ଆଗେ ଆଗେ ସିଂହ ଭଳି ପରେଡ୍ କରିବେ କ୍ୟାପଟେନ୍ ସେରଗିଲ୍ , ପଛେ ପଛେ ଅନୁସରଣ କରିବେ ସ୍ଥଳସେନାର ଯବାନ , ୨୬ ଜାନୁଆରୀରେ ପ୍ରଥମଥର ପାଇଁ ପରେଡ୍ ର ମଙ୍ଗ ସମ୍ଭାଳିବେ ମହିଳା ଅଫିସର 

181

ପରେଡ୍ ମଇଦାନରେ ନେତୃତ୍ୱ ନେବେ ପ୍ରଥମ ମହିଳା ଅଧିକାରୀ । ଗଣତନ୍ତ୍ର ଦିବସର ପରେଡ୍ ମଇଦାନରେ ସ୍ଥଳସେନାର ନେତୃତ୍ୱ ନେବାକୁ ମଇଦାନକୁ ଓହ୍ଲାଇବେ ଜଣେ ମହିଳା ଅଧିକାରୀ । ପ୍ରଥମଥର ପାଇଁ ସାରା ଭାରତ ଦେଖିବ ନାରୀଶକ୍ତିର ନିଡ଼ର ନେତୃତ୍ୱ । ଭାରତୀୟ ସେନା ପରେଡ୍ ର ନେତୃତ୍ୱ ନେଇ ଉଭୟ ମହିଳା ଏବଂ ପୁରୁଷ ଯବାନଙ୍କ ଆଗରେ ଚାଲିବେ କ୍ୟାପଟେନ୍ ତାନିଆ ସେରଗିଲ୍ । ଅନୁଶାସନ , ନିଡରତା ଏବଂ ସାହସିକତାର ସଙ୍ଗମ ହେଉଛନ୍ତି କ୍ୟାପଟେନ୍ ତାନିଆ । ପୂର୍ବରୁ ୭୨ ତମ ଭାରତୀୟ ସେନା ଦିବସରେ ପୁରୁଷ ଯବାନଙ୍କ ପରେଡ୍ ର ମଙ୍ଗ ଧରି ଚର୍ଚ୍ଚାକୁ ଆସିଥିଲେ ଏହି ମହିଳା ଅଧିକାରୀ । ଗତବର୍ଷ ଗଣତନ୍ତ୍ର ଦିବସ ଅବସରରେ ପ୍ରଥମ ଥର ପାଇଁ ପୁରୁଷ ସୈନ୍ୟଙ୍କ ନେତୃତ୍ୱ ନେଇଥିଲେ କ୍ୟାପଟେନ୍ ଭାବନା କସ୍ତୁରୀ ।

ପଞ୍ଜାବ ହୋସିୟାରପୁରର ସାହସୀ ଝିଅ ହେଉଛନ୍ତି ତାନିଆ । ପରିବାରର ଚାରି ପିଢି ଦେଶସେବାରେ ଜୀବନକୁୁ ସମର୍ପିତ କରିଛନ୍ତି । କହିବାକୁ ଗଲେ , ତାନିଆଙ୍କୁ ଅନୁଶାସନ ଏବଂ ଦେଶସେବା ଜନ୍ମରୁ ହିଁ ପ୍ରାପ୍ତ ହୋଇଛି । ତାଙ୍କ ଜନ୍ମ ଦିଲ୍ଲୀରେ ହୋଇଥିବା ବେଳେ ପାଠପଢା ମୁମ୍ବାଇରେ ହୋଇଛି । ୨୦୧୬ ରେ ସେନାରେ ଭର୍ତ୍ତୀ ହେବାର ସୁବର୍ଣ୍ଣ ସୁଯୋଗ ପାଇଥିଲେ ତାନିଆ । ୨୦୧୭ ରେ ଚେନ୍ନାଇର ଅଫିସର ଟ୍ରେନିଙ୍ଗ୍ ଆକାଡେମୀରୁ କମିଶନ୍ ଏବଂ ଲେଫ୍ଟିନାଣ୍ଟ୍ ର ପଦବୀ ପ୍ରାପ୍ତ କରିବାରେ ସଫଳ ହୋଇଥିଲେ ଏହି ସାହସୀ ଝିଅ ।

ତେବେ ତାନିୟାଙ୍କ ଏହି ଉପଲବ୍ଧିରେ ଗାଁରେ ଏବେ ଖୁସିର ମାହୋଲ୍ ଖେଳିଯାଇଛି । ମିଠେଇ ବାଣ୍ଟି ସେଲିବ୍ରେସନ୍ କରୁଛନ୍ତି ପରିବାର ଲୋକ । ଝିଅର ଏଭଳି ସମ୍ମାନଜନକ କାର୍ଯ୍ୟରେ ଗୌରବାନ୍ୱିତ ହୋଇଛନ୍ତି ବାପା ମା’ । କ୍ୟାପଟେନ୍ ତାନିଆଙ୍କ ପିତା ସୁରତ୍ ସିଂହଙ୍କ କହିବାନୁସାରେ , ଜଣେ ବାପାର କର୍ତ୍ତବ୍ୟ ହେଉଛି ଝିଅଙ୍କୁ ପାଠପଢାଇ ଆତ୍ମନିର୍ଭର କରାଇବା । ସେନାରେ ସାମିଲ୍ ହୋଇ ଦେଶ ପାଇଁ ସେବା ପ୍ରଦାନ କରିବା ତ ଭାଗ୍ୟରେ ଥିଲେ ମିଳେ । ମୋ ଝିଅ ମୋ ପାଇଁ ଗର୍ବ । ସେନାରେ ଭର୍ତ୍ତୀ ହେବା ପରଠାରୁ ହିଁ ମୁଁ ତାନିୟା ଉପରେ ଗର୍ବ ଅନୁଭବ କରୁଛି ।