପଡିବ । ତେବେ ଯେକୌଣସି ପରିସ୍ଥିତିର ମୁକାବିଲା ପାଇଁ ‘ପିପୁଲ ଲିବରେସନ୍ ଆର୍ମି ‘ପ୍ରସ୍ତୁତ ବୋଲି ଏହି ରିପୋର୍ଟରେ ପ୍ରକାଶ ପାଇଛି ।