ଦିନରୁ ରାତି,ଖରାରୁ ବର୍ଷା । ପାଟକୁରାରେ ମାରାଥନ ପ୍ରଚାର କଲେ ମୋଦିଙ୍କ ମନ୍ତ୍ରୀ, ବିଜୟଙ୍କ ପାଇଁ କଲେ ଭୋଟ ଅପିଲ ।

330

କନକ ବ୍ୟୁରୋ : ବିଜୟ ରଥରେ ପ୍ରତାପ ସାରଥୀ । ବିଜୟଙ୍କୁ ବିଧାନସଭାକୁ ପଠାଇବା ପାଇଁ ପଣ କରିଛନ୍ତି ପ୍ରତାପ । ପାଟକୁରା ନିର୍ବାଚନ ପାଇଁ ଆଉ ମାତ୍ର ୧୦ଟି ଦିନ ବାକି ରହିଥିବା ବେଳେ ବିଜୟଙ୍କ ପାଇଁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡଙ୍ଗୀ । ଦିନରୁ ରାତି, ଖରାରୁ ବର୍ଷା । ବିଜୟଙ୍କ ପାଇଁ ମାରାଥନ ପ୍ରଚାର କରିଛନ୍ତି ମୋଦିଙ୍କ ମନ୍ତ୍ରୀ । ଆଉ ବିଜୟଙ୍କ ବିଜୟ ପାଇଁ ଭୋଟ ଅପିଲ କରିଛନ୍ତି ପ୍ରତାପ ।

ଗୋଟିଏ ଗାଡିରେ ରାଜ୍ୟ ରାଜନୀତିର ଦୁଇ ହେଭିୱେଟ । ପାଟକୁରା ପ୍ରଚାର ମୈଦାନରେ ‘ବିଜୟ’ଙ୍କ ରଥରେ ସାରଥୀ ସାଜିଛନ୍ତି ପ୍ରତାପ । ଏଭଳି ଦୃଶ୍ୟ ଆଜି ପାଟକୁରାରେ ଦେଖିବାକୁ ମିଳିଛି । ପାଟକୁରା ନିର୍ବାଚନ ପାଇଁ ରାଜ୍ୟ ରାଜନୀତି ଉଷ୍ମ ହେଉଥିବା ବେଳେ ପ୍ରଥମଥର ପାଇଁ କୌଣସି କେନ୍ଦ୍ରମନ୍ତ୍ରୀ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି । ସକାଳୁ ଆରମ୍ଭ ହୋଇଥିବା ମାରାଥନ ପ୍ରଚାର ଅପରାହ୍ନ ଦେଇ ରାତି ଯାଏଁ ପ୍ରଚାର କରିଛନ୍ତି ପ୍ରତାପ । ଆଉ ଏହା ଭିତରେ ବର୍ଷାକୁ ଖାତିର ନକରି ବିଜୟଙ୍କ ବିଧାନସଭା ରାସ୍ତାକୁ ପ୍ରଶମିତ କରିବା ପାଇଁ ଆପ୍ରାଣ ଉଦ୍ୟମ କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ବିଜେଡିର ଘନ ଘନ ପ୍ରଚାର, ବିଧାୟକ ଓ ମନ୍ତ୍ରୀ ଗାଁରେ ଡେରା ପକାଇ ଦଳୀୟ ପ୍ରାର୍ଥୀ ସାବିତ୍ରୀ ଅଗ୍ରୱାଲଙ୍କ ପାଇଁ ମାରାଥନ ପ୍ରଚାର ଚଳାଇଛନ୍ତି । ବିଜେଡିର ଏହି ହାଇପ୍ରୋଫାଇଲ ପ୍ରଚାର ଭିତରେ କେଉଁଠି ନା କେଉଁଠି ପ୍ରଚାର ଦୌଡରେ ପଛରେ ପଡିଥିଲା ବିଜେପି । ତେବେ ପ୍ରଚାର ମୈଦାନରେ ପ୍ରତାପଙ୍କ ଏଣ୍ଟ୍ରି ନା କେବଳ ବିଜୟଙ୍କ ମନୋବଳ ବଢାଇଛି ବରଂ ବିଜେପି ଶିବିରରେ ଉତ୍ସାହ ଭରି ଦେଇଛି । ମନ୍ଦିର ଯାଇଛନ୍ତି, ସାହି ଗଳିରେ ବୁଲିଛନ୍ତି , ଗାଡିରେ ମଧ୍ୟ ବୁଲି ଭୋଟ୍ ମାଗିଛନ୍ତି । ଆଗକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ସମ୍ବିତ ପାତ୍ର, ଅପରାଜିତା ଷଡଙ୍ଗୀ ପ୍ରମୁଖ, ବିଜୟ ମହାପାତ୍ରଙ୍କ ପାଇଁ କ୍ୟାମ୍ପେନ କରିବେ ।ବିଜୟଙ୍କୁ ବିପୁଳ ମାତ୍ରାରେ ଭୋଟ ଦେବାକୁ ପାଟକୁରାବାସୀଙ୍କୁ ଅପିଲ କରିଛନ୍ତି ପ୍ରତାପ ।

ପାଟକୁରା ଆସନ ଏବେ ଉଭୟ ବିଜେଡି ଓ ବିଜେପି ପାଇଁ ସମ୍ମାନର ଲଢେଇ ଭାବେ ଉଭା ହୋଇଛି । ଗୋଟିଏ ପଟେ ବିଜେପିର ହେଭିୱେଟ ପ୍ରାର୍ଥୀ ବିଜୟ ମହାପାତ୍ର ନିଜ ପୁରୁଣା ଆସନରୁ ବିଜୟ ପାଇଁ ଆଶା ବାନ୍ଧି ବସିଥିବା ବେଳେ ବିଜେଡି ନିଜ ଗଡ ହରାଇବା ମୁଡରେ ନାହିଁ । ଦୀର୍ଘ ୨୦ ବର୍ଷ ଧରି ବିଜୟ ବିଧାନସଭା ରାଜନୀତିରୁ ଦୂରେଇ ରହିଥିବା ବେଳେ ଏହି ନିର୍ବାଚନ ମାଧ୍ୟମରେ ପୁଣିଥରେ ବିଧାନସଭାକୁ କମବ୍ୟାକ୍ କରିବାକୁ ଲକ୍ଷ୍ୟ ରଖିଛନ୍ତି ।