କେପଟାଉନ ଟେଷ୍ଟରେ ସୁଯୋଗ ହରାଇଲା ଟିମ ଇଣ୍ଡିଆ । ୨୦୮ ରନ ଟାର୍ଗେଟର ପିଛା କରି ୧୩୫ରେ ଅଲଆଉଟ । ଦକ୍ଷିଣ ଆଫ୍ରିକା ୧-୦ରେ ସିରିଜ ଆଗୁଆ

37

କନକ ବ୍ୟୁରୋ : ଫିଲାଣ୍ଡର ଝଙ୍ଗରେ ମାଟି କାମୁଡିଲା ବିରାଟ ବାହିନୀ । ଘରୋଇ ଦକ୍ଷିଣଆଫ୍ରିକା ନିକଟରୁ ପରାସ୍ତ ହେଲା ଭାରତ । ଫିଲାଣ୍ଡର ବୋଲିଂକୁ ସାମ୍ନା କରିପାରିନଥିଲା ବିରାଟ ଆଣ୍ଡ କୋ । ଗୋଟିଏ ଦିନ ଆଗରୁ ଏହି ଟେଷ୍ଟ ଶେଷ ହୋଇଥିଲେ ମଧ୍ୟ ସବୁଠାରୁ ବଡ଼ କଥା ହେଲା ଏହି ଟେଷ୍ଟ ଉଭୟ ଦଳ ପ୍ରାୟ ସମତୁଲ ପ୍ରଦର୍ଶନ କରିଥିଲେ। ବ୍ୟାଟିଂ ଓ ବୋଲିଂରେ ସାମାନ୍ୟ ଉନ୍ନତ ଘରୋଇ ଦଳ କିନ୍ତୁ ବାଜି ମାରିନେଲା। ୩ ମ୍ୟାଚ ଶୃଙ୍ଖଳାରେ ବି ଡୁ ପ୍ଲେସିସଙ୍କ ଦଳ ୧-୦ରେ ଆଗୁଆ ରହିଲା। ଭର୍ନାନ ଫିଲାଣ୍ଡର ଭାରତ ଦ୍ୱିତୀୟ ପାଳିରେ ନିଜ ଖେଳ ଜୀବନର ଶ୍ରେଷ୍ଠ ବୋଲିଂ ଚିତ୍ର (୧୫.୪-୪-୪୨-୬) ପାଇବା ସହିତ ଶ୍ରେଷ୍ଠ ଖେଳାଳି ବିବେଚିତ ହୋଇଥିଲେ। ସେଞ୍ଚୁରିଅନରେ ଜାନୁଆରି ୧୩ ତାରିଖରୁ ଦ୍ୱିତୀୟ ଟେଷ୍ଟ ଆରମ୍ଭ ହେବ।

ସୋମବାର କେପଟାଉନର ନ୍ୟୁଲାଣ୍ଡସ ପଡ଼ିଆରେ ମାତ୍ର ୬୪ ଓଭର ଭିତରେ ୧୮ ଓ୍ଵିକେଟର ପତନ ହିଁ ପିଚ ଓ ପାଗର ପ୍ରଭାବର ପ୍ରମାଣ ରଖିଥିଲା। କିନ୍ତୁ ଦ୍ରୁତ ବୋଲିଂର ଭୂସ୍ୱର୍ଗ ପାଲଟିଯାଇଥିଲା ପିଚ। ସମସ୍ତ ୧୮ ଓ୍ଵିକେଟର ପତନ ଘଟାଇଥିଲେ ଉଭୟ ଦଳର ଦ୍ରୁତ ବୋଲର। ଫଳରେ ନାଟକୀୟ ଭାବେ ଏହି ଟେଷ୍ଟ ଗୋଟିଏ ଦିନ ପୂର୍ବରୁ ଶେଷ ହୋଇଗଲା।

ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯାଉଥିବା ପ୍ରଥମ ଟେଷ୍ଟ ମ୍ୟାଚର ଦ୍ୱିତୀୟ ଇନିଂସରେ ମାତ୍ର ୧୩୦ ରନରେ ଅଲଆଉଟ ହୋଇଥିଲା ଘରୋଇ ଟିମ ଦକ୍ଷିଣ ଆଫ୍ରିକା । ଫଳରେ ପ୍ରଥମ ଟେଷ୍ଟକୁ ଜିତିବା ପାଇଁ ଟିମ ଇଣ୍ଡିଆ ଆଗରେ ୨୦୮ ରନର ବିଜୟ ଲକ୍ଷ୍ୟ ରହିଥିଲା । ପ୍ରଥମ ଟେଷ୍ଟ ସମାପ୍ତ ହେବାକୁ ଆହୁରି ଗୋଟିଏ ଦିନ ବାକି ଥିବା ବେଳେ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି ହୋଇଥିଲା। ଭାରତର ପେସବାହିନୀ ଆଗରେ ଆତ୍ମସମର୍ପଣ କରିଥିଲେ ଦକ୍ଷିଣ ଆଫ୍ରିକା ବ୍ୟାଟସମ୍ୟାନ । କେବଳ ଡି ଭିଲିୟର୍ସ ଶେଷ ଯାଏଁ ଲଢିଥିଲେ ମଧ୍ୟ ତାହା ଦଳ ପାଇଁ ଯଥେଷ୍ଟ ନଥିଲା ।

୬୫ ରନରେ ଦୁଇ ୱିକେଟ ହରାଇ ଚତୁର୍ଥ ଦିନର ଖେଳ ଆରମ୍ଭ କରିଥିବା ଘରୋଇ ଦଳ ଦକ୍ଷିଣ ଆଫ୍ରିକା ଭାରତୀୟ ବୋଲରଙ୍କୁ ସମ୍ମୁଖୀନ ହେବାରେ ବିଫଳ ହୋଇଥିଲେ । ଦଳ ନିୟମିତ ବ୍ୟବଧାନରେ ୱିକେଟ ହରାଇଚାଲିଥିଲା । ଏପରିକି ଦଳର ୬ ଜଣ ବ୍ୟାଟସମ୍ୟାନ ଦୁଇଅଙ୍କ ମଧ୍ୟ ଛୁଇଁ ପାରିନଥିଲେ । ମହମ୍ମଦ ସାମି ଓ ଯଶପ୍ରୀତ ବୁମରାହଙ୍କ ଘାତକ ବୋଲିଂ ଆଗରେ ତିଷ୍ଠି ପାରିନଥିଲେ ଦକ୍ଷିଣ ଆଫ୍ରକାର ଟପ ଅର୍ଡର ବ୍ୟାଟସମ୍ୟାନ । ବୁମରାହ ଓ ଯଶପ୍ରୀତ ୩ଟି ଲେଖାଏଁ ୱିକେଟ ନେଇଥିବା ବେଳେ ଭୁବନେଶ୍ୱର କୁମାର ଓ ହାର୍ଦ୍ଦିକ ପାଣ୍ଡ୍ୟା ୨ଟି ଲେଖାଏଁ ୱିକେଟ ନେଇ ଦକ୍ଷିଣ ଆଫ୍ରିକା ପାଇଁ ବିପର୍ୟ୍ୟୟ ସୃଷ୍ଟି କରିଥିଲେ ।

ଦକ୍ଷିଣ-ଆଫ୍ରିକା ଟସ ଜିତି ପ୍ରଥମ ବ୍ୟାଟିଂ କରି ପ୍ରଥମ ଇନିଂସରେ ୨୮୬ ରନରେ ଅଲଆଉଟ ହୋଇଥିଲା । ତେବେ ପ୍ରଥମ ଇନିଂସରେ ଭାରତ ମଧ୍ୟ ସେହିଭଳି ଖାସ ପ୍ରଦର୍ଶନ କରିପାରିନଥିଲା । ଦକ୍ଷିଣ -ଆଫ୍ରିକା ବୋଲରଙ୍କ ଘାତକ ବୋଲିଂ ହାତ ଟେକି ଦେଇଥିଲେ ଭାରତର ଟପ ଅର୍ଡର ବ୍ୟାଟସମ୍ୟାନ । ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ୯୩ ରନର ଇନିଂସ ବଳରେ ଭାରତ ୨୦୦ ରନ ପାର କରିଥିଲା । ତେବେ ହାର୍ଦ୍ଦିକଙ୍କ ୱିକେଟ ପତନ ପରେ ଭାରତ ୨୦୯ ରନରେ ଅଲଆଉଟ ହୋଇଥିଲା । ତେବେ ଦ୍ୱିତୀୟ ଇନିଂସରେ ଦକ୍ଷିଣ-ଆଫ୍ରିକାର ବ୍ୟାଟିଂ ବିପଯ୍ୟୟ ଭାରତ ପାଇଁ ବିଜୟ ସମ୍ଭାବନା ସୃଷ୍ଟି କରିଥିଲା ।