ଶ୍ରୀମନ୍ଦିର ଆନନ୍ଦ ବଜାରରେ ଲାଗିବ ମହାପ୍ରସାଦର ରେଟ୍ ଚାର୍ଟ, ଭକ୍ତଙ୍କ ପାଇଁ ମନ୍ଦିର ବାହାରେ ହେବ ଶୌଚାଳୟ! ଛତିଶାନିଯୋଗ ବୈଠକରେ ହେଲା ନିଷ୍ପତି

54

କନକ ବ୍ୟୁରୋ : ଶ୍ରୀମନ୍ଦିରରେ ଲାଗିବ ଅବଢାର ରେଟ୍ ଚାର୍ଟ । ଆନନ୍ଦ ବଜାରରେ ଝୁଲିବ ମହାପ୍ରସାଦର ଦର ତାଲିକା । ଏନେଇ ଛତିଶା ନିଯୋଗ ବୈଠକରେ ନିଷ୍ପତି ନିଆଯାଇଛି । ଏଣିକି ହୋର୍ଡିଂ ମାଧ୍ୟମରେ ଭକ୍ତଙ୍କୁ ମହାପ୍ରସାଦର ଦର ଜଣାଇଦିଆଯିବ । ଶ୍ରୀମନ୍ଦିର ସଂସ୍କାର ନେଇ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିବା ୧୨ଟି ପ୍ରସଙ୍ଗରେ ସେବାୟତ ଓ ମନ୍ଦିର ପ୍ରଶାସନ ମଧ୍ୟରେ ଆଲୋଚନା ହୋଇଛି । ସେଥିରୁ ୯ଟି ପ୍ରସଙ୍ଗ ଉପରେ ସେବାୟତ ସହମତ ହୋଇଛନ୍ତି ।

ତେବେ ଶ୍ରୀମନ୍ଦିରରେ ସେବାୟତଙ୍କ ବଂଶାନୁକ୍ରମିକ ସେବା ଓ ଦକ୍ଷିଣା ଆଦାୟ ଭଳି ଗୁରୁତ୍ୱପୂଣ୍ଣ ପ୍ରସଙ୍ଗକୁ ବିରୋଧ କରିଛନ୍ତି ସେବାୟତ । ଏଥିସହ ଅନ୍ନଦାନ ଆଟିକା ଓ ଶ୍ରୀମନ୍ଦିର ସଂସ୍କାର ଆଇନରେ ସଂଶୋଧନ ନେଇ ସେବାୟତ ସହମତ ହୋଇନାହାଁନ୍ତି । ଏହି ପ୍ରସଙ୍ଗରେ ପୁନଃ ବିଚାର ପାଇଁ ସେବାୟତ ପ୍ରସ୍ତାବ ଦେଇଛନ୍ତି । ଅଗଷ୍ଟ ମାସ ଶେଷରେ ସୁପ୍ରିମକୋର୍ଟଙ୍କୁ ମନ୍ଦିର ପ୍ରଶାସନ ରିପୋର୍ଟ ଦେବାକୁ ଥିବା ବେଳେ ସେଥିରେ ସେବାୟତଙ୍କ ପ୍ରସ୍ତାବ ଉଲ୍ଲେଖ ରହିବ । ସେପଟେ ଛତିଶା ନିଯୋଗ ବୈଠକରେ ଶ୍ରଦ୍ଧାଳୁଙ୍କ ପାଇଁ କିଛି ଗୁରୁତ୍ୱପୂର୍ଣ୍ଣ ନିଷ୍ପତି ନିଆଯାଇଛି । ଶ୍ରୀମନ୍ଦିର ବାହାରେ ଭକ୍ତଙ୍କ ପାଇଁ ଶୌଚାଳୟ ନିର୍ମାଣ ହେବ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ର ସୂଚନା ଦେଇଛନ୍ତି ।