ନିର୍ବାଚନୀ ରଣାଙ୍ଗନରେ ସେଲିବ୍ରିଟିଙ୍କୁ ମିଳିଲା ମିଶ୍ରିତ ଫଳାଫଳ । ଜାଣନ୍ତୁ କିଏ ପିନ୍ଧିଲେ ବିଜୟ ମୁକୁଟ ଆଉ କାହାକୁ ପ୍ରତ୍ୟାଖାନ କଲେ ଜନତା ।

251

କନକ ବ୍ୟୁରୋ : ଫିଲ୍ମ ପରଦାରୁ ସଂସଦ । ସଂସଦ ଯିବେ ସନ୍ନି ଦେଓଲ । ଅଭିନେତାରୁ ରାଜନେତା ପାଲଟିଥିବା ଏହି ଆକ୍ସନ ହିରୋ ପଞ୍ଜାବ ଗୁରୁଦାସପୁର ସଂସଦୀୟ କ୍ଷେତ୍ରରୁ ବିଜୟୀ ହେବା ପରେ ଏହା ସ୍ପଷ୍ଟ ହୋଇଯାଇଛି । ନିଜ ଅଭିନୟ ଜରିଆରେ ଲୋକଙ୍କ ମନ ଜିଣୁଥିବା ସନ୍ନି ଏଥର ଗୁରୁଦାସପୁର ଜନତାଙ୍କ ମନ ଜିଣିବାରେ ସଫଳ ହୋଇଛନ୍ତି । ସେ କଂଗ୍ରେସ ସାଂସଦ ସୁନୀଲ କୁମାର ଜାଖରଙ୍କୁ ଲକ୍ଷାଧିକ ଭୋଟରେ ପରାସ୍ତ କରିଛନ୍ତି ।

ପୁରଣ ହେଲା ଡ୍ରିମଗର୍ଲଙ୍କ ଡ୍ରିମ୍ । ମଥୁରାବାସୀଙ୍କ ମନ ଜିଣିଲେ ହେମାମାଳିନୀ । ବଲିଉଡର ଏହି ଜଣାଶୁଣା ଅଭିନେତ୍ରୀ ଉତ୍ତରପ୍ରଦେଶର ମଥୁରା ସଂସଦୀୟ କ୍ଷେତ୍ରରୁ ପୁଣି ଥରେ ବିଜୟୀ ହୋଇଛନ୍ତି । ଆରଏଲଡିର ନରେନ୍ଦ୍ର ସିଂହଙ୍କଠାରୁ ୨ଲକ୍ଷରୁ ଉଦ୍ଧ୍ୱର୍ ଭୋଟରେ ସେ ବିଜୟୀ ହୋଇଛନ୍ତି । ତାଙ୍କୁ ୬ଲକ୍ଷ ୬୪ ହଜାର ଭୋଟ ମିଳିଥିବାବେଳେ ନରେନ୍ଦ୍ରଙ୍କୁ ୩ଲକ୍ଷ ୭୬ ହଜାର ଭୋଟ ମିଳିଛି । ନିର୍ବାଚନ ପ୍ରଚାର ସମୟରେ ଚାଷ ଜମିରେ ଶ୍ରମିକଙ୍କ ସହ ଗହମ କାଟିବା ସହ ଟ୍ରାକ୍ଟର ଚଳାଇ ଚର୍ଚ୍ଚାକୁ ଆସିଥିଲେ ହେମା । ପତ୍ନୀଙ୍କ ପାଇଁ ମଥୁରାରେ ଭୋଟ ମାଗିଥିଲେ ଅଭିନେତା ଧର୍ମେନ୍ଦ୍ର ।

କ୍ରିକେଟ ପରେ ରାଜନୀତିରେ କମାଲ । ଦିଲ୍ଲୀବାସୀଙ୍କ ଦିଲ୍ ଜିତିଲେ ଗମ୍ଭୀର । କ୍ରିକେଟରେ ଦିନେ କରିସ୍ମା ଦେଖାଇଥିବା ଗୌତମ ଗମ୍ଭୀର ରାଜନୀତି କ୍ୟାରିୟରର ପ୍ରଥମ ପରୀକ୍ଷାରେ ଚମକ ଦେଖାଇଛନ୍ତି । ସଫଳତାର ସହ ପୂର୍ବ ଦିଲ୍ଲୀ ଲୋକସଭା ଆସନରେ ବିଜୟୀ ହୋଇଛନ୍ତି । ସେ ତାଙ୍କ ନିକଟତମ ପ୍ରତିଦ୍ୱନ୍ଦି କଂଗ୍ରେସ ପ୍ରାର୍ଥୀ ଅରବିନ୍ଦର ସିଂହ ଲଭଲିଙ୍କୁ ୩ଲକ୍ଷ ୯୧ ହଜାର ଭୋଟରେ ହରାଇ ଦେଇଛନ୍ତି । ମାତ୍ର କିଛି ଦିନ ତଳେ ସେ ରାଜନୀତିରେ ଯୋଗଦେବା ପରେ ବିଜେପି ତାଙ୍କୁ ପ୍ରାର୍ଥୀ କରିଥିିଲା ।

ବିଜେପିର ଲହର ଭିତରେ କିନ୍ତୁ ହାରି ଯାଇଛନ୍ତି ଅଭିନେତ୍ରୀ ଜୟାପ୍ରଦା । ତାଙ୍କୁ ସାଥ୍ ଦେଇନାହାଁନ୍ତି ଜନତା । ସେ ରାମପୁର ଆସନରୁ ମେଂଟ ପ୍ରାର୍ଥୀଙ୍କଠାରୁ ପରାଜିତ ହୋଇଛନ୍ତି । ତେବେ ଏହାକୁ ସ୍ୱୀକାର କରିବା ସହ ଜନସେବା ଜାରି ରଖିବେ ବୋଲି କହିଛନ୍ତି ଜୟାପ୍ରଦା ।

ସେହିପରି ବିଜେପି ଛାଡି କଂଗ୍ରେସରୁ ପ୍ରାର୍ଥୀ ହୋଇଥିବା ଭେଟେରାନ ଆକ୍ଟର ଶତ୍ରୁଘ୍ନ ସିହ୍ନା ପରାଜିତ ହୋଇଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ ରବିଶଙ୍କର ପ୍ରସାଦ ଲକ୍ଷାଧିକ ଭୋଟରେ ପରାସ୍ତ କରିଛନ୍ତି । ସେହିପରି ମୁମ୍ବାଇ-ଲୋକସଭା ଆସନରୁ କଂଗ୍ରେସ ଟିକେଟରେ ଲଢ଼ୁଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ପରାସ୍ତ ହୋଇଛନ୍ତି । ତାଙ୍କୁ ବିଜେପି ପ୍ରାର୍ଥୀ ଗୋପାଳ ଶେଟ୍ଟୀ ୪ଲକ୍ଷ ୫୨ ହଜାର ୨୨୬ ଖଣ୍ଡ ଭୋଟରେ ହରାଇ ଦେଇଛନ୍ତି । ହାରକୁ ସ୍ୱୀକାର କରିଥିଲେ ମଧ୍ୟ ଇଭିଏମ୍ ଉପରେ ରାଗ ଶୁଝାଇଛନ୍ତି ଉର୍ମିଳା ।