ଖୋଲିବ ଆଇଏନଏକ୍ସର ଗୁମର । ଜାଲ ବିଛାଇଛି ସିବିଆଇ, ଦୁର୍ନୀତି ଧରିବା ପାଇଁ ୫ ଦେଶକୁ ଲେଖିଲା ଚିଠି

167

କନକ ବ୍ୟୁରୋ : ଆଇଏନଏକ୍ସ ମିଡିଆ ମାମଲାରେ ୫ଟି ଦେଶକୁ ଚିଠି ଲେଖିଲା ସିବିଆଇ । ସୂଚନା ଅନୁସାରେ ସିବିଆଇ ଇଂଲଣ୍ଡ, ମରିସସ୍, ବରମୁଡା, ସୁଇଜରଲ୍ୟାଣ୍ଡ ଓ ସିଙ୍ଗାପୁରକୁ ଚିଠି ଲେଖିଛି । ଆଇଏନଏକ୍ସ ମିଡିଆ ମାମଲାରେ କେଉଁ କେଉଁ ରାସ୍ତାରେ ଅର୍ଥ କାରବାର ହୋଇଥିଲା, ସେ ନେଇ ଅଧିକ ସୂଚନା ଜାଣିବାକୁ ଏହି ଚିଠି ଲେଖାଯାଇଥିବା କୁହାଯାଇଛି । ଏହି ମାମଲାରେ ସିବିଆଇ ଗୁରୁବାର ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ କରିଥିଲା । ୨୬ ତାରିଖ ପର୍ଯ୍ୟନ୍ତ ସିବିଆଇ ରିମାଣ୍ଡରେ ରହିବେ ଚିଦାମ୍ବରମ୍ ।

ସେପଟେ ଇଡି ମାମଲାରେ ୨୬ ତାରିଖ ଯାଏଁ ସୁପ୍ରିମକୋର୍ଟ ପ୍ରଦାନ କରିଛନ୍ତି ଅନ୍ତରୀଣ ସୁରକ୍ଷା । ଫଳରେ ଏହି ସମୟ ମଧ୍ୟରେ ତାଙ୍କୁ ଇଡି ଗିରଫ କରିପାରିବ ନାହିଁ । ଶୁକ୍ରବାର କୋର୍ଟରେ ଶୁଣାଣି ବେଳେ ଇଡି କୋର୍ଟଙ୍କ ନିକଟରେ ନୂଆ ତଥ୍ୟ ରଖିଛି । ପୁଅ କାର୍ତିଙ୍କୁ ସ୍ୱତନ୍ତ୍ର ସୁବିଧା ଯୋଗାଇବାକୁ ଚିଦାମ୍ବରମ ଆଇଏନଏକ୍ସ ମିଡିଆର ସେତେବେଳର ପ୍ରମୋଟର ପିଟର ଓ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କହିଥିଲେ ବୋଲି ଇଡି ଜଣାଇଛି । ଏହାସହ ବିଦେଶରେ ଚିଦାମ୍ବରଙ୍କ ୧୧ଟି ସ୍ଥାବର ସମ୍ପତି ଓ ୧୭ଟି ବ୍ୟାଙ୍କ ଆକାଉଂଟ ଥିବା କୋର୍ଟଙ୍କୁ ଜଣାଇଛି ଇଡି ।