ପୁଣି ପାକିସ୍ତାନକୁ ବଡ଼ ଝଟକା । ଜମ୍ମୁ-କାଶ୍ମୀର ଓ ଅଧିକୃତ କାଶ୍ମୀରରେ ସୀମାପାର ବାଣିଜ୍ୟ କାରବାର ରଦ୍ଦ କରିବାକୁ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟର ନିଷ୍ପତି ।

419

କନକ ବ୍ୟୁରୋ: ପୁଣି ପାକିସ୍ତାକୁ ଝଟକା । ଆସନ୍ତା କାଲିଠାରୁ ଜମ୍ମୁ-କାଶ୍ମୀରର ନିୟନ୍ତ୍ରଣ ରେଖାରେ କୌଣସି ବାଣିଜ୍ୟ କାରବାର ରଦ୍ଦ କରିବାକୁ ନିଷ୍ପତି । ଏନେଇ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ ତୁରନ୍ତ ରଦ୍ଦ ନାମା ଜାରି କରାଯାଇଥିବା ସୂଚନା ମିଳିଛି । ତେବେ ସୀମାପାର ବାଣିଜ୍ୟ ପଥକୁ ପାକିସ୍ତାନରେ ଥିବା ତତ୍ୱମାନେ ବେଆଇନ ଅସ୍ତ୍ରଶସ୍ତ୍ର, ମାଦକଦ୍ରବ୍ୟ ଏବଂ ଜାଲନୋଟ ଆଦି କାରବାର ଯୋଗୁଁ ଏହାର ଅପବ୍ୟବହାର କରାଯାଉଛି । ତେଣୁ ଏନେଇ ସବିଶେଷ ରିପୋର୍ଟ ପାଇବା ପରେ ଭାରତ ସରକାରଙ୍କ ପକ୍ଷରୁ ଏଭଳି ବାଣିଜ୍ୟ ମାର୍ଗକୁ ବନ୍ଦ କରିବାକୁ ନିଷ୍ପତି ନିଆଯାଇଥିବା ପିଆଇବି ପକ୍ଷରୁ କୁହାଯାଇଛି । 

ସୂଚନା ମୁତାବକ, ଏଲଓସି ଦେଇ ଜମ୍ମୁ-କାଶ୍ମୀର ସୀମାର ଉଭୟ ପାଶ୍ୱର୍ରେ ଥିବା ସ୍ଥାନୀୟ ଲୋକମାନଙ୍କ ମଧ୍ୟରେ ବିଭିନ୍ନ ପ୍ରକାର ସାମଗ୍ରୀ କାରବାରକୁ ସୁବିଧାରେ ଉପଲବ୍ଧ କରିବା ପାଇଁ ପୂର୍ବରୁ ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ଏହି ଦ୍ରବ୍ୟ କାରବାର ଦୁଇଟି ବାଣିଜ୍ୟ ସୁବିଧା କେନ୍ଦ୍ର ଯଥା- ବାରମୁଳା ଜିଲ୍ଲାର ଉରି ସ୍ଥିତ ସଲାମାବାଦ ଏବଂ ପୁଂଛ ଜିଲ୍ଲାର ଚକ୍କାନ- ଦା- ବାଗ ଦେଇ ସପ୍ତାହକୁ ଚାରିଦିନ ପାଇଁ ଉଭୟ ପଟୁ ବାଣିଜ୍ୟ କାରବାର କରାଯାଇଥାଏ । ଏପରିକି ସବୁ ଦ୍ରବ୍ୟ ମୁଖ୍ୟତଃ ପ୍ରତ୍ୟକ୍ଷ ଭାବେ ବିଭିନ୍ନ ସାମଗ୍ରୀର ଦେଣନେଣ ଏବଂ ନିଃଶୁଳ୍କ ଭିତ୍ତିରେ କରାଯାଇଥାଏ  । କିନ୍ତୁ , ସରକାରଙ୍କୁ ସୂଚନା ମିଳିଛି ଯେ ନିୟନ୍ତ୍ରଣ ରେଖାରେ ହେଉଥିବା ଏହି ବାଣିଜ୍ୟ ବ୍ୟବସ୍ଥାକୁ ବ୍ୟାପକ ଭାବେ ଅପବ୍ୟବହାର କରାଯାଉଛି । 

ଜଣାପଡ଼ିଛି ଯେ ବାଣିଜ୍ୟ ଏହାର ସତା ହରାଇଛି ଏବଂ ଅଧିକତର ଭାବେ ତୃତୀୟ ପକ୍ଷ ବାଣିଜ୍ୟ ଏବଂ ଅପଶକ୍ତି ତଥା ଜାତୀୟତା ବିରୋଧୀ ତତ୍ୱ ମାନଙ୍କ ଦ୍ୱାରା ଏହି ପଥକୁ ମାଧ୍ୟମ ଭାବ ବ୍ୟବହାର କରାଯାଉଛି ଓ ସେମାନେ ଏହି ପଥ ଦେଇ ହୱାଲା ଅର୍ଥ, ମାଦକଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର କାରବାର କରୁଛନ୍ତି । ବାଣିଜ୍ୟ କାରବାରକୁ ସେମାନେ ବାହାନା ରୂପେ ଉପଯୋଗ କରୁଛନ୍ତି । ଏନଆଇଏଙ୍କ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି ଯେ ସେଠାରେ କାର‌୍ୟ୍ୟ କରୁଥିବା ଅଧିକତର ନିୟନ୍ତ୍ରଣ ରେଖାର ବାଣିଜ୍ୟ ସଂସ୍ଥାଙ୍କର ନିଷିଦ୍ଧ ଆତଙ୍କବାଦୀ ସଂଗଠନ ମାନଙ୍କ ସହ ଘନିଷ୍ଠ ଯୋଗସୂତ୍ର ରହିଛି । ଏହି ସବୁ ସଂଗଠନମାନେ ଆତଙ୍କବାଦ/ ବିଚ୍ଛିନ୍ନତାବାଦ ସହ ସଂପୃକ୍ତ ଅଛନ୍ତି । 

ଏପରିକି ଅନୁସନ୍ଧାନରୁ ଆହୁରି ଜଣାପଡ଼ିଛି ଯେ , କେତେକ ବ୍ୟକ୍ତି ବିଶେଷ, ଯେଉଁମାନେ ପାକିସ୍ତାନକୁ ଯାଇଛନ୍ତି ଏବଂ ସେଠାରେ ଆତଙ୍କବାଦୀ ସଂଗଠନରେ ଯୋଗ ଦେଇଛନ୍ତି, ସେମାନେ ପାକିସ୍ତାନରେ ବାଣିଜ୍ୟ ସଂସ୍ଥାମାନ ଆରମ୍ଭ କରିଛନ୍ତି । ସେହିସବୁ ବାଣିଜ୍ୟ ସଂସ୍ଥାଗୁଡ଼ିକ ଆତଙ୍କବାଦୀ ସଂଗଠନମାନଙ୍କ ନିୟନ୍ତ୍ରଣରେ ରହିଛି ଏବଂ ସେମାନେ ଏବେ ନିୟନ୍ତ୍ରଣ ରେଖାରେ ବାଣିଜ୍ୟ କାରବାରରେ ଲିପ୍ତ ଅଛନ୍ତି । ପୁଲୱାମା ଆତଙ୍କବାଦୀ ଆକ୍ରମଣ ପରେ, ଭାରତ ସରକାର ପାକିସ୍ତାନ ଠାରୁ ସବୁଠାରୁ ଅନୁଗୃହୀତ ରାଷ୍ଟ୍ର (ଏମଏନଏଫ) ମାନ୍ୟତା ଓହରାଇ ନେଇଥିଲା । ସେତେବେଳେ ସୂଚନା ମିଳିଥିଲା ଯେ ପରିଣାମତଃ ଏଭଳି ଉଚ୍ଚତର ଟିକସକୁ ଏଡ଼ାଇବା ସକାଶେ, ନିୟନ୍ତ୍ରଣ ରେଖାରେ ଚାଲିଥିବା ବାଣିଜ୍ୟକୁ ଯଥେଷ୍ଟ ମାତ୍ରାରେ ଅପବ୍ୟବହାର କରିବାର ସମ୍ଭାବନା ରହିଛି ।

ତେଣୁ ଭାରତ ସରକାର ଜମ୍ମୁ ଓ କାଶ୍ମୀରର ସଲାମାବାଦ ଓ ଚକ୍କାନ-ଦା-ବାଗ ଠାରେ ଚାଲିଥିବା ଏଭଳି ଏଲଓସି ବାଣିଜ୍ୟ କାରବାରକୁ ତୁରନ୍ତ ବନ୍ଦ କରିବାକୁ ନିଷ୍ପତି ଗ୍ରହଣ କରିଛନ୍ତି । ଏ ଦିଗରେ କଠୋର ଏବଂ ତୁରନ୍ତ କାର‌୍ୟ୍ୟକାରୀ କରିବା ଭଳି ବ୍ୟବସ୍ଥା ଗ୍ରହଣ କରାଯାଇଛି ଏବଂ ବିଭିନ୍ନ ଏଜେନ୍ସିମାନଙ୍କ ସହ ପରାମର୍ଶ କରାଯାଇ ତାହାକୁ କାର‌୍ୟ୍ୟକାରୀ କରାଯିବା ସକାଶେ ନିଷ୍ପତି ହୋଇଛି । ଏହା ପରେ ଏଲଓସି ବାଣିଜ୍ୟ କାରବାର ପୁନଃଆରମ୍ଭ କରାଯିବା ପ୍ରସଙ୍ଗ ସଂଶୋଧନ କରାଯିବ ।