ହାତପାହାନ୍ତାରୁ ବିଜୟ ଛଡାଇ ନେଲା ‘ନୋଟା’ ଭୋଟ । ନିର୍ବାଚନୀ ଯୁଦ୍ଧରେ ଟଳିପଡିଲେ ରଥୀ ମହାରଥୀ ।

572

କନକ ବ୍ୟୁରୋ : ୧୯ ରାଜନୀତି ଯୁଦ୍ଧରେ ପ୍ରତିପକ୍ଷ ନୁହେଁ ‘ନୋଟା’ କଲା ନେତାଙ୍କୁ ଆଉଟ୍ । ଏଭଳି ଚିତ୍ର ଚଳିତ ନିର୍ବାଚନରେ ଦେଖିବାକୁ ମିଳିଛି । ଖାସକରି ନୋଟା କିଛି ନେତାଙ୍କୁ ବିଜୟର ସୁଯୋଗ ଦେଇଥିବା ବେଳେ ଆଉ କିଛି ନେତାଙ୍କୁ ପରାଜୟର ସ୍ୱାଦ ଚଖାଇଛି । ଓଡିଶାର ଏମିତି ଅନେକ ଆସନ ରହିଛି ଯେଉଁଠି ବିଜୟ ବ୍ୟବଧାନ ଠାରୁ ନୋଟା ବିକଳ୍ପରେ ଅଧିକ ଭୋଟ ପଡିଛି । ନେତାଙ୍କୁ ପ୍ରତ୍ୟାଖାନ କରି ନୋଟାକୁ ବାଛିଛନ୍ତି ଜନତା । ନେତାଙ୍କ ବିଜୟରେ ନିର୍ଣ୍ଣାୟକ ଭୂମିକାରେ ସାମ୍ନାକୁ ଆସିଛି ନୋଟା । ସେଥିପାଇଁ ଅଳ୍ପ ବ୍ୟବଧାନରେ ବିଜୟୀ ହୋଇଥିବା ନେତା ନୋଟାକୁ ଥ୍ୟାଙ୍କ୍ ୟୁ କହୁଥିବା ବେଳେ ପରାଜିତ ହୋଇଥିବା ନେତା ନୋଟା ବିକଳ୍ପକୁ ନେଇ ଖପ୍ପା ରହିଛନ୍ତି ।

୧୯ ଯୁଦ୍ଧରେ ରାଜ୍ୟରେ ସବୁଠୁ ବଡ କଡା ମୁକାବିଲା କୋରାପୁଟ ସଂସଦୀୟ କ୍ଷେତ୍ରରେ ଦେଖିବାକୁ ମିଳିଥିଲା । ଭୋଟଗଣତି ସହ ପ୍ରତି ମୁହୂର୍ତ୍ତରେ ବଦଳୁଥିଲା ନେତାଙ୍କ ଭବିଷ୍ୟତ । ସୂତା ଖିଅରେ ଝୁଲୁଥିଲା ନେତାଙ୍କ ଭାଗ୍ୟ । କେତେବେଳେ କଂଗ୍ରେସର ହାତ ଉଠୁଥିଲା ତ ପୁଣି କେତେବେଳେ ବିଜେଡି ଶିବିରରେ ଶୁଭୁଥିଲା ଶଙ୍ଖ ଧ୍ୱନି । କିନ୍ତୁ ଏହା ଭିତରେ କେତେବେଳେ ଯେ, ନୋଟା ନିଜର ଶକ୍ତି ଜୁଟାଇ ସାରିଥିଲା ତାହା କେହି ବୁଝିପାରିନଥିଲେ । ଭୋଟଗଣତି ଶେଷ ହେବା ସହ ଯେଉଁ ଫଳାଫଳ ସାମ୍ନାକୁ ଆସିଥିଲା ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲା । କଡା ମୁକାବିଲା ମଧ୍ୟରେ କଂଗ୍ରେସ ପ୍ରାର୍ଥୀ ସପ୍ତଗିରି ଉଲ୍ଲାକା ୩୬୧୩ ଭୋଟରେ ବିଜେଡି ପ୍ରାର୍ଥୀ କୌଶଲ୍ୟା ହିକକାଙ୍କୁ ପରାସ୍ତ କରି କୋରାପୁଟର କମାଣ ଧରିଥିଲେ ।

କିନ୍ତୁ ଯେତେବେଳେ ନୋଟା ବିକଳ୍ପ ଉପରେ ନେତାଙ୍କର ନଜର ପଡିଥିଲା ସେତେବେଳେ ଏହା ଅଧିକ ଆଶ୍ଚର୍ଯ୍ୟ କରିଥିଲା । କାରଣ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ଥିବା ବିଜୟ ବ୍ୟବଧାନ ଠାରୁ ପ୍ରାୟ ୧୦ ଗୁଣା ଅଧିକ ଭୋଟ ପଡିଥିଲା ନୋଟା ବିକଳ୍ପରେ । ମନ ପସନ୍ଦର ପ୍ରାର୍ଥୀ ନଥିବାରୁ ୩୬୫୬୧ ଜଣ ଭୋଟର ବାଛିଥିଲେ ନୋଟା ବିକଳ୍ପକୁ । କୋରାପୁଟ ଭଳି ଆଦିବାସୀ ଅଧ୍ୟୁଷିତ ସଂସଦୀୟ କ୍ଷେତ୍ରରେ ଭୋଟରଙ୍କ ଏଭଳି ମିଜାଜ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ।

ସେହିଭଳି ସମ୍ବଲପୁର ସଂସଦୀୟ କ୍ଷେତ୍ରରେ ମଧ୍ୟ ସମାନ ଅବସ୍ଥା ଦେଖିବାକୁ ମିଳିଛି । କଡା ମୁକାବିଲା ମଧ୍ୟରେ ବିଜେପି ପ୍ରାର୍ଥୀ ନୀତିଶ ଗଙ୍ଗଦେବ ବିଜୟୀ ହୋଇଛନ୍ତି କିନ୍ତୁ ନୋଟାର ପ୍ରଭାବ ଏଠାରେ ମଧ୍ୟ ପରାଜିତ ପ୍ରାର୍ଥୀଙ୍କ ସ୍ୱପ୍ନ ଭାଙ୍ଗି ଦେଇଛି । ଏହି ଆସନରେ ଉଭୟ ପ୍ରାର୍ଥୀଙ୍କ ମଧ୍ୟରେ ବିଜୟ ବ୍ୟବଧାନ ୯୧୬୨ ରହିଥିବା ବେଳେ ନୋଟା ବିକଳ୍ପକୁ ବାଛିଛନ୍ତି ୧୩୪୫୬ ଜଣ ଭୋଟର । ନୋଟାରେ ପଡିଥିବା ଭୋଟ ହାର ବଦଳାଇ ଦେଇଛି ସମ୍ବଲପୁର ସଂସଦୀୟ କ୍ଷେତ୍ରର ଫଳାଫଳ ।

ଲୋକସଭା ଭଳି କିଛି ବିଧାନସଭା ଆସନରେ ମଧ୍ୟ ନୋଟାର ବଡ ପ୍ରଭାବ ଦେଖିବାକୁ ମିଳିଛି । ନୋଟାକୁ ଢଳିଥିବା ଜନମତ ବିଜୟୀ ପ୍ରାର୍ଥୀଙ୍କ ପାଇଁ ବରଦାନ ସାବ୍ୟସ୍ତ ହୋଇଛି । କଣ୍ଟାବାଞ୍ଝି ବିଧାନସଭା ଆସନରେ କ୍ଲୋଜ୍ ଫାଇଟରେ ବାଜି ମାରିଛି କଂଗ୍ରେସ । ମାତ୍ର ୧୧୮ ଖଣ୍ଡ ଭୋଟରେ ବିଜେପି ପ୍ରାର୍ଥୀ ଲକ୍ଷ୍ମଣ ବାଗଙ୍କୁ ମାତ୍ ଦେଇଥିବା ବେଳେ ପ୍ରାର୍ଥୀଙ୍କ ବଦଳରେ ନୋଟା ବିକଳ୍ପରେ ମୋହର ମାରିଛନ୍ତି ୨୪୫୩ ଜଣ ଭୋଟର । ସେହିଭଳି ଲକ୍ଷ୍ମୀପୁର ଲଢେଇରେ ମଧ୍ୟ ଟର୍ଣ୍ଣିଂ ପଏଣ୍ଟ ସାଜିଛି ନୋଟା ବିକଳ୍ପ । ବିଜେଡି ପ୍ରାର୍ଥୀ ପ୍ରଭୁ ଜାନୀ ମାତ୍ର ୨୨୯ ଭୋଟରେ କଂଗ୍ରେସର କୈଳାସ କୁଲେସିକାଙ୍କୁ ପରାସ୍ତ କରି ଲକ୍ଷ୍ମୀପୁର ଲଢେଇରେ ବାଜିମାତ୍ କରିଛନ୍ତି । କିନ୍ତୁ ଏଠାରେ ୭୦୨୬ ଜଣ ଭୋଟର ନୋଟା ବିକଳ୍ପକୁ ବାଛି ନେତାଙ୍କ ଅଙ୍କକୁ ସମ୍ପୂର୍ଣ୍ଣ ଓଲଟପାଲଟ କରିଛନ୍ତି ।

ଗତ ୨୦୧୪ ନିର୍ବାଚନରେ ମଧ୍ୟ ନବରଙ୍ଗପୁର ସଂସଦୀୟ କ୍ଷେତ୍ରରେ ନୋଟାର ବଡ ପ୍ରଭାବ ଦେଖିବାକୁ ମିଳିଥିଲା । କଂଗ୍ରେସ ଓ ବିଜେଡି ପ୍ରାର୍ଥୀଙ୍କ ମଧ୍ୟରେ ଏହି ଆସନରେ କଡା ମୁକାବିଲା ହୋଇଥିବା ବେଳେ ଅଢେଇ ହଜାରରୁ କମ ଭୋଟରେ ବିଜୟ ବାନା ଉଡାଇଥିଲା ବିଜେଡି । କିନ୍ତୁ ସେତେବେଳେ ନିର୍ବାଚନରେ ନୂଆ କରି ଆସିଥିବା ନୋଟା ବିକଳ୍ପରେ ପ୍ରାୟ ୪୪ ହଜାରରୁ ଉଦ୍ଧ୍ୱର୍ ଭୋଟ ପଡିଥିଲା । ଆଉ ନୋଟାରେ ପଡିଥିବା ଭୋଟ ହିଁ ଫଳାଫଳ ଉପରେ ସମ୍ପୂର୍ଣ୍ଣ ପ୍ରଭାବ ପକାଇଥିଲା । ଆଉ ଏହିଭଳି ଭାବେ ନେତାଙ୍କୁ ନୟାନ୍ତ କରିଥିଲା ନୋଟା । ଏପରିକି ନିର୍ବାଚନ ଯୁଦ୍ଧରେ ନୋଟା ଭୋଟ ପାଇଁ ଟଳି ପଡିଥିଲେ ବଡ ବଡ ରଥୀ ମହାରଥୀ ।