ବିକ୍ରି ହୋଇଯିବ କି ବିଜୁଳି କଂପାନୀ ? ଦେବାଳିଆ ହେଲାଣି ସେସୁ, ଘରୋଇ ଗ୍ରାହକ ଓ ବଡ଼ ବଡ଼ ଶିଳ୍ପ ସଂସ୍ଥା ଉପରେ ପଡିଛି ହଜାର ହଜାର କୋଟି ଟଙ୍କାର ବକେୟା ବିଲ୍ ।

627

କନକ ବ୍ୟୁରୋ : ସେସୁକୁ ଆର୍ଥିକ ସ୍ଥିତିକୁ ନେଇ ସିଇଓ ସୂଚନା ଦେବା ପରେ ଏହାର ଘରୋଇ କରଣ ନେଇ ପାୱାର କରିଡରରେ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । କୁହାଯାଉଛି ଖୁବ୍ ଶୀଘ୍ର ଘରୋଇ କମ୍ପାନୀ ହାତକୁ ଚାଲିଯାଇପାରେ ସେସୁ । ତେବେ ଏହାକୁ ସମାଲୋଚନା କରିଛନ୍ତି ବିରୋଧୀ । କହିଛନ୍ତି ରାଜ୍ୟ ସରକାରଙ୍କ କମ୍ପାନୀ ପ୍ରୀତି ସାଧାରଣ ଲୋକଙ୍କ ଅସୁବିଧାରେ ପକାଇବ ।

ଦେବାଳିଆ ସ୍ଥିତିରେ ‘ସେସୁ’ ! ବିକ୍ରି ହୋଇଯିବ କି ସେସୁ ? ‘ସେସୁ’ର ହେବ କି ଘରୋଇକରଣ ? ଏଭଳି କିଛି ପ୍ରଶ୍ନ ଏଥି ପାଇଁ ଉଠୁଛି କାରଣ ସେସୁର ଆର୍ଥିକ ସ୍ଥିତି ଭଲ ନଥିବା ଖୋଦ୍ ସ୍ୱୀକାର କରିଛନ୍ତି ସେସୁର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ । ବର୍ଷ ବର୍ଷ ଧରି ଲକ୍ଷ ଲକ୍ଷ ଉପଭୋକ୍ତା କୋଟି କୋଟି ଟଙ୍କାର ବିଜୁଳି ବିଲ୍ ବକେୟା ରଖିବା, ଯେମିତି ସେସୁର ପରିଚାଳନା ପାଇଁ ଏକ ବଡ଼ ସଂକଟ ସୃ୍ଷ୍ଟି କରିଛି । ଗୋଟିଏ ପଟେ ଘରୋଇ ଉପଭୋକ୍ତାଙ୍କ ବକେୟା ବିଲ୍ ଅନ୍ୟପଟେ ବଡ଼ ବଡ଼ କଂପାନୀ ପୈଠ କରୁନାହାନ୍ତି ବିଦ୍ୟୁତ ବିଲ୍ । ସେସୁ ସିଇଓ ଦେଇଥିବା ସୂଚନା ଅନୁସାରେ,

-୭ ଲକ୍ଷ ଘରୋଇ ଉପଭୋକ୍ତା ପଇଠ କରି ନାହାନ୍ତି ବିଜୁଳି ବିଲ୍
-୧ ହଜାର ୯୭୧ କୋଟି ଟଙ୍କାର ବାକି ପଡ଼ିଛି ବିଜୁଳି ବିଲ୍
-୫୮ ହଜାର ଲୋକ ୫୦ ହଜାର ଟଙ୍କାରୁ ଅଧିକ ବିଲ୍ ବକେୟା ରଖିଛନ୍ତି
-୧ ଲକ୍ଷ ୪ ହଜାର ଲୋକ ୨ ବର୍ଷ ହେଲା ବିଲ୍ ଦେଇନାହାନ୍ତି

ଆଉ ଏସବୁ ଭିତରେ ସେସୁର ଘରୋଇକରଣର ଚର୍ଚ୍ଚା ବଢ଼ିଛି । କୁହାଯାଉଛି ଟାଟା ପାୱାର ଅଧିନକୁ ଚାଲିଯାଇପାରେ ସେସୁ । ପାୱାର କରିଡରରେ ହେଉଥିବା ଚର୍ଚ୍ଚା ଅନୁସାରେ ସେସୁର ଘରୋଇକରଣ ନେଇ ପକ୍ରିୟା ବି ଆରମ୍ଭ ହୋଇସାରିଛି ।

ବର୍ତମାନ ଢ଼େଙ୍କାନାଳ, ଅନୁଗୁଳ, ଜଗତସିଂହପୁର, କେନ୍ଦ୍ରାପଡ଼ା, କଟକ, ପୁରୀ ଏବଂ ନୟାଗଡ଼ ଭଳି ୯ଟି ଜିଲ୍ଲାରେ ବିଦ୍ୟୁତ ସେବା ଯୋଗାଇ ଆସୁଛି ସେସୁ । ଆଉ ଏହି ୯ଟି ଜିଲ୍ଲାରେ ଘରୋଇ ଗ୍ରାହକଙ୍କ ପାଖରେ ପଡ଼ି ରହିଛି ପ୍ରାୟ ୨ ହଜାର କୋଟିର ବିଜୁଳି ବିଲ । କେବଳ ସାଧାରଣ ଗ୍ରାହକ ନୁହନ୍ତି, ବଡ ବଡ ଶିଳ୍ପ ପ୍ରତିଷ୍ଠାନ, ଖଣି ମାଲିକ ଓ ବାଣିଜ୍ୟ ଅନୁଷ୍ଠାନ ରାଜ୍ୟରେ ବର୍ଷ ବର୍ଷ ଧରି ବିଦ୍ୟୁତ ବିଲ୍ ବକେୟା ରଖିଛନ୍ତି । ଏହି ସଂସ୍ଥାଗୁଡିକ ପାଖାପାଖି ୩ ହଜାର କୋଟି ଟଙ୍କା ଫାଙ୍କି ଥିବା ନେଇ ରାଜ୍ୟ ସରକାର ବିଧାନସଭାରେ ଉତ୍ତର ରଖିଛନ୍ତି । ଆଉ ଆଜି ଯେତେବେଳେ ସେସୁର ଘରୋଇକରଣ ନେଇ ଚର୍ଚ୍ଚା ହେଉଛି ସରକାରଙ୍କୁ ଘେରିଛନ୍ତି ବିରୋଧୀ । ବିରୋଧୀ କହିଛନ୍ତି, ରାଜ୍ୟ ସରକାରଙ୍କ କଂପାନୀ ପ୍ରୀତି ସାଧାରଣ ଲୋକଙ୍କୁ ଅଡୁଆରେ ପକାଇବ । ବିରୋଧୀଙ୍କ ସମାଲୋଚନା ଏବଂ ସରକାରୀ ଦଳର ସଫେଇ ଭିତରେ ଏବେ ନଜର ଓଇଆରସିର ନିଷ୍ପତି ଉପରେ, କାରଣ ଏହି କମିଶନ ହିଁ ନିଷ୍ପତି ନେବ ଆଗକୁ ହେବ କ’ଣ?