ସିବିଆଇ ବିବାଦରେ ପ୍ରତ୍ରିକ୍ରିୟା ଦେଲେ କେନ୍ଦ୍ର ସରକାର । ଜେଟଲୀ କହିଲେ ଏହାର ତଦନ୍ତ କରିବ ଏସଆଇଟି, ସେପଟେ ଆଲୋକ ଓ ରାକେଶଙ୍କୁ ଛୁଟିରେ ପଠାଇଲେ କେନ୍ଦ୍ର ସରକାର

29

କନକ ବ୍ୟୁରୋ : ସିବିଆଇ ନର୍ଦ୍ଦେଶକ ଆଲୋକ ବର୍ମାଙ୍କୁ ଛୁଟିରେ ପଠାଇବା ପରେ ପ୍ରତିକ୍ରିୟା ରଖିଛନ୍ତି କେନ୍ଦ୍ର ସରକାର । କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ପ୍ରେସମିଟ୍ କରି କହିଛନ୍ତି ସିବିଆଇ ଦେଶର ସର୍ବୋଚ୍ଚ ତଦନ୍ତକାରୀ ସଂସ୍ଥା । ତେଣୁ ଏହି ତଦନ୍ତକାରୀ ସଂସ୍ଥାର ସର୍ବୋଚ୍ଚ ଅଧିକାରୀଙ୍କ ଯାଂଚ କେନ୍ଦ୍ର ସରକାର କରିବେନି । ସେଣ୍ଟରାଲ ଭିଜିଲାନ୍ସ କମିଶନ ତଦନ୍ତ କରିବେ । ସ୍ପେଶାଲ ଇନଭେଷ୍ଟିଗେଟିଂ ଟିମ୍ ଏହି ବିବାଦର ତଦନ୍ତ କରିବ । ଅନ୍ୟପଟେ ବିରୋଧୀ ଆଣିଥିବା ସମସ୍ତ ଅଭିଯୋଗକୁ ଭିତିହୀନ ବୋଲି କହିଛନ୍ତି କେନ୍ଦ୍ର ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ । ତେବେ ପ୍ରଥମ ଥର ଏପରି ଭାବରେ ସୁପ୍ରିମକୋର୍ଟ ଯାଇଛି ସିବିଆଇ ବିବାଦ ।

 

ଛୁଟିରେ ପଠାଯିବା ନିର୍ଦ୍ଦେଶକୁ ବିରୋଧ କରି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି ନିର୍ଦ୍ଦେଶକ ଆଲୋକ ବର୍ମା । ବର୍ମାଙ୍କ ଆବେଦନ ଉପରେ ଆସନ୍ତା ଶୁକ୍ରବାର ଶୁଣାଣି କରିବେ ସର୍ବୋଚ୍ଚ ନ୍ୟାୟାଳୟ । ବିବାଦ ପରେ ରାତି ଅଧିଆ ସିବିଆଇ ନିର୍ଦ୍ଦେଶକ ଆଲୋକ ବର୍ମା ଓ ସ୍ୱତନ୍ତ୍ର ନିର୍ଦ୍ଦେଶକ ରାକେଶ ଆସ୍ଥାନାଙ୍କୁ ଆଜିଠାରୁ ଛୁଟିରେ ପଠାଇ ଦେଇଛନ୍ତି କେନ୍ଦ୍ର ସରକାର । ଏବଂ ନାଗେଶ୍ୱର ରାଓଙ୍କୁ ଅନ୍ତରୀଣ ନିର୍ଦ୍ଦେଶକ ଭାବେ ନିଯୁକ୍ତ କରାଯାଇଛି । ନାଗେଶ୍ୱର ଆଜି ସକାଳୁ କାର୍ଯ୍ୟଭାର ଗ୍ରହଣ କରିଛନ୍ତି । ଏହା ସହିତ ସିବିଆଇ କାର୍ଯ୍ୟାଳୟର ୧୦ମ ଓ ୧୧ତମ ଫ୍ଲୋରକୁ ବନ୍ଦ୍ କରି ଦିଆଯାଇଛି । ସେହିପରି ଅରୁଣ ଶର୍ମାଙ୍କୁ ଆଂଟି କରପ୍ସନ ହେର୍ଡକ୍ୱାର୍ଟରରୁ ହଟାଇ ଦିଆଯାଇଛି । ଏସି-ଥ୍ରୀର ଡିଆଇଜି ମନୀଷ ସିହ୍ନାଙ୍କୁ ବି ତାଙ୍କ ପଦରୁ ହଟାଇ ଦିଆଯାଇଥିବା ସୂଚନା ମିଳିଛି ।

 

ତେବେ ସିବିଆଇ ଇତିହାସରେ ଆରମ୍ଭ ହୋଇଛି ବଡ ବିବାଦ । ଯାହା ଆଗରୁ କେବେ ଘଟିନଥିଲା । ଏହି ଜାତୀୟ ତଦନ୍ତକାରୀ ସଂସ୍ଥାର ସର୍ବୋଚ୍ଚ ଅଧିକାରୀଙ୍କ ବିରୋଧରେ ଯେଉଁ ଦୁର୍ନୀତି ଭଳି ସଙ୍ଗୀନ ଅଭିଯୋଗ ହୋଇଛି ତାହା ଆଗରୁ କେବେ ହୋଇନଥିଲା । ସିବିଆଇର ନମ୍ବର ୱାନ ଅଧିକାରୀ ତଥା ନିର୍ଦ୍ଦେଶକ ଆଲୋକ ବର୍ମା ଓ ସିବିଆଇ ଉପ-ନିର୍ଦ୍ଦେଶକ ରାକେଶ ଆସ୍ଥାନା ମଧ୍ୟରେ ଆରମ୍ଭ ହୋଇଛି ଲଢ଼େଇ । ଆସ୍ଥାନାଙ୍କ ନାଁରେ ଦୁର୍ନୀତି ଅଭିଯୋଗ ଆସିଛି । ଆସ୍ଥାନା ମାଂସ ବ୍ୟବସାୟୀ ମୋଇନ କ୍ୟୁରେସିଙ୍କ ଠାରୁ ଦୁଇ କୋଟି ଲାଂଚ ନେଇଥିବାର ଅଭିଯୋଗ ନେଇ ଏଫଆଇଆର ରୁଜୁ କରିଛି ସିବିଆଇ ।

 

ମୋଇନ କୁୟରେସୀର ସହଯୋଗୀ ସତୀଶ ସାନା ଆସ୍ଥାନାଙ୍କୁ ୩ କୋଟି ଟଙ୍କାର ଲାଂଚ ଦେଇଥିବା ଅଭିଯୋଗ ରହିଛି । ଏଫଆଇଆର ପରେ ମାମଲାକୁ ଫାଷ୍ଟଟ୍ରାକ୍ କୋର୍ଟକୁ ପଠାଇ ଦେଇଛି ସିବିଆଇ । ତେବେ ରାକେଶଙ୍କୁ ସୋମବାର ପର୍ଯ୍ୟନ୍ତ ଗିରଫ ନକରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଦିଲ୍ଲୀ ହାଇକୋର୍ଟ । ଅନ୍ୟପଟେ ରାକେଶ ଆସ୍ଥାନାଙ୍କ ପାଇଁ ଅଡୁଆ ବଢ଼ିବାରେ ଲାଗିଛି । ଦୁର୍ନୀତି ଅଭିଯୋଗ ପରେ ତାଙ୍କ ନାଁରେ ଜବରଦସ୍ଥ ଟଙ୍କା ଅସୁଲ କରୁଥିବା ଅଭିଯୋଗ କରି ଏଫଆଇଆର ଦାଖଲ କରିଛି ସିବିଆଇ । ସିବିଆଇ ଭଳି କେନ୍ଦ୍ରୀୟ ସଂସ୍ଥାରେ ଏଭଳି ଅଫିସର ଲଢେଇକୁ ନେଇ ସାରା ଦେଶ ସ୍ତମ୍ଭୀଭୂତ ହୋଇଯାଇଛି ।