ବୋଫୋର୍ସ ଦୁର୍ନୀତିର ପୁଣି ଥରେ ହେବ ତଦନ୍ତ: ଅନୁମତି ମିଳିଲେ ସୁପ୍ରିମକୋର୍ଟରେ ଆବେଦନ କରିବ ସିବିଆଇ

30

କନକ ବ୍ୟୁରୋ: ରାଜନୈତିକ ରୁପରେ ସମ୍ବେଦନଶୀଳ ବୋଫୋର୍ସ ଦୁର୍ନୀତି ମାମଲାର ପୁଣି ଥରେ ତଦନ୍ତ ହେବ ବୋସି କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ ସଙ୍କେତ ଦେଇଛି । ଏହି ମାମଲାର ପୁଣି ଥରେ ତଦନ୍ତ କରିବାକୁ ସିବିଆଇ ସଂସଦୀୟ କମିଟିକୁ ପ୍ରସ୍ତାବ ଦେଇଛି । କେନ୍ଦ୍ରର ଆଇନ ମନ୍ତ୍ରାଳୟର ଅନୁମତି ମିଳିବା ପରେ ସିବିଆଇ ତଦନ୍ତର ପ୍ରକ୍ରିୟାଗତ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିବ । ସିବିଆଇ ଏହାର ତଦନ୍ତ ଆରମ୍ଭ କରିବାକୁ ସୁପ୍ରିମକୋର୍ଟରେ ଆବେଦନ କରିବାକୁ ଗତମାସରେ ଅନୁଷ୍ଠିତ ସଂସଦୀୟ କମିଟିର ଅଧିକାଂଶ ସଦସ୍ୟ ମତ ଦେଇଥିଲେ । ଏନେଇ ସୁପ୍ରିମକୋର୍ଟରେ ରହିଥିବା ସ୍ୱତନ୍ତ୍ର ଲିଭ୍ ପିଟିସନକୁ ସିବିଆଇ ସମର୍ଥନ କରୁଥିବା କମିଟିକୁ ଜଣାଇଛି ।

ଭାରତୀୟ ସେନାବାହିନୀକୁ ୪୦୦ଟି ୧୫୫ଏମଏମ୍ ହୋଓ୍ଵିଜର ତୋପ ଯୋଗାଇବା ପାଇଁ ୧୯୮୬ ମାର୍ଚ୍ଚ ୨୪ରେ ଭାରତ ଓ ସ୍ୱିଡେନର ଏବି ବୋଫୋର୍ସ ମଧ୍ୟରେ ଏକ ହଜାର ୪୩୭ କୋଟିର ଚୁକ୍ତି ହୋଇଥିଲା । ଏହି ଚୁକ୍ତି ପାଇଁ ବୋଫୋର୍ସ କଂପାନୀ ଭାରତୀୟ ରାଜନେତା ଓ ପ୍ରତିରକ୍ଷା ଅଧିକାରୀଙ୍କୁ ୬୪କୋଟି ଟଙ୍କା ଲାଞ୍ଚ ଯୋଗାଇଥିବା ୧୯୮୭ ଏପ୍ରିଲ ୧୬ରେ ସ୍ୱିଡିଶ ରେଡିଓ ପ୍ରସାରଣ କରିଥିଲା । ଏହାକୁ ନେଇ ୧୯୯୦ ଜାନୁଆରି ୨୨ରେ ସିବିଆଇ ଏବି ବୋଫୋର୍ସର ତତ୍କାଳୀନ ସଭାପତି ମାର୍ଟିନ ଆର୍ଡବୋ, ଦଲାଲ ଓ୍ଵିନ ଚଢା ଓ ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ସିବିଆଇ ଅପରାଧିକ ଷଡ଼ଯନ୍ତ୍ର, ଠକେଇ ନେଇ ମାମଲା ରୁଜୁ କରିଥିଲା । ୧୯୯୯ ଅକ୍ଟୋବର ୨୨ରେ ଚଢା, ଇଟାଲୀୟ ବ୍ୟବସାୟୀ ଓଟାଭିଓ କ୍ୱାତ୍ରୋଚି, ତତ୍କାଳୀନ ପ୍ରତିରକ୍ଷା ସଚିବ ଏସ୍ କେ ଭଟ୍ଟନାଗର, ଆର୍ଡବୋ ଏବଂ ବୋଫୋର୍ସ କଂପାନୀ ବିରୋଧରେ ପ୍ରଥମ ଚାର୍ଜସିଟ ଦାଖଲ କରାଯାଇଥିଲା ।

୨୦୦୦ ଅକ୍ଟୋବର ୯ରେ ହିନ୍ଦୁଜା ଭ୍ରାତାଙ୍କ ବିରୋଧରେ ଅତିରିକ୍ତ ଚାର୍ଜସିଟ ଦାଖଲ କରାଯାଇଥିଲା । ମାମଲାର ଅଭିଯୁକ୍ତ କ୍ୱାତ୍ରୋଚି, ଭଟ୍ଟନାଗର, ଚଢା ଓ ଆର୍ଡବୋ ପ୍ରାଣ ହରାଇସାରିଥିବାରୁ ସିବିଆଇର ଆବେଦନ କ୍ରମେ ୨୦୧୧ ମାର୍ଚ୍ଚ ୫ରେ ଏହି ମାମଲା ବନ୍ଦ ହୋଇଯାଇଥିଲା । ତେବେ ସିବିଆଇ ଓ ଅଭିଯୁକ୍ତଙ୍କ ମଧ୍ୟରେ ବୁଝାମଣା ହୋଇଥିବା ଅଭିଯୋଗ କରି ଦିଲ୍ଲୀ ହାଇକୋର୍ଟଙ୍କ ୨୦୦୫ ଅକ୍ଟୋବର ୧୮ ରାୟ ବିରୋଧରେ ଆବେଦନ କରାଯାଇନଥିବା ଦର୍ଶାଇ ବିଜେପି ନେତା ଅଜୟ ଅଗ୍ରଓ୍ଵାଲ ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ । ଦିଲ୍ଲୀ ହାଇକୋର୍ଟଙ୍କ ରାୟ ବିରୋଧରେ ଆବେଦନ କରିବାକୁ କଂଗ୍ରେସ ସରକାର ଅନୁମତି ପ୍ରଦାନ କରିନଥିବା ୨୦୧୬ରେ ସିବିଆଇ ସୁପ୍ରିମ କୋର୍ଟଙ୍କୁ ଜଣାଇଥିଲା ।