ଶେଷ ମିନିଟରେ ଶକ୍ତିଶାଳୀ ଇଂଲଣ୍ଡ ହାତରୁ ବିଜୟ ଛଡାଇ ଆଣିଲା ଚୀନ୍ । ମ୍ୟାଚ୍ ଡ୍ର ରଖିଲା, ହକିପ୍ରେମୀଙ୍କ ହୃଦୟ ଜିତିଲା 

151

କନକ ବ୍ୟୁରୋ : ହକି ବିଶ୍ୱକପର ପ୍ରଥମ ଡ୍ର ମ୍ୟାଚ୍ । ପଏଣ୍ଟ ବାଣ୍ଟିନେଲେ ଇଂଲଣ୍ଡ ଓ ଚୀନ୍ । ଇଂଲଣ୍ଡ ଓ ଚୀନ୍ ମଧ୍ୟରେ ଖେଳାଯାଇଥିବା ପୁଲ ବିର ଦ୍ୱିତୀୟ ଲିଗ୍ ମ୍ୟାଚଟି ଡ୍ରରେ ଶେଷ ହୋଇଛି । ଶେଷ ମିନିଟରେ ଚୀନର ଡୁ ତାଲାକେ ଇଂଲଣ୍ଡ ଗୋଲପୋଷ୍ଟକୁ ବଲ ପଠାଇ ଏହି ମ୍ୟାଚକୁ ଡ୍ର କରିଛି । ପ୍ରଥମଥର ବିଶ୍ୱକପ ଖେଳୁଥିବା ଚୀନ୍ ଦଳ ଇଂଲଣ୍ଡ ଭଳି ଶକ୍ତିଶାଳୀ ଦଳ ବିପକ୍ଷରେ ମ୍ୟାଚ୍ ଡ୍ର ରଖି ହକିପ୍ରେମୀଙ୍କ ମନ ଜିଣିଛି । ମ୍ୟାଚଟି ୨-୨ ଗୋଲରେ ଶେଷ ହୋଇଛି ।


ହକି ବିଶ୍ୱକପର ପୁଲ ବିର ଦ୍ୱିତୀୟ ମ୍ୟାଚରେ ଆଜି ମୁହାମୁହିଁ ହୋଇଥିଲେ ଚୀନ ଓ ଇଂଲଣ୍ଡ । ଏହି ମ୍ୟାଚରେ ଚୀନ ବିପକ୍ଷରେ ଫେଭରିଟ ଥିଲା ଶକ୍ତିଶାଳୀ ଇଂଲଣ୍ଡ । ଏପରିକି ରେକର୍ଡ ମଧ୍ୟ ଇଂଲଣ୍ଡ ସପକ୍ଷରେ ରହିଥିଲା ।  ଗୋଟିଏ ପଟେ କାଗଜ କଲମରେ ଶକ୍ତିଶାଳୀ ଥିଲା ଇଂଲଣ୍ଡ । କିନ୍ତୁ ଅନ୍ୟପଟେ ପଡିଆକୁ ଓହ୍ଲାଇବା ପରେ ସବୁ ହିସାବ ନିକାଶକୁ ଭୁଲ ପ୍ରମାଣିତ କରିଥିଲା ନବାଗତ ଚୀନ୍ ଟିମ୍ ।

ଚୀନର ଯୁବ ଓ ନବାଗତ ଟିମ ପଡିଆରେ ଦମଦାର ଖେଳ ପ୍ରଦର୍ଶନ କରିଥିଲା । ଏପରିକି ଚୀନର ଖେଳାଳିଙ୍କ ଠାରୁ ବଲ ନେବା ପାଇଁ ଇଂଲଣ୍ଡ ଖେଳାଳିଙ୍କୁ ନାକେଦମ ହେବାକୁ ପଡିଥିଲା । ପ୍ରଥମାର୍ଦ୍ଧରେ ଇଂଲଣ୍ଡ ଖେଳାଳିଙ୍କୁ ମାତ୍ ଦେଇ ଗୋଲପୋଷ୍ଟରେ ବଲ ପହଞ୍ଚାଇଥିଲେ ଜିଆଉପିଙ୍ଗ ଗୁଅ । ପ୍ରଥମ ଥର ପାଇଁ ବିଶ୍ୱକପ ଖେଳୁଥିବା ଚୀନ ଦଳର ଏଭଳି ପ୍ରଦର୍ଶନ ଦେଖି ଚକିତ ହୋଇଯାଇଥିଲେ ହକିପ୍ରେମୀ । ତେବେ ଏହାପରେ ଜବରଦସ୍ତ କମବ୍ୟାକ କରିଥିଲା ଇଂଲଣ୍ଡ ଟିମ୍  । ଲଗାତାର ଦୁଇଟି ଗୋଲ ଦେଇ ଇଂଲଣ୍ଡ ନିଜ ସପକ୍ଷକୁ ମ୍ୟାଚ ନେଇଥିଲା । ତେବେ ଶେଷ ମିନିଟ ପର୍ଯ୍ୟନ୍ତ ପଛୁଆ ରହିଥିବା ଚୀନ ଲଢେଇ ଜାରି ରଖିଥିଲା । ଆଉ ଶେଷ ମିନିଟରେ ହିଁ ମିଳିଥିଲା ସଫଳତା । ଶେଷ ମିନିଟରେ ଡୁ ତାଲକେ ଅବିଶ୍ୱନୀୟ ଗୋଲ ଦେଇ ଇଂଲଣ୍ଡ ହାତରୁ ମ୍ୟାଚ୍ ଛଡାଇ ଆଣିଥିଲେ । ଆଉ ଏହାସହ ଡ୍ରରେ ଶେଷ ହୋଇଥିଲା ଏହି ହାଇଭୋଲଟେଜ ମ୍ୟାଚ୍ ।