ଭୟ ବଢ଼ାଉଛି ବିଦେଶୀ ଜାହାଜ । ଜଙ୍ଗଲ ଓ ପରିବେଶ ସଚିବ କହିଲେ, ଚିଲିକା ପ୍ରତି ରହିଛି ବିପଦ । ସେପଟେ ସିଡିଏ କର୍ତୃପକ୍ଷଙ୍କ ମତକୁ ନେଇ ବଢୁଛି ଦ୍ୱନ୍ଦ୍ୱ ।

ଚିଲିକା ଜୈବ ବିବିଧତା ପ୍ରତି ସଂକଟ ।

1,091

କନକ ବ୍ୟୁରୋ : ଯାନ୍ତ୍ରିକ ତ୍ରୁଟି ଯୋଗୁଁ ରାଜହଂସ ଦ୍ୱୀପଠାରେ ୧୧ ଦିନ ହେଲା ଅଟକି ରହିଛି ମାଲେସିଆ ଜାହାଜ । ଆଉ ଏବେ ଜାହାଜରେ ଥିବା ତେଲ ସୃଷ୍ଟି କରିଛି ବିପଦ । କାର୍ଗୋ ସିପରୁ ତେଲ ବାହାର ନକଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ ବିପଦ ରହିଥିବା କହିଛି ଜଙ୍ଗଲ ଓ ପରିବେଶ ବିଭାଗ । ଅନ୍ୟପଟେ ଚିଲିକା ଉନ୍ନୟନ କର୍ତୃପକ୍ଷ କହିଛନ୍ତି ଚିଲିକା ପ୍ରତି ବିପଦ ନାହିଁ । ଗୋଟିଏ ବିଭାଗର ଦୁଇ ପ୍ରକାର କଥା ଦ୍ୱନ୍ଦ୍ୱ ବଢାଇଛି ।

ବିପଦ ବଢାଉଛି ବିଦେଶୀ ଜାହାଜ । ଚିଲିକା ଜୈବ ବିବିଧତା ପ୍ରତି ସଂକଟ । ଚିଲିକାରେ ଲାଗିଛି ମାଲେସିଆ ଜାହାଜ । ସମୟ ଗଡୁଛି, ଭୟ ବଢୁଛି । କାରଣ ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜାହାଜଟି ଅଟକି ରହିଥିବାବେଳେ ଏଥିରେ ଥିବା ୩୦ ହଜାର ଲିଟର ତେଲ ହିଁ ଚିନ୍ତାର କାରଣ ପାଲଟିଛି । କାର୍ଗୋ ସିପରୁ ତେଲ ବାହାର ନକଲେ ଚିଲିକାର ଜୈବ ବିବିଧତା ପ୍ରତି ବଡ ବିପଦ ରହିଛି । ଏନେଇ ସୂଚନା ଦେଇଛନ୍ତି ଖୋଦ୍ ଜଙ୍ଗଲ ଓ ପରିବେଶ ସଚିବ ସୁରେଶ ମହାପାତ୍ର । କିଭଳି ଜାହାଜଟିରୁ ତେଲ କଢାଯିବ, ସେନେଇ ସଂପୃକ୍ତ କମ୍ପାନି ସହ ସେ କଥା ହୋଇଛନ୍ତି । ଏପରିକି ଶୀଘ୍ର ଏହାକୁ ସ୍ଥାନାନ୍ତର କରାଯିବ ବୋଲି ଆଶ୍ୱାସନା ଦେଇଛନ୍ତି ସଚିବ । ଏଥିପାଇଁ କୋଷ୍ଟଗାର୍ଡ ରାଜ୍ୟ ସରକାରଙ୍କୁ ସତର୍କ କରାଇଥିଲା ।

ଅନ୍ୟପଟେ ଗୋଟିଏ ବିଭାଗରୁ ମିଳିଛି ଦୁଇଟି ମତ । ଦ୍ୱନ୍ଦ୍ୱ ବଢାଉଛନ୍ତି ସିଡିଏ କର୍ତୃପକ୍ଷ । ଜଙ୍ଗଲ ଓ ପରିବେଶ ସଚିବ କହୁଛନ୍ତି ଚିଲିକା ପ୍ରତି ବଡ ବିପଦ ରହିଛି । ଅପରପକ୍ଷରେ ଚିଲିକା ଉନ୍ନୟନ କର୍ତୃପକ୍ଷଙ୍କ ମନ୍ତବ୍ୟ ମାଲେସିଆ ଜାହାଜକୁ ନେଇ ଦ୍ୱନ୍ଦ୍ୱ ବଢାଇଛି । କାରଣ ସିଡିଏର କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି, ଜାହାଜରୁ ତେଲ ଲିକ୍ ହେବା ସମ୍ଭାବନା କମ୍ । ଏହା ଉପରେ ପୁରୀ ଜିଲ୍ଲାପାଳ ସତର୍କ ନଜର ରଖିଛନ୍ତି । ଏବଂ ଷ୍ଟାଣ୍ଡାର୍ଡ ଅପରେଟିଂ ପ୍ରୋସିଡିଓର ଅନୁସାରେ କାମ ହେଉଛି ।

ଯାନ୍ତ୍ରିକ ତୃଟି କାରଣରୁ ଗତ ୭ ତାରିଖରୁ ମାଲେସିଆର କାର୍ଗୋ ଜାହାଜଟି ଚିଲିକାର ରାଜହଂସରେ ପଡି ରହିଛି । ଏଥିରେ ୩୦ ହଜାର ଲିଟର ଡିଜେଲ ମହଜୁଦ ରହିଛି । ସେହିପରି ୧ହଜାର ଲିଟର ଲ୍ୟୁବ୍ ଅଏଲ ଓ ୨୦୦ ଲିଟର ହାଇଡ୍ରୋଲିକ୍ ଅଏଲ ମଧ୍ୟ ଅଛି ।

ଏପଟେ ଆଜି ରାଜ୍ୟ ଆଦ୍ରଭୂମି ପ୍ରାଧିକରଣ ବୈଠକରେ ଚିଲିକା ପାଇଁ ଏକ ପଂଚବାର୍ଷିକ ଯୋଜନା କରିଛନ୍ତି ସରକାର । ଚିଲିକା ହ୍ରଦର ସମନ୍ୱିତ ପରିଚାଳନା ପାଇଁ ୧୫୮ କୋଟିର ବ୍ୟୟ ଅଟକଳକୁ ଅନୁମୋଦନ କରାଯାଇଛି । ଏହା ଫଳରେ ଚିଲିକା ପାଶ୍ୱର୍ରେ ଥିବା ୧୫୧ଟି ଗାଁର ପ୍ରାୟ ୨ଲକ୍ଷ ମତ୍ସ୍ୟଜୀବୀଙ୍କୁ ଜୀବିକା ମିଳିବ । ଏପରିକି ଚିଲିକା ହ୍ରଦର ପରିବେଶ ସନ୍ତୁଳନ ରକ୍ଷା ହୋଇପାରିବ ବୋଲି ଗଣମାଧ୍ୟମକୁ ସୂଚନା ଦିଆଯାଇଛି ।