କେନ୍ଦ୍ର ବିରୋଧରେ ବିଦ୍ରୋହ କଲା ଆନ୍ଧ୍ର: ଜାରି ହେଲା ସରକାରୀ ବିଜ୍ଞପ୍ତି, ରାଜ୍ୟ ସରକାରଙ୍କ ବିନା ଅନୁମତିରେ ରାଜ୍ୟରେ ପଶିପାରିବନି ସିବିଆଇ

ପୂର୍ବରୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତି ଅପସାରଣ

347

କନକ ବ୍ୟୁରୋ: କେନ୍ଦ୍ର ବିରୋଧରେ ବିଦ୍ରୋହ କଲା ଆନ୍ଧ୍ର । ଏଣିକି ରାଜ୍ୟ ସରକାରଙ୍କ ବିନା ଅନୁମତିରେ ସିବିଆଇ ଆନ୍ଧ୍ରପ୍ରଦେଶରେ ପଶିପାରିବ ନାହିଁ । ରାଜ୍ୟରେ ପ୍ରବେଶ କରିବା ପାଇଁ ସିବିଆଇକୁ ଦିଆଯାଇଥିବା ସ୍ୱତନ୍ତ୍ର ଅନୁମତିକୁ ଆଜି ଅପସାରଣ କରି ନେଇଛନ୍ତି ଆନ୍ଧ୍ରପ୍ରଦେଶ ସରକାର । ଏନେଇ ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଛି ବିଧିବଦ୍ଧ ବିଜ୍ଞପ୍ତି ।

ଏଥିରେ କୁହାଯାଇଛି ଆନ୍ଧ୍ରପ୍ରଦେଶ ସରକାରଙ୍କ ଅନୁମତି ନେବା ପରେ ଯାଇ ସିବିଆଇ ରାଜ୍ୟରେ କୌଣସି ପ୍ରସଙ୍ଗରେ ତଦନ୍ତ ବା ଚଢ଼ାଉ କରିପାରିବ । ଏହା ସହିତ ନୋଟିସରେ କୁହାଯାଇଛି ସିବିଆଇ ଯଦି ଆନ୍ଧ୍ରପ୍ରଦେଶରେ କୌଣସି ତଦନ୍ତ କରିବାକୁ ଚାହେଁ ତେବେ ଆଂଟି କରପ୍ସନ ବ୍ୟୁରୋ ସହଯୋଗରେ କାର୍ଯ୍ୟ କରିବ । ମୋଦି ସରକାର ସିବିଆଇ କାର୍ଯ୍ୟକ୍ରମରେ ହସ୍ତକ୍ଷେପ କରିବା ପରେ ଏହି ଜାତୀୟ ତଦନ୍ତକାରୀ ସଂସ୍ଥା ନିଜର ଅସ୍ଥିତ୍ୱ ହରାଇଛି ବୋଲି ଅଭିଯୋଗ କରିଛନ୍ତି ଆନ୍ଧ୍ରପ୍ରଦେଶରେ ଶାସକ ଦଳ ନେତା ଦିନାକର  । ସେ କହିଛନ୍ତି କେନ୍ଦ୍ରର ବିଜେପି ସରକାର ନିଜର ସୁବିଧା ଦୃଷ୍ଟିରୁ ବିଜେପିକୁ ବ୍ୟବହାର କରୁଛି । ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି  ଏନଡିଏ ସହ ସଂପର୍କ ଛିନ୍ନ କରିଛନ୍ତି ଆନ୍ଧ୍ର ସରକାର ।

ସେପଟେ, ଆନ୍ଧ୍ରପ୍ରଦେଶରେ ସିବିଆଇ ମନାକୁ ନେଇ ପ୍ରତିକ୍ରିୟା ରଖିଛି ବିଜେଡି । ଦଳ କହିଛି, ଏହା କେନ୍ଦ୍ର ଓ ଆନ୍ଧ୍ରପ୍ରଦେଶର ପ୍ରସଙ୍ଗ । ଏହା ସିବିଆଇର ଭୂମିକା ଉପରେ ସନ୍ଦେହ ସୃଷ୍ଟି କରୁଛି  । ବିଭିନ୍ନ ରାଜ୍ୟ ଏ ନେଇ ଟିପ୍ପଣୀ ଦେଇଛନ୍ତି । ପ୍ରଥମ ଥର ପାଇଁ ଗୋଟିଏ ରାଜ୍ୟ ସ୍ୱର ଉତୋଳନ କରିଛି ।  ରାଜ୍ୟରେ ବିରୋଧୀମାନେ ବିଭିନ୍ନ ପ୍ରସଙ୍ଗ ନେଇ ସିବିଆଇ ତଦନ୍ତ ଦାବି କରୁଛନ୍ତି ।  ସିବିଆଇ ମଧ୍ୟ ବିଭିନ୍ନ ପ୍ରସଙ୍ଗରେ  ରାଜ୍ୟରେ ତଦନ୍ତ କରୁଛି ।  ରାଜ୍ୟ ସରକାର ରାଜ୍ୟରେ ସିବିଆଇକୁ ସଂପୂର୍ଣ୍ଣ ସହଯୋଗ କରୁଛନ୍ତି ।  ତେଣୁ ସିବିଆଇକୁ ନେଇ  ରାଜ୍ୟରେ ଏମିତି ପ୍ରଶ୍ନ ଉଠୁଛି କାହିଁକି ।