ଜହ୍ନର ଡ୍ରଇଂ ରୁମରେ ବସିବ ମଣିଷ: ଆଉ ଚିତ୍ର ହୋଇ ରହିବନି ଚନ୍ଦ୍ର, ଚନ୍ଦ୍ରାୟନ ସତ କରିବ ମଣିଷର ସ୍ୱପ୍ନ…

କାହିଁକି କେଜାଣି ପିଲାବେଳୁ ହିଁ ଜହ୍ନ ପ୍ରତି ସମସ୍ତଙ୍କର ଦୁର୍ବଳତା ଥାଏ...

684

କନକ ବ୍ୟୁରୋ: ‘ଜହ୍ନ’ ! ଜୀବନ ସହ ଜଡି଼ତ ଏକ ଜଣାଶୁଣା ନାଁ । ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ଶୀତଳତା ଦେଉଥିବା ଏକ ମିଠା ଛୁଆଁ । ଜହ୍ନ କେବେ କଅଁଳା ଶିଶୁର ମାମୁ ସାଜେ ତ ପୁଣି କେବେ କଲେଜ ପଢ଼ୁଆ ପ୍ରେମିକର ପ୍ରେମିକା ସାଜେ । ପିଲା ଅଝଟ ହେଲେ ନୀଳ ଆକାଶରେ ଉଇଁଥିବା ଜହ୍ନକୁ ଦେଖାଇ ମାଆ କହେ, ହେଇ…ଦେଖ ତୋ’ ମାମୁ ଆସିଲାଣି … ଆଉ ପ୍ରେମିକା ଅଝଟ ହେଲେ ଅଭିମାନ ଭାଙ୍ଗିବାକୁ ପ୍ରେମିକା କୋଳରେ ମୁଣ୍ଡ ରଖି ପ୍ରେମିକ କହେ, ତମେ ନା ଆଜି ଭାରି ସୁନ୍ଦର ଦିଶୁଛ…ଠିକ୍ ଜହ୍ନ ପରି । ଜହ୍ନ ଖାଲି ମାମୁ ଆଉ ପ୍ରେମିକାରେ ସୀମିତ ରହିନାହିଁ ଜହ୍ନକୁ ଅନେକ ଲୋକ ଅନେକ କ୍ଷେତ୍ରରେ ବର୍ଣ୍ଣନା କରିଛନ୍ତି । କବିର କବିତାରେ ଜହ୍ନ କେତେବେଳେ ରାଜା ସାଜିଛି ତ ଆଉ କେତେବେଳେ ଜହ୍ନ ରାଇଜରେ ଘରଟେ ତୋଳିବାକୁ ମଣିଷ ଚିନ୍ତା କରିଛି ।

ପୃଥିବୀକୁ ପିଠି କରି ମଣିଷ ଯେତେବେଳେ ଖାଲି ଆଖିରେ ଜହ୍ନକୁ ଦେଖିଛି ଠିକ ସେତିକିବେଳେ ଜହ୍ନକୁ ଯିବାକୁ ମନରେ ଆଶା ବାନ୍ଧିଛି । ପିଲାବେଳେ ତ ଫୁଙ୍ଗୁଳା ଆକାଶ ତଳେ ଶୋଇ ଜହ୍ନକୁ ଦେଖିଲା ମାନେ ଶିଢ଼ି ପକାଇ ଡେଇଁ ପଡି଼ବାକୁ ଇଚ୍ଛା ହୁଏ । ଇଚ୍ଛାହୁଏ ଜହ୍ନକୁ ଯାଇ ସେ କଳା କଳା ଦିଶୁଥିବା ପାହାଡରେ ଚଢ଼ିବାକୁ, ପାଉଁଶିଆ ଦିଶୁଥିବା ପୋଖରୀରେ ଗାଧୋଇବାକୁ । କାହିଁକି କେଜାଣି ପିଲାବେଳୁ ହିଁ ଜହ୍ନ ପ୍ରତି ସମସ୍ତଙ୍କର ଦୁର୍ବଳତା ଥାଏ । ବୋଧହୁଏ ସେଇଥିପାଇଁ ଏବେ ଜହ୍ନକୁ ଯିବାକୁ ଜୁ ଗୋଟାଉଛି, ନିଜକୁ ପ୍ରସ୍ତୁତ କରୁଛି ମଣିଷ ।

‘ଚନ୍ଦ୍ରାୟନ-୨’ ମାଧ୍ୟମରେ ଜହ୍ନକୁ ଚଢ଼ିବାକୁ ଶିଢ଼ି ବାନ୍ଧୁଛି ମଣିଷ । ଜହ୍ନମାମୁକୁ ଯାତ୍ରା କରିବାକୁ ଅଭିଯାନ ଆରମ୍ଭ କରିଛି ଭାରତ । ଆସନ୍ତା ଜୁଲାଇ ୧୫ରେ ଜହ୍ନକୁ ଯାତ୍ରା କରିବାକୁ ଅଭିଯାନ ଆରମ୍ଭ ହେବ । ହାତରେ ମାତ୍ର ମାସଟେ ସମୟ । ଆଉ ତାପରେ ଇତିହାସ ରଚିବ ଭାରତ, ଇତିହାସ ରଚିବ ଇସ୍ରୋ । ଜୁଲାଇ ୧୫, ମଙ୍ଗଳବାର ଦିନ ଜହ୍ନ ଯାତ୍ରା କରିବା ପରେ ସ୍ୱର୍ଣ୍ଣାକ୍ଷରରେ ଲିପିବଦ୍ଧ ହେବ ଭାରତର ନାଁ । ଆନ୍ଧ୍ର ଶୀହରିକୋଟାରୁ ରାତି ୨ଟା ୫୧ରେ ଅଭିଯାନ ଆରମ୍ଭ ହେବାକୁ ଥିବାବେଳେ ଅଭିଯାନ ଶେଷ ହେବା ପରେ ସତ ହେବ ସବୁଦିନିଆ ସ୍ୱପ୍ନ ।

ଚନ୍ଦ୍ରରେ ଘର କରିବାକୁ ମଣିଷ ଅନେକ ଦିନରୁ ସ୍ୱପ୍ନ ଦେଖିଛି । ଜହ୍ନରେ ଜଳ ଅଛି କି ନାହିଁ, ଜୀବନ ଜିଇଁହେବ କି ନାହିଁ ଏ ସମସ୍ତ ପ୍ରଶ୍ନର ଉତ୍ତର ଖୋଜିଥିଲା ଚନ୍ଦ୍ରାୟନ-୧ । ୧୪ ନଭେମ୍ବର ୨୦୦୮ରେ ଚନ୍ଦ୍ରାୟନ-୧ ପଠାଇ ଜହ୍ନରେ ଜଳ ଭଳି କିଛି ଅଂଶ ପାଇଥିଲା ଭାରତ । ଆଉ ଏବେ ୧୧ ବର୍ଷ ପରେ ପୁଣି ଚନ୍ଦ୍ରକୁ ଚଢ଼ିବ ଚନ୍ଦ୍ରାୟନ-୨ । ପୂର୍ବଥର ଅପେକ୍ଷା ଏଥର ଅଧିକ ତଥ୍ୟ ଆଣିବାକୁ ଭାରତର ଚନ୍ଦ୍ର ଅଭିଯାନ ।

ତେବେ ଆ ଜହ୍ନମାମୁ ସରଗ ଶଶି…, ଜହ୍ନ ରାଇଜରେ ଘରଟେ ତୋଳିବି, ଜହ୍ନ ଆମକୁ ଲୁଚି ଦେଖୁଛି ଏ ସମସ୍ତ ହିଟ୍ ଓଡିଆ ଗୀତରୁ ମଣିଷମାନଙ୍କ ଜହ୍ନ ପ୍ରେମକୁ କଳି ହେଉଛି । ଜହ୍ନ ଜୀବନର ଗୋଟେ ଅଂଶ ହେଇଥିବାରୁ ଜହ୍ନରେ ଜୀବନ ଜିଇଁବାକୁ ଯାତ୍ରା ଆରମ୍ଭ କରୁଛି ମଣିଷ । ତେବେ ଭାରତର ଏ ଅଭିଯାନ ସଫଳ ହେଉ ଆଉ ଜହ୍ନରେ ଜୀବନ ବିତାଇ ହେବାର ବାର୍ତ୍ତା ନେଇ ଭାରତ ଫେରୁ ଏହା ହିଁ ଆଶା ।