ଛୁଆଙ୍କୁ ଜଗିବ ସିସିଟିଭି : ଶିଶୁ ଅଦଳବଦଳ ରୋକିବାକୁ ବୁର୍ଲା ବଡ ମେଡିକାଲର ଏସଏନସିୟୁରେ ଲାଗିବ ସିସିଟିଭି

39

ସମ୍ବଲପୁର ବ୍ୟୁରୋ ,କନକ ନ୍ୟୁଜ୍ : ଶିଶୁ ଅଦଳବଦଳ ରୋକିବାକୁ ବୁର୍ଲା ବଡ ମେଡିକାଲର ଏସଏନସିୟୁରେ ଲାଗିବ ସିସିଟିଭି । ଏହାସହ ଶିଶୁ ଅଦଳବଦଳ ପାଇଁ ଦାୟୀ ଥିବା କର୍ମଚାରୀଙ୍କ ବିରୋଧରେ ହେବ କାର୍ଯ୍ୟାନୁଷ୍ଠାନ । ଏଥିପାଇଁ ତିନି କଣିଆ ଟିମ୍ ଗଠନ କରାଯାଇ ତଦନ୍ତ ଆରମ୍ଭ ହୋଇଛି । ଏହା ସୂଚନା ଦେଇଛନ୍ତି ବୁର୍ଲା ମେଡିକାଲର ସୁପରିଟେଣ୍ଡେଂଟ ।
ସେପଟେ ୧୮ ଦିନ ଧରି ଆଇନର ଲଢେଇ ପରେ ପ୍ରକୃତ ବାପାମାଆ ପାଇଛନ୍ତି ନିଜ ପିଲାକୁ । ଡିଏନଏ ଟେଷ୍ଟ ରିପୋର୍ଟ ଆସିବା ପରେ ମେଡିକାଲ୍ କର୍ତୃପକ୍ଷ ପିଲାଟିକୁ ହସ୍ତାନ୍ତର କରିଥିଲେ । ତେବେ ମାଆ ଠାରୁ ଏତେଦିନ ଧରି ଅଲଗା ରହିବା ପରେ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଆହୁରି ବିଗିଡି ଯାଇଛି । ତେବେ ବାପା ହୋଇ ବାପା ପରିଚୟ ପାଇବା ଏତେଟା ସହଜ ହୋଇନଥିଲା ଗଗନ ବିହାରୀଙ୍କ ପାଇଁ । ବୁର୍ଲା ମେଡିକାଲ କର୍ତୃପକ୍ଷ ତାଙ୍କୁ ଦେଇଥିଲେ ମାନସିକ ନିର୍ଯ୍ୟାତନା । ଭୁଲ୍ କଲା କିଏ ଦଣ୍ଡ ପାଇଲା କିଏ ? କେବଳ ଗଗନ ବିହାରୀ ନୁହଁନ୍ତି କି ବୁର୍ଲା ନୁହେଁ । ଏସଏନସିୟୁରେ ଶିଶୁ ଅଦଳବଦଳ ଘଟଣା ପ୍ରତିବର୍ଷ ଘଟୁଛି । ୨୦୧୩ରେ କଟକ ବଡ ମେଡିକାଲରୁ ଆସିଥିଲା ଶିଶୁ ଅଦଳବଦଳ ଅଭିଯୋଗ । ହାଇକୋର୍ଟଙ୍କ ନିର୍ଦେଶ ପରେ ହୋଇଥିଲା ଡିଏନଏ ଟେଷ୍ଟ୍ । ଆଉ ୪ ମାସ ପରେ ଶିଶୁଟି ଫେରିଥିଲା ନିଜ ଜନ୍ମ କଲା ମାଆ ପାଖକୁ । ସେହି ପରି ଗତବର୍ଷ ବ୍ରହ୍ନପୁର ଏମକେସିଜି ମେଡିକାଲରୁ ଆସିଥିଲା ସମାନ ଅଭିଯୋଗ । ଏସଏନସିୟୁ କର୍ମଚାରୀଙ୍କ ଦାୟିତ୍ୱହୀନତା ପାଇଁ ବାପା ମାଆଙ୍କୁ ଭୋଗିବାକୁ ପଡିଥିଲା ମାନସିକ ନିର୍ଯ୍ୟାତନା । ତେବେ ପ୍ରଶ୍ନ ଉଠୁଛି ମେଡିକାଲ କର୍ତୃପକ୍ଷ ବାରମ୍ବାର କାହିିଁକି ଏମିତି ଭୁଲ୍ କରୁଛନ୍ତି । ଏସଏନସିୟୁ କାହିଁକି ପାଲଟିଛି ଅସୁରକ୍ଷିତ ? ହୁଏତ ସ୍ୱାସ୍ଥ୍ୟ ବିଭାଗ ଠାରୁ ଏ ପ୍ରଶ୍ନର ଉତର ଆଶା କରୁଛନ୍ତି ରାଜ୍ୟବାସୀ ।