ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ନେଇ ତର୍କ: ଜ୍ୟୋର୍ତିବିଦ୍ଦ କହିଲେ,ଖାଇବା ବନ୍ଦ ହେବା ଦରକାର; ବୈଜ୍ଞାନିକ କହିଲେ, ପାକ ତ୍ୟାଗ ସଂପୂର୍ଣ୍ଣ ଅନ୍ଧବିଶ୍ୱାସ

706

କନକ ବ୍ୟୁରୋ: ପବିତ୍ର ଗୁରୁପୂର୍ଣ୍ଣିମାରେ ଦୃଶ୍ୟମାନ ହେବ ଚନ୍ଦ୍ରଗ୍ରହଣ । ତେବେ ଚନ୍ଦ୍ରଗ୍ରହଣରେ ପାକ ତ୍ୟାଗ ନେଇ କନକ ନ୍ୟୁଜ ଷ୍ଟୁଡିଓରେ ବୈଜ୍ଞାନିକ ଓ ଜ୍ୟୋର୍ତିବିଦ୍ଦଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଛି । ଚନ୍ଦ୍ରଗ୍ରହଣ ସମୟରେ ଖାଇବା ବନ୍ଦ ହେବା ଦରକାର ଜ୍ୟୋର୍ତିବିଦ୍ଦ କହିଥିବା ବେଳେ ବୈଜ୍ଞାନିକ ପାକ ତ୍ୟାଗ ସଂପୂର୍ଣ୍ଣ ଅନ୍ଧବିଶ୍ୱାସ ବୋଲି କହିଛନ୍ତି । ଏହାକୁ ନେଇ ଷ୍ଟୁଡିଓରେ ବୈଜ୍ଞାନିକ ଓ ଜ୍ୟୋତିବିଦ୍ଦ ଯୁକ୍ତିତର୍କ କରିଛନ୍ତି । ଗୁରୁପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ଭଳି ଦୁର୍ଲଭ ସଂଯୋଗ ୧୪୯ ବର୍ଷ ପରେ ଆଜି ଘଟିବାକୁ ଯାଉଛି । ରାତି ୧ଟା ୩୦ମିନିଟରୁ ଚନ୍ଦ୍ରଗ୍ରହଣ ଆରମ୍ଭ ହୋଇ ଭୋର ସାଢେ ୪ଟାରେ ମୋକ୍ଷ ହେବ ।

ରାତି ୩ଟା ପାଖା ପାଖି ଗ୍ରହଣ ଚରମ ସୀମା ଛୁଇଁବ ବୋଲି ସୂଚନା ମିଳିଛି । ଏହି ସମୟରେ ଚନ୍ଦ୍ରର ଅଧାରୁ ଅଧିକ ଅଂଶକୁ ପୃଥିବୀ ନିଜ ଛାଇରେ ଢାଙ୍କି ଦେବ । ଯାହାକୁ ଅରୁଣାଚଳର ଉତରପୂର୍ବ ଅଂଚଳକୁ ଛାଡି ଦେଲେ ସାରା ଭାରତର ଲୋକେ ଦେଖି ପାରିବେ । ଏହା ପୂର୍ବରୁ ୧୮୭୦ ମସିହା ଜୁଲାଇ ୧୨ ତାରିଖରେ ଏପରି ଦୁର୍ଲଭ ସଂଯୋଗ ଦେଖିବାକୁ ମିଳିଥିଲା । ଚଳିତ ବର୍ଷ ଆଷାଢ ମାସର ଗୁରୁପୂର୍ଣ୍ଣିମାରେ ପଡିଥିବା ଏହି ଚନ୍ଦ୍ର ଗ୍ରହଣକୁ ନେଇ ବୈଜ୍ଞାନିକ, ଗବେଷକ ଓ ଜ୍ୟୋର୍ତିବିଦ ଉତ୍ସାହିତ ଅଛନ୍ତି ।