ଆକାଶମାର୍ଗରୁ ‘ଅମ୍ଫାନ’ ପ୍ରଭାବିତ ଅଞ୍ଚଳ ସ୍ଥିତି ସମୀକ୍ଷା କଲେ ମୁଖ୍ୟମନ୍ତ୍ରୀ । ରାଜ୍ୟରେ ୮୯ ବ୍ଲକର ୪୪ ଲକ୍ଷ ଲୋକ ହୋଇଛନ୍ତି ପ୍ରଭାବିତ, ଚାଲିଛି କ୍ଷୟକ୍ଷତିର ଆକଳନ

579

କନକ ବ୍ୟୁରୋ: ଆକାଶ ମାର୍ଗରୁ ରାଜ୍ୟର ବାତ୍ୟା ପ୍ରଭାବିତ ଅଂଚଳ ପରିଦର୍ଶନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଗତକାଲି ହୋଇଥିବା ବାତ୍ୟା ଅମ୍ଫାନ ଯୋଗୁଁ କେଉଁ ଅଂଚଳ, କେତେ ପ୍ରଭାବିତ, କେତେ କ୍ଷୟକ୍ଷତି ହୋଇଛି, ତାର ସମୀକ୍ଷା କରିଛନ୍ତି ନବୀନ । ଗତକାଲି ବାତ୍ୟା ଅମ୍ଫାନ ରାଜ୍ୟର ୪ଟି ଜିଲ୍ଲାରେ ବିଶେଷ କରି କ୍ଷୟକ୍ଷତି କରିଛି ।

ପ୍ରାଥମିକ ଆକଳନ ଅନୁସାରେ ୮୯ଟି ବ୍ଲକର ୪୪ ଲକ୍ଷ ଲୋକ ବାତ୍ୟା ଅମ୍ଫାନରେ ପ୍ରଭାବିତ ହୋଇଛନ୍ତି । ପ୍ରାୟ ୧ ଲକ୍ଷ ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ ହୋଇଥିବାବେଳେ ଅନେକ ସ୍ଥାନରେ ବିଦ୍ୟୁତ ସରବରାହ ପ୍ରଭାବିତ ହୋଇଛି । ଅନେକ ସ୍ଥାନରେ ବଡ ବଡ ଗଛ ଉପୁଡି ପଡିଛି । ଏପରିକି କ୍ଷତିଗ୍ରସ୍ତ ଭିତ୍ତିଭୂମି ମରାମତି ଏବଂ ସେହି ଜିଲ୍ଲାଗୁଡ଼ିକରେ ଶୀଘ୍ର ପୁନରୁଦ୍ଧାର ପାଇଁ ନିର୍ଦ୍ଦେଶ ଦିଆଯାଇଛି ।

ସେହିପରି ଆସନ୍ତାକାଲି ସକାଳ ସୁଦ୍ଧା ରୋଡ୍ କ୍ଲିୟରାନ୍ସ ଏବଂ ସଂଯୋଗୀକରଣ ସମସ୍ୟା ସମାଧାନ କରିବାକୁ ଜିଲ୍ଲାପ୍ରଶାସନକୁ ନିର୍ଦ୍ଦେଶ । ସେସୁ ଅଧିନରେ ଥିବା ବିଦ୍ୟୁତ୍ ଯୋଗାଣ ଆସନ୍ତା ୨୪ ଘଣ୍ଟାରେ ଏବଂ ନେସ୍କୋ ଅଧିନରେ ୭୨ ଘଣ୍ଟା ମଧ୍ୟରେ ବିଦ୍ୟୁତ୍ ଯୋଗାଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଅନ୍ୟପଟେ ଆସନ୍ତା ତିନି ଦିନ ମଧ୍ୟରେ କୃଷି ଫସଲ କ୍ଷୟକ୍ଷତିର ଆକଳନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆକାଶମାର୍ଗରୁ ଏହାର ସ୍ଥିତି ଅନୁଧ୍ୟାନ କରିବା ପରେ ଏନେଇ କେନ୍ଦ୍ର ସରକାରଙ୍କୁ ଅବଗତ କରାଯିବ ।