ଟ୍ରାଫିକ୍ ଜଗିଛି ସିସିଟିଭି । ନିୟମ ଉଂଲଘନକାରୀଙ୍କୁ ଧରିଲା କ୍ୟାମେରା, ଟିଭିଡିଏସ୍ ଜରିଆରେ ୨ ଦିନରେ କଟିଲା ୯୫ ଜଣଙ୍କ ଚାଲାଣ ।

309

କନକ ବ୍ୟୁରୋ : ଆପଣ ରାଜଧାନୀ ରାସ୍ତାରେ ଗାଡ଼ି ଚଳାଉଛନ୍ତି କି ? ଯଦି ହଁ, ତେବେ ସାବଧାନ ହୋଇ ଯାଆନ୍ତୁ । କାରଣ ଆପଣଙ୍କ ଗାଡ଼ି ଚାଳନାର ସମସ୍ତ ଗତିବିଧି ଉପରେ ରହୁଛି ସିସିଟିଭିର ନଜର । ଟ୍ରାଫିକ୍ ପୁଲିସ୍ ନାହାନ୍ତି ଭାବି ଆପଣ ଯଦି ଖାମଖିଆଲି ଭାବେ ଗାଡ଼ି ଚଳାଉଛନ୍ତି କିମ୍ବା ନିୟମ ଉଲଂଘନ କରୁଛନ୍ତି, ତେବେ ଆପଣଙ୍କ ନାଁରେ ହେବ ଜରିମାନା । ଆଉ ଆପଣଙ୍କ ଘରେ ପହଂଚିଯିବ ଚାଲାଣ । କାରଣ, ନୂଆ ନିୟମ ଲାଗୁ ହେବା ପରେ ଭୁବନେଶ୍ୱରରେ ଆରମ୍ଭ ହୋଇଛି ଟିଭିଡିଏସ୍ ବ୍ୟବସ୍ଥା ।

ଗାଡ଼ି ଚାଳକ ସାବଧାନ ! ସିସିଟିଭି ଜଗିଛି ଟ୍ରାଫିକ୍ ପୋଷ୍ଟ । ନଜର ପକାନ୍ତୁ ସିସିଟିଭିରେ କଏଦ୍ ହୋଇଥିବା ଏହି ଚିତ୍ର ଉପରେ । ଟ୍ରାଫିକ୍ ପୋଷ୍ଟରେ ନାଳିବତି ଜଳିଲା ବେଳକୁ ସେ ଅତିକ୍ରମ କରିଯାଇଥିଲେ ଟ୍ରାଫିକ୍ ପୋଷ୍ଟ । ଫଳ ସ୍ୱରୁପ ପ୍ରେମାନନ୍ଦ ମହାନ୍ତିଙ୍କ ନାଁରେ ପହଞ୍ଚିଥିଲା ହଜାରେ ଟଙ୍କାର ଜରିମାନା । ଆଉ ଇଏ ହେଉଛି ତା’ର ଚିଠା । ଯଦି ଆପଣ ଭାବୁଛନ୍ତି ଟ୍ରାଫିକ୍ ପୋଷ୍ଟରେ କେହି ନାହାନ୍ତି ଏବଂ ଆପଣଙ୍କୁ କେହି ଦେଖୁନାହାନ୍ତି, ତାହେଲେ ପ୍ରେମାନନ୍ଦଙ୍କ ଭଳି ଆପଣଙ୍କ ଘରକୁ ବି ପହଞ୍ଚିଯାଇପାରେ ଫାଇନ୍ । କାରଣ, ଆପଣଙ୍କ ଗତିବିଧି ଉପରେ ରହିଛି ସିସିଟିଭିର ନଜର ।

ପ୍ରଥମ ପର୍ଯ୍ୟାୟରେ ଏହି ଟିଭିଡିଏସ୍ ବା’ ଟ୍ରାଫିକ୍ ଭାଓଲେସନ୍ ଡିଟେକସନ୍ ସିଷ୍ଟମ୍, ଭୁବନେଶ୍ୱର ରୁପାଲି ଛକ ଟ୍ରାଫିକରେ କାର୍ଯ୍ୟକାରୀ ହୋଇଥିବା ବେଳେ ପର୍ଯ୍ୟାୟକ୍ରମେ ଏହା ରାଜଧାନୀର ସମସ୍ତ ଟ୍ରାଫିକ୍ ଛକରେ କାର୍ଯ୍ୟକ୍ଷମ ହେବ । ଆଉ ଏହାରି ଭିତରେ ସହର ଭିତରେ ଏବଂ ରାଜପଥ ଉପରେ କେତେ ସ୍ପିଡ୍ ବା ଗତିରେ ଗାଡ଼ି ଚଳାଇବେ ସେ ନେଇ ମଧ୍ୟ ନିର୍ଦ୍ଦେଶନାମା ଜାରି ହୋଇଛି ।

-ଦୁଇ ଚକିଆ, ଚାରି ଚକିଆ ଏବଂ ହେଭି ଭେଇକିଲ ପାଇଁ ରହିଛି ଭିନ୍ନ ଭିନ୍ନ ସ୍ପିଡ୍ ଲିମିଟ୍
-ସ୍କୁଲ, କଲେଜ ନିକଟରେ ଗାଡ଼ିର ଗତି କେତେ ରହିବ ତାହା ସୂଚନାଫଳକ ଦିଆଯାଇଛି
-ସହର ଭିତରେ ସର୍ବାଧିକ ୫୦ କିଲୋମିଟର ଓ ରାଜପଥରେ ୭୦ କିଲୋମିଟର ମଧ୍ୟରେ ବେଗ ରହିବ

ଆଉ ଏସବୁ ଭିତରେ ଡିସେମ୍ବର ପହିଲାରୁ ଲାଗୁ ହୋଇଥିବା ନୂଆ ଟ୍ରାଫିକ୍ ନିୟମ ଅନୁସାରେ ସାରା ରାଜ୍ୟରେ ଧରପଗଡ଼ ଆରମ୍ଭ ହୋଇଛି । ବିପରୀତ ଗତିରେ ଗାଡ଼ି ଚାଳନା, ହେଲମେଟ୍ ନପିନ୍ଧି ଗାଡ଼ି ଚାଳନା, ଦ୍ରୁତଗତିରେ ଗାଡ଼ି ଚାଳନା ଏବଂ ମଦପିଈ ଗାଡ଼ି ଚାଳନା ଆଦି କାରଣରୁ ଫାଇନ୍ କରିଛି ଟ୍ରାଫିକ୍ ପୁଲିସ୍ ।