ଯେକୌଣସି ମୁହୂର୍ତ୍ତରେ ଗିରଫ ହୋଇପାରନ୍ତି ମମତାଙ୍କ ବିଶ୍ୱସ୍ତ ଅଫିସର ରାଜୀବ କୁମାର, ଲୁକ ଆଉଟ ନୋଟିସ ଜାରି କଲା ସିବିଆଇ ।

407

ମମତାଙ୍କ ବିଶ୍ୱସ୍ତ ଅଫିସର ତଥା କୋଲକାତାର ପୂର୍ବତନ ପୋଲିସ ଅଫିସର ରାଜୀବ କୁମାରଙ୍କ ବିରୋଧରେ ଲୁକଆଉଟ ନୋଟିସ ଜାରି କରିଛି ସିବିଆଇ । ଏହାଫଳରେ ରାଜୀବ କୁମାରଙ୍କ ବିଦେଶ ଯାତ୍ରା ପୂର୍ବରୁ ସିବିଆଇକୁ ସୂଚନା ଦେବେ ବିମାନବନ୍ଦର କର୍ତ୍ତୃପକ୍ଷ । ମେ ୨୩ରେ ରାଜୀବଙ୍କ ବିରୋଧରେ ଏହି ଲୁକ ଆଉଟ ନୋଟିସ ଜାରି କରିଛି ସିବିଆଇ ।

ନିର୍ବାଚନ ପୂର୍ବରୁ ଚର୍ଚ୍ଚାରେ ରହିଥିବା ରାଜୀବ କୁମାରଙ୍କ ବିରୋଧରେ ଶାରଦା ଓ ରୋଜଭ୍ୟାଲି ଚିଟଫଣ୍ଡ ଯାଞ୍ଚକୁ ଠିକ୍ ଭାବେ କରିନଥିବା ଅଭିଯୋଗ ରହିଥିଲା । ଏପରିକି ଚିଟଫଣ୍ଡ ଅଭିଯୁକ୍ତଙ୍କୁ ସୁରକ୍ଷା ଦେବାକୁ ପ୍ରମାଣ ନଷ୍ଟ କରିଥିବାର ଅଭିଯୋଗ ରହିଛି । ତେଣୁ ଏହି ମାମଲାରେ ପଚରାଉଚରା କରିବା ପାଇଁ ସିବିଆଇ ରାଜୀବଙ୍କୁ ଗିରଫ କରିବାକୁ ଚାହୁଁଛି । ପୂର୍ବରୁ ରାଜୀବ କୁମାରଙ୍କୁ ଗିରଫଦାରୀ ଉପରେ ମେ ୨୪ ଯାଏଁ ରୋକ ଲଗାଇଥିଲେ ସୁପ୍ରିମକୋର୍ଟ । କିନ୍ତୁ ଏହି ସମୟସୀମା ସରିବା ପରେ ରାଜୀବଙ୍କ ବିରୋଧରେ ଲୁକ୍ ଆଉଟ ନୋଟିସ ଜାରି କରାଯାଇଛି ।

ଲୁକଆଉଟ ନୋଟିସ ଜାରି କରାଯିବା ପରେ ରାଜୀବ କୁମାରଙ୍କୁ ଯେକୌଣସି ମୁହୂର୍ତ୍ତରେ ଗିରଫ କରିପାରେ ପୋଲିସ । ଏପରିକି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇ ରାଜୀବ କୁମାରଙ୍କ ତଲାସି କରାଯାଉଛି । ପୂର୍ବରୁ ଏହି ମାମଲାରେ ରାଜୀବ କୁମାରଙ୍କୁ ପଚରାଉଚରା କରିବାକୁ ଯିବା ବେଳେ ପଶ୍ଚିମବଙ୍ଗ ପୋଲିସ ଓ ସିବିଆଇ ଅଧିକାରୀଙ୍କ ମଧ୍ୟରେ ଗଣ୍ଡଗୋଳ ପରିସ୍ଥିତି ଦେଖିବାକୁ ମିଳିଥିଲା । ଏପରିକି ସିବିଆଇ ଅଧିକାରୀଙ୍କୁ ପୋଲିସ ନିଜ ହେପାଜତକୁ ନେବାକୁ ମଧ୍ୟ ପଛାଇ ନଥିଲା । ଯାହାକୁ ନେଇ ବିବାଦ ଦେଖା ଦେଇଥିଲା ।