କନକ ବ୍ୟୁରୋ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଖୁସି ଖବର । କ୍ୟାବିନେଟ ବୈଠକରେ ଦର ଦାମ ବୃଦ୍ଧିକୁ ଦୃଷ୍ଟିରେ ରଖି କର୍ମଚାରୀଙ୍କ ପାଇଁ ମହଙ୍ଗା ଭତ୍ତା(ଡିଏ) ବୃଦ୍ଧି କରାଯାଇଛି । ପୂର୍ବରୁ ୧୨ ପ୍ରତିଶତ ମହଙ୍ଗା ଭତ୍ତା ମିଳୁଥିଲା । ଏବେ ଏହାକୁ ୫ ପ୍ରତିଶତ ବଢାଯାଇଛି । କେନ୍ଦ୍ର ସରକାରୀ କର୍ମଚାରୀମାନେ ୧୭ ପ୍ରତିଶତ ମହଙ୍ଗା ଭତ୍ତା ପାଇବେ । ସପ୍ତମ ବେତନ କମିଶନଙ୍କ ସୁପାରିଶ ଆଧାର ପରିସରରେ ରହି ଏହି ବ୍ୟବସ୍ଥା କରିଛନ୍ତି ସରକାର ।
ଜୁଲାଇ ପହିଲା ଠାରୁ ପିଛିଲା ଭାବେ ଏହି ଭତ୍ତା ମିଳିବ । ସରକାରଙ୍କ ଏହି ନିଷ୍ପତ୍ତି ଫଳରେ ଦେଶର ୫୦ ଲକ୍ଷ କେନ୍ଦ୍ରୀୟ କର୍ମଚାରୀ ଉପକୃତ ହେବେ । ସେହିଭଳି ୬୧ ଲକ୍ଷ ପେନସନଭୋଗୀ ମଧ୍ୟ ଏହାର ଲାଭ ପାଇବେ । ଆଜି ଅନୁଷ୍ଠିତ କେନ୍ଦ୍ର କ୍ୟାବିନେଟରେ ଏହି ନିଷ୍ପତ୍ତି ହୋଇଛି ।