ସମ୍ବଲପୁର ବତେଗୁଡାରେ ମର୍ମନ୍ତୁଦ ସଡକ ଦୁର୍ଘଟଣା ! ଗଛରେ ପିଟିହେଲା ଭ୍ୟାନ, ୪ମୃତ, ୨ଗୁରୁତର

30

କନକ ବ୍ୟୁରୋ: ଆଜି ସକାଳୁ ୩ଟି ଦୁର୍ଘଟଣାରେ ୮ଜଣଙ୍କର ମୃତ୍ୟୁ ହୋଇଛି । ସମ୍ବଲପୁର ବତେଗୁଡାରେ ଗଛର ମାରୁତି ଭ୍ୟାନ ପିଟି ହେବା ଯୋଗୁଁ ଦୁର୍ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ହେବା ସହ ୨ଜଣ ଗୁରୁତର ଆହତ ହୋଇଛନ୍ତି । ସେପଟେ ଖୋର୍ଦ୍ଧାରେ ମଧ୍ୟ ଦୁର୍ଘଟଣା ଘଟିଛି । ଏକ ଟ୍ରାକ୍ଟର ଉପରେ ହାଇୱା ଚଢିଯିବାରୁ ଘଟଣାସ୍ଥଳରେ ୩ଜଣଙ୍କର ମୃତ୍ୟୁ ହୋଇଛି ।

ସୂଚନା ଅନୁଯାୟୀ, ରାୟଗଡ଼ା ଜିଲ୍ଲା କାଶିପୁର ପିଡବ୍ଲ୍ୟୁଡି ବିଭାଗର କନିଷ୍ଠ ଯନ୍ତ୍ରୀ ଗୋପୀନାଥ କିଷାନ ନିଜ ପରିବାର ସହିତ ନୂଆଖାଇ ଉପଲକ୍ଷେ ଏକ ଭ୍ୟାନରେ ନିଜ ପୈତୃକ ଗ୍ରାମ ଗଡ଼ପୋଷ ଥାନା ଅନ୍ତର୍ଗତ ଘନସରା ଗାଁକୁ ଆସୁଥିଲେ । ସୋନପୁର- ସମ୍ବଲପୁର ୧୫ ନମ୍ବର ଜାତୀୟ ରାଜପଥର ଖୁଣ୍ଟି ନିକଟରେ ଡ୍ରାଇଭର ଭାରସାମ୍ୟ ହରାଇ ଗାଡ଼ିକୁ ଏକ ଗଛରେ ପିଟି ଦେଇଥିଲେ ।

ଫଳରେ ଘଟଣାସ୍ଥଳରେ ଡାଇଭର ସଞ୍ଜୟ ମଟାଙ୍ଗୀ, ଗୋପୀନାଥଙ୍କ ପତ୍ନୀ ତପସ୍ୱିନୀ କିଷାନ, ମାଉସୀ ବୀଣାପାଣି କିଷାନ ଓ ଗୋପିନାଥଙ୍କ ଦେଢ଼ବର୍ଷର ଝିଅ ଜ୍ଞାନଦା କିଷାନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା । ଗୋପୀନାଥ ଓ ଅନ୍ୟ ଜଣେ ଡ୍ରାଇଭର ମଦନ ନାୟକଙ୍କୁ ଉଦ୍ଧାର କରାଯାଇ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି ।

ସେପଟେ, ଖୋର୍ଦ୍ଧା ଥାନା ଅନ୍ତର୍ଗତ ଗଡ଼ଖୋର୍ଦ୍ଧା ନିକଟରେ ମଧ୍ୟ ଏକ ଟ୍ରାକ୍ଟର ଉପରେ ଡମ୍ପର ଚଢ଼ିଯିବାରୁ  ଘଟଣାସ୍ଥଳରେ ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨ ଜଣ ଗୁରୁତର ଭାବେ ଆହତ ହୋଇଛନ୍ତି । ଖବରପାଇ ପୁଲିସ ଓ ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ମୃତାହତମାନଙ୍କୁ ଉଦ୍ଧାର କରିଛନ୍ତି । ମୃତ୍ୟୁବରଣ କରିଥିବା ବ୍ୟକ୍ତିମାନେ ଟ୍ରାକ୍ଟରରେ ଥିବା ସନ୍ଦେହ କରାଯାଉଛି । ସେମାନଙ୍କ ପରିଚୟ ଏ ପର୍ଯ୍ୟନ୍ତ ମିଳି ନାହିଁ ।

ସେହିପରି, ରାଜଗାଙ୍ଗପୁର କାଂଶବାହାଲରେ ସକାଳୁ ଜଣେ ସାଇକେଲ ଆରୋହୀଙ୍କ ଉପରେ ବସ୍ ମାଡି ଯିବାରୁ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଛି ।