ଓଡ଼ିଶା ସୀମାରୁ ୨ଜଣଙ୍କୁ ଛତିଶଗଡ଼ ପୁଲିସ ଉଠାଇନେବା ମାମଲା : ଉଭୟ ରାଜ୍ୟର ଡିଜି ଓ ଆଇଜିଙ୍କୁ ଛତିଶଗଡ଼ ହାଇକୋର୍ଟଙ୍କ ରିପୋର୍ଟ ତଲବ

31

କନକ ବ୍ୟୁରୋ: ଓଡ଼ିଶା ସୀମାରୁ ୨ଜଣଙ୍କୁ ଛତିଶଗଡ଼ ପୁଲିସ ଉଠାଇନେବା ମାମଲା । ଏଥିରେ ହସ୍ତକ୍ଷେପ କରିଛନ୍ତି ଛତିଶଗଡ଼ ହାଇକୋର୍ଟ । ଉଭୟ ରାଜ୍ୟର ଡିଜି, ଆଇଜି, ଏସପି ଓ ସ୍ଥାନୀୟ ପୁଲିସକୁ ରିପୋର୍ଟ ମାଗିଛନ୍ତି ଛତିଶଗଡ଼ ହାଇକୋର୍ଟ । ଗତ ବର୍ଷ ଜୁଲାଇ ୨୮ ତାରିଖରେ ଛତିଶଗଡ଼ ପୁଲିସ ମାଓବାଦୀଙ୍କୁ ଗୋଳାବାରୁଦ ଯୋଗାଣ ଅଭିଯୋଗରେ କୋଟପାଡ଼ ବ୍ଳକ ନୁଆଗାଁରୁ ୨ଜଣ ବ୍ୟକ୍ତିଙ୍କୁ ଉଠାଇନେଇ ଜେଲରେ ଭର୍ତ୍ତି କରିଛି ।

ଏମାନଙ୍କ ମଧ୍ୟରେ ଜଣଙ୍କ ନାମ ନିରଂଜନ ଦାସ । ଏହାକୁ ନେଇ ନିରଂଜନଙ୍କ ପରିବାର ଲୋକ ଅଭିଯୋଗ କରିଥିଲେ ସୁଦ୍ଧା ପୁଲିସ ଗ୍ରହଣ କରିନଥିଲା । ତେବେ ପରେ କୋଟପାଡ଼ ଜେଏମସି ମାଜିଷ୍ଟ୍ରେଟଙ୍କ ନିର୍ଦ୍ଦେଶ ପରେ ସ୍ଥାନୀୟ ଥାନାରେ ଛତିଶଗଡ଼ ପୁଲିସ ବିରୋଧରେ ଏତଲା ରୁଜୁ ହୋଇଥିଲା ।

ପରେ ପରିବାର ହାଇକୋର୍ଟଙ୍କ ଦ୍ୱାରସ୍ଥ ମଧ୍ୟ ହୋଇଥିଲେ । ହାଇକୋର୍ଟ ଏନେଇ ଡିଜି ଓ ଆଇଜିଙ୍କୁ ରିପୋର୍ଟ ମାଗିଥିଲେ । ତେବେ ତଥ୍ୟ ଓ ପ୍ରମାଣ ଆଧାରରେ ୨ଜଣଙ୍କୁ ଓଡ଼ିଶା ସୀମାରୁ ଉଠାଇ ନିଆଯାଇଥିବା ନେଇ ପ୍ରମାଣିତ ହୋଇଥିଲା । ପରେ ଏନେଇ ଓଡ଼ିଶା ହାଇକୋର୍ଟ ଛତିଶଗଡ଼ ହାଇକୋର୍ଟରେ ରିଟ୍ ପିଟିସନ ଦାଖଲ କରିବା ସହ ପରିବାରଙ୍କୁ ମଧ୍ୟ ଛତିଶଗଡ଼ ହାଇକୋର୍ଟରେ ଆବେଦନ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ ।

ଏହି ମାମଲାରେ ପରିବାର ପକ୍ଷରୁ ଛତିଶଗଡ଼ ହାଇକୋର୍ଟରେ ଆବେଦନ କରାଯିବା ପରେ ଉଭୟ ରାଜ୍ୟର ଡ଼ିଜି, ଆଇଜି, ଏସପି ଓ ସ୍ଥାନୀୟ ପୋଲିସ ଥାନାକୁ ରିପୋର୍ଟ ମାଗିଛନ୍ତି ହାଇକୋର୍ଟ । ଏହାର ପରବର୍ତ୍ତୀ ଶୁଣାଣି ଆଗାମୀ ୨୦ ତାରିଖରେ ରହିଛି । ଏହାରି ମଧ୍ୟରେ ପରିବାର ସିବିଆଇ ଓ ଏନଆଇଏ ଦ୍ୱାରା ତଦନ୍ତ କରିବା ପାଇଁ ନିବେଦନ କରିଛନ୍ତି ।