ଚାର୍ଜିଙ୍ଗ ସମୟରେ ଫାଟିଲା ଫୋନ୍ ! ଲାଗିଲା ନିଆଁ, ଚାଲିଗଲା ସିଇଓଙ୍କ ଜୀବନ ।

41

ନିକଟରେ ସ୍ମାର୍ଟଫୋନ ବ୍ଲାଷ୍ଟ ହେବାର ଅନେକ ଖବର ସାମ୍ନାକୁ ଆସିଛି । ଏପରିକି ବ୍ଲାଷ୍ଟରେ ଅନେକ ଜୀବନ ମଧ୍ୟ ଚାଲିଯାଇଥିବା ଘଟଣା ଜଣାପଡିଛି । ଏବେ ଏମିତି ଆଉ ଏକ ଘଟଣା ମାଲେସିଆର କ୍ରେଡଲ ଫଣ୍ଡର ସିଇଓଙ୍କ ସହ ଘଟିଛି, ଯେଉଁଥିରେ ସିଇଓ ନାଜରୀନ ହସନଙ୍କର ମୃତ୍ୟୁ ହୋଇଯାଇଛି । ତେବେ ମୋବାଇଲ ଚାର୍ଜିଙ୍ଗ ସମୟରେ ବ୍ଲାଷ୍ଟ ହୋଇଥିବା ଜଣାପଡିଛି । କ୍ରେଡଲ ଫଣ୍ଡ ମାଲେସିଆରେ ମିନିଷ୍ଟ୍ରି ଅଫ ଫାଇନାନ୍ସର କମ୍ପାନୀ ଅଟେ ଯାହା ଟେକ୍ ଷ୍ଟାର୍ଟଅପ୍ସର ସହାୟତା କରିଥାଏ ।

ସୂଚନା ଅନୁଯାୟୀ, ହସନ ବ୍ଲାକବେରୀ ଏବଂ ହୁଆବେର ସ୍ମାର୍ଟଫୋନ ବ୍ୟବହାର କରୁଥିଲେ । ଏବଂ ହସନଙ୍କ ବେଡରୁମରେ ଦୁଇଟି ଯାକ ମୋବାଇଲ ଫୋନ ଚାର୍ଜିଙ୍ଗରେ ଲାଗିଥିଲା । ସେତେବେଳେ ହସନ ଶୋଇଥିଲେ । ତେବେ ସ୍ମାର୍ଟଫୋନ ବ୍ଲାଷ୍ଟ ହେବା କାରଣରୁ ରୁମରେ ନିଆଁ ଲାଗିଯାଇଥିଲା । ତେବେ ଏହା କହିବା ମୁସ୍କିଲ ହୋଇଛି କି ଓଭରହିଟିଂ କାରଣରୁ ଫୋନଟି ବ୍ଲାଷ୍ଟ ହୋଇଯାଇଥିଲା ।

ପୋଲିସର କହିବା ଅନୁଯାୟୀ, ହସନଙ୍କ ମୃତ୍ୟୁ ବ୍ଲାଷ୍ଟରୁ ବାହାରିଥିବା ଧୁଆଁରେ ଅଣନିଶ୍ୱାସୀ ହୋଇ ହୋଇଥିବା ଜଣାପଡିଛି । କିନ୍ତୁ ପରିବାରର ଜଣେ ସଦସ୍ୟ ସୋସିଆଲ ମିଡିଆରେ କହିଛନ୍ତି ଯେ, ଫୋନ ବ୍ଲାଷ୍ଟ ହେବା ଫଳରେ ବାହାରିଥିବା ମୋବାଇଲର ଏକ ଖଣ୍ଡ ତାଙ୍କ ମୁଣ୍ଡରେ ପଛ ପାଶ୍ୱର୍ରେ ଲାଗିଥିଲା । ଯାହାଫଳରେ ହସନଙ୍କ ମୃତ୍ୟୁ ହୋଇଛି । ଏହା ପରେ ନିଆଁ ଲାଗିଥିଲା, କିନ୍ତୁ ସେତେବେଳକୁ ହସନଙ୍କର ମୃତ୍ୟୁ ହୋଇଯାଇଥିଲା । ତେବେ ନିକଟରେ ଏପରି ସ୍ମାର୍ଟଫୋନ ବିସ୍ଫୋରଣରେ ଅନକେ ଜୀବନ ଯାଇଥିବା ଘଟଣା ଗୁଡିକ ମଧ୍ୟ ସାମ୍ନାକୁ ଆସିଛି ।