ଝାରଖଣ୍ଡ ଭିଡ ହିଂସା ଉପରେ ଟିକ୍ ଟିକ୍ ଭିଡିଓ କରିବା ପଡିଲା ମହଙ୍ଗା, ୟୁଜରଙ୍କ ବିରୁଦ୍ଧରେ ମାମଲା ରୁଜୁ

219

ଟିକ୍ ଟକ୍ ଭିଡିଓ କରି ଅଡୁଆରେ ପଡିଛନ୍ତି ମୁମ୍ବାଇର ଜଣେ ୟୁଜର । ଝାରଖଣ୍ଡରେ ଭିଡ ହିଂସାର ଶିକାର ହୋଇଥିବା ତବରେଜ୍ ଅଂସାରୀଙ୍କ ସମର୍ଥନରେ ଆପତ୍ତିଜନକ ଭିଡିଓ ତିଆରି କରିବା ମହଙ୍ଗା ପଡିଛି । ଅଭିଯୋଗ ପରେ ମୁମ୍ବାଇ ପୁଲିସ ତାଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ମିଳିଥିବା ସୂଚନା ମୁତାବକ, ଟିକ୍ ଟକ୍ ୟୁଜର ତବରେଜ୍ ଅଂସାରୀଙ୍କ ସମର୍ଥନରେ ଯେଉଁ ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଥିଲେ, ତାହା ଭାଇରାଲ ହୋଇଯାଇଥିଲା । ସେହି ଭିଡିଓରେ ଆପତ୍ତିଜନକ ଶବ୍ଦର ବ୍ୟବହାର କରିଥିଲେ ୟୁଜର ।

ଝାରଖଣ୍ଡ ଭିଡ ହିଂସାରେ ମୃତ ତବରେଜ୍ ଅଂସାରୀଙ୍କ ଉପରେ ତିଆରି ହୋଇଥିବା ଭିଡିଓରେ ୟୁଜର ହିଂସାତ୍ମକ ଶବ୍ଦର ପ୍ରୟୋଗ କରିଛନ୍ତି । ଏହା ସହିତ ଭିଡିଓରେ ତବରେଜ୍ ଅଂସାରୀଙ୍କ ମୃତ୍ୟୁର ପ୍ରତିଶୋଧ ନେବା କଥା ମଧ୍ୟ କହିଛନ୍ତି । ସେ କହିଛନ୍ତି କି, “ ତବରେଜକୁ ମାରିଦେଲ, ହେଲେ କାଲି ଯେତେବେଳେ ତା’ ପୁଅ ଏହାର ପ୍ରତିଶୋଧ ନେବ, ତେବେ କହିବନି କି ମୁସଲମାନ ଆତଙ୍କବାଦୀ ବୋଲି” । ଭିଡିଓରେ ସେ ନିଜ ସାଙ୍ଗ ମାନଙ୍କ ସହିତ ଥିବା ଓ ଆପତ୍ତିଜନକ କଥା କହୁଥିବାର ନଜର ଆସିଛନ୍ତି । ଏହି ମାମଲାରେ ଶିବସେନା କାର୍ଯ୍ୟକର୍ତ୍ତା ରମେଶ ସୋଲଙ୍କୀ ପୁଲିସରେ ଲିଖିତ ଅଭିଯୋଗ ଦାଖଲ କରିଛନ୍ତି ।

ୟୁଜର ଭିଡିଓକୁ ଡିଲିଟ୍ କରି କ୍ଷମା ମାଗିଛନ୍ତି । କିନ୍ତୁ ଅଭିଯୋଗକାରୀ ଏହି ମାମଲାରେ ଦୋଷୀଙ୍କ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବାକୁ କହିଛନ୍ତି । ମୁମ୍ବାଇ ପୁଲିସର ସାଇବର ସେଲ ଏହି ଭିଡିଓକୁ ନେଇ ଟିକ୍ ଟକ୍ ୟୁଜରଙ୍କ ବିରୁଦ୍ଧରେ ମାମଲା ରୁଜୁ କରିଛି । ଏହି ସଂପର୍କରେ ଆଇପିସିର ଧାରା ୧୫୩(ଏ) ଅଧିନରେ ମାମଲା ରୁଜୁ କରାଯାଇଛି ।