ପାନ୍ଥଶାଳା ରେଲିଂରେ କରେଂଟ । ସାମ୍ନାକୁ ଆସିଲା ଅବହେଳାର ଚିତ୍ର । ଷ୍ଟିଲ ରେଲିଂର କଂରେଟ ନେଇଗଲା ଛାତ୍ରର ଜୀବନ

ବରକୁଲ ପାନ୍ଥନିବାସରୁ ଆସିଲା ଦୁଃଖଦ ଖବର

287

କନକ ବ୍ୟୁରୋ: ମୃତ୍ୟୁ ଡାକିଆଣିଲା ଚିଲିକା ବରକୁଳ ପାନ୍ଥନିବାସର ରେଲିଂ । ଆଉ ଚାଲିଗଲା ନାବାଳକର ଜୀବନ । ସ୍କୁଲ ପଢା ସାରି ଆସିଥିଲା ବାପାଙ୍କ ନିକଟକୁ । ହେଲେ ଆଉ ପୁଅ ଫେରିଲାନି ଘରକୁ । ବରକୁଳ ଚିଲିକା ପାନ୍ଥ ନିବାସର ରେଲିଂ କୌଣସି କାରଣରୁ ବିଜୁଳି ଚାର୍ଜ ହୋଇଯାଇଥିଲା । ଏହି ପାନ୍ଥନିବାସ ନିକଟରେ ଆନନ୍ଦ ବାରିକଙ୍କ ବାପା ଏକ ଚା ଦୋକାନ କରିଛନ୍ତି । ଦୋକାନକୁ ଆସିବା ବେଳେ ଅଜାଣତରେ ନାବାଳକର ହାତ ବାଜି ଯାଇଥିଲା ପାନ୍ଥନିବାସର ଷ୍ଟିଲ୍ ରେଲିଂରେ । ଏତିକିରେ ଛିଟିକି ହୋଇ ପଡିଥିଲେ ନାବାଳକ ଆନନ୍ଦ ।

ତାଙ୍କୁ ତୁରନ୍ତ ଡାକ୍ତରଖାନାରେ ଭର୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ମୃତ ଆନନ୍ଦ ବାରିକଙ୍କ ବୟସ ମାତ୍ର ୧୪ ବର୍ଷ ହେବ ବୋଲି ଜଣାପଡିଛି । ଗତକାଲି ରାତିରେ ଏଭଳି ଘଟଣା ପରେ ଚିଲିକା ବରକୁଳ ଅଂଚଳରେ ଶୋକର ମାହୋଲ ସୃଷ୍ଟି ହୋଇଛି । ଏବେ ପ୍ରଶ୍ନ ଉଠୁଛି ପାନ୍ଥନିବାସର ଷ୍ଟିଲ ରେଲିଂରେ ବିଜୁଳି ଚାର୍ଜ ହେଲା କେମିତି ।

ପୁରା ଅଘଟଣ ପାଇଁ ଦାୟୀ କିଏ । ବିଜୁଳି ଜନିତ ଦୁର୍ଘଟଣାରେ ଜଣେ ନାବାଳକର ଜୀବନ ଚାଲିଯିବା ପରେ ତାଙ୍କ ପରିବାରର ଯେଉଁ କ୍ଷତି ହୋଇଛି ତାହାକୁ ଭରଣା କରିବ କିଏ । ପୁରା ଘଟଣାରେ ବରକୁଳ ପାନ୍ଥ ନିବାସ କର୍ତୃପକ୍ଷଙ୍କ ଦାୟିତ୍ୱହୀନତାକୁ ଦାୟୀ କରାଯାଉଛି । ପୋଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇ ଦେଇଛି ।