ଇସ୍ରୋକୁ ଆଉ ଏକ ସଫଳତା: ପୃଥିବୀ କକ୍ଷ ପଥ ଛାଡି ଚନ୍ଦ୍ର ଆଡକୁ ଯାତ୍ରା ଆରମ୍ଭ କଲା ଚନ୍ଦ୍ରଯାନ-୨

୨୦ ଅଗଷ୍ଟରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ; ଇସ୍ରୋ ଦେଲା ସୂଚନା

245

କନକ ବ୍ୟୁରୋ: ଚନ୍ଦ୍ରଯାନ-୨ କୁ ନେଇ ଇସ୍ରୋକୁ ମିଳିଛି ଆଉ ଏକ ସଫଳତା । ପୃଥିବୀ କକ୍ଷ ପଥ ଛାଡି ଏବେ ଚନ୍ଦ୍ର ଆଡକୁ ମୁହାଁଇଲା ଚନ୍ଦ୍ରଯାନ-୨ । ଇସ୍ରୋ ସୂଚନା ଅନୁସାରେ ଆଜି ଭୋର ୩ଟା ୩୦ ମିନିଟରେ ଚନ୍ଦ୍ରଯାନ ୨ ପୃଥିବୀର କକ୍ଷ ପଥ ତ୍ୟାଗ କରି ଚନ୍ଦ୍ର ଆଡକୁ ଗତି କରିବା ଆରମ୍ଭ କରିଛି । ଏହି କ୍ରମରେ ଚନ୍ଦ୍ରଯାନ-୨ ଚନ୍ଦ୍ର ଆଡକୁ ଗତି କରି ଅଗଷ୍ଟ ୨୦ ତାରିଖରେ ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବ । ଏହା ପରେ ଆରମ୍ଭ ହେବ ଚନ୍ଦ୍ର ପୃଷ୍ଠକୁ ଯାତ୍ରା ।

ଚନ୍ଦ୍ରର କକ୍ଷ ପଥରେ ପ୍ରବେଶ କରିବାର ୧୮ ଦିନ ପରେ ଚନ୍ଦ୍ରଯାନ-୨ ଚନ୍ଦ୍ର ପୃଷ୍ଠରେ ଅବତରଣ କରିବ । ଅର୍ଥାତ୍ ୭ ସେପ୍ଟେମ୍ୱରରେ ଚନ୍ଦ୍ରପୃଷ୍ଠରେ ଅବତରଣ କରିବ ଚନ୍ଦ୍ରଯାନ-୨ । ଚନ୍ଦ୍ରଯାନ-୨ ଉତକ୍ଷେପଣ ହେବା ପର ଠାରୁ ଏହା ସହିତ ମୋଟ୍ ୫ଟି ପ୍ରୟୋଗ କରାଯାଇଛି । ଶେଷ ଥର ପାଇଁ ଚନ୍ଦ୍ରଯାନ ୨ ସହିତ କରାଯାଇଥିବା ପ୍ରୟୋଗ ବଳରେ ଏହା ପୃଥିବୀ କକ୍ଷ ପଥ ତ୍ୟାଗ କରି ଚନ୍ଦ୍ର ଆଡକୁ ଗତି କରିବା ଆରମ୍ଭ କରିଥିବା ନେଇ ଇସ୍ରୋ ସୂଚନା ଦେଇଛି । ଏହା ସହିତ ଚଳିତ ଅଭିଯାନରେ ଚନ୍ଦ୍ର ଯାନ ୨ର ସମସ୍ତ ଯନ୍ତ୍ରାଂଶ ଠିକଣା ଭାବେ କାମ କରୁଥିବା ଇସ୍ରୋ ସ୍ପଷ୍ଟ କରିଛି ।