ଥମିବାର ନାଁ ନେଉନାହିଁ ପିଲା ଚୋରି ଗୁଜବ ! ପୁଣି ୫ଜଣ ବ୍ୟକ୍ତିଙ୍କୁ ପିଟି ପିଟି ହତ୍ୟା କଲେ ଲୋକେ ।

28

ପିଲା ଚୋରି ଗୁଜବ ଥମିବାର ନାଁ ନେଉନାହିଁ । ଦେଶର ବିଭିନ୍ନ ରାଜ୍ୟରେ କେଉଁଠି ନା କେଉଁଠି ପିଲାଚୋରି ଗୁଜବକୁ କେନ୍ଦ୍ର କରି ଲୋକମାନଙ୍କୁ ଜୀବନରୁ ମାରିଦେଉଛନ୍ତି । ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ମହାରାଷ୍ଟ୍ର ଧୁଲେ ଜିଲ୍ଲାରେ । ପିଲାଚୋର ଭାବି ୫ ଜଣ ବ୍ୟକ୍ତିଙ୍କୁ ସ୍ଥାନୀୟ ଲୋକମାନେ ଅତି ନିର୍ଦ୍ଦୟର ସହ ପିଟି ପିଟି ହତ୍ୟା କରିଛନ୍ତି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିବା ସହ ୧୫ ଜଣଙ୍କୁ ଗିରଫ କରିଛି ।

ସୂଚନା ଅନୁଯାୟୀ, ମହାରାଷ୍ଟ୍ର ଧୁଲେ ଜିଲ୍ଲାର ଏକ ଆଦିବାସି ପ୍ରବଣ ଅଞ୍ଚଳକୁ ୫ଜଣ ଲୋକ କୌଣସି କାମରେ ଆସିଥିଲେ । ଏହି ୫ ଜଣ ବ୍ୟକ୍ତିଙ୍କୁ ପିଲାଚୋର ଭାବି ସ୍ଥାନୀୟ ଲୋକେ ଏକାଠି ହୋଇ ଇଟା ପଥର ମାରିବା ସହ ଲାଠିରେ ମାଡ ମାରିଥିଲେ । ପରେ ସେହି ଅଜଣା ବ୍ୟକ୍ତି ମାନଙ୍କୁ ଏକ ଘର ଭିତରେ ବନ୍ଦ କରି ମାଡ ମାରିଥିଲେ । ଯହା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କର ମୃତ୍ୟୁ ହୋଇଛି । ଏହି ମାଡ ମାରିବା ଘଟଣାକୁ ଅନ୍ୟ ଲୋକ ମାନେ ଛିଡା ହୋଇ ଦେଖିବା ସହ ମୋବାଇଲରେ ଘଟଣାର ଭିଡିଓ ଉତ୍ତୋଳନ ମଧ୍ୟ କରିଥିଲେ । ଯାହା ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାକୁ ଲାଗିଛି ।

ପିଲା ଚୋରି ଗୁଜବକୁ କେନ୍ଦ୍ର କରି ଅଜଣା ଲୋକଙ୍କୁ ମାଡ ମାରି ହତ୍ୟା କରିବାର ଏହା ପ୍ରଥମ ଘଟଣା ନୁହେଁ । ଆଗରୁ ମଧ୍ୟ ଏହିପରି ଅନେକ ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ଘଟିବାର କିଛିଦିନ ପୂର୍ବରୁ ଆସାମର ଆଗଲଂଗ ଜିଲ୍ଲାର ଲୋକମାନେ ଦୁଇ ଯୁବକଙ୍କୁ ପିଲାଚୋର ଭାବି ପିଟି ପିଟି ଅତି ନିର୍ମମ ଭାବେ ହତ୍ୟା କରିଥିଲେ ।

ପୋଲିସର କହିବା ଅନୁସାରେ, ଏହି ୫ ଜଣ ବ୍ୟକ୍ତି କୌଣସି କାମରେ ଧୁଲେ ଅଞ୍ଚଳକୁ ଆସିଥିଲେ । ଏମାନେ ପରସ୍ପର ବନ୍ଧୁ ହୋଇଥିବାରୁ ଗାଁରେ ଏକାଠି ବୁଲୁଥିଲେ । ଲୋକମାନେ ଏମାନଙ୍କୁ ପିଲା ଚୋର ଭାବି ମାଡ ମାରିଥିଲେ । ସେତିକିରେ ମନ ନବୁଝିବାରୁ ଗୋଟେ ଘର ଭିତରେ ବନ୍ଦ କରି ପିଟିଥିଲେ । ଯାହା ଫଳରେ ଘଟଣା ସ୍ଥଳରେ ୫ ଜଣଙ୍କ ମୃତ୍ୟୁ ହୋଇଛି । ପୋଲିସ ଏହି ଘଟଣାରେ ସମ୍ପୃକ୍ତ ଥିବା ୧୫ ଜଣଙ୍କୁ ଗିରଫ କରିବା ସହ ମୃତ ବ୍ୟକ୍ତି ମାନଙ୍କ ପରିଚୟ ଖୋଜୁଛି ।