ଆଜି କେନ୍ଦ୍ର କ୍ୟାବିନେଟରେ ଅଦଳବଦଳ ! ପୂର୍ବାହ୍ନ ୧୦ଟାରେ ଶପଥ ନେବେ ନୂଆ ମନ୍ତ୍ରୀ

46

କନକ ବ୍ୟୁରୋ: ତିନିବର୍ଷ ପୁରୁଣା ମୋଦି ମନ୍ତ୍ରିମଣ୍ଡଳର ତୃତୀୟ ସଂପ୍ରସାରଣ ପାଇଁ ଚୂଡ଼ାନ୍ତ ପ୍ରସ୍ତୁତି ହୋଇସାରିଛି । ଆଜି ପୂର୍ବାହ୍ନ ୧୦ଟାରେ ନୂଆ ମନ୍ତ୍ରୀମାନଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ଏଥିପାଇଁ ରାଷ୍ଟ୍ରପତି ଭବନରେ ସମସ୍ତ ପ୍ରସ୍ତୁତି ଶେଷ ହୋଇଛି । ଯାହା ଜଣାପଡ଼ୁଛି, ଆଜି ଅନ୍ୟୂନ ୯ ଜଣ ନୂଆ ମନ୍ତ୍ରୀଙ୍କୁ ମନ୍ତ୍ରିମଣ୍ଡଳରେ ସାମିଲ କରାଯିବ । କିଛି ମନ୍ତ୍ରୀଙ୍କୁ ପଦୋନ୍ନତି ମିଳିବ ଓ ଏହାପରେ ସେମାନଙ୍କ ବିଭାଗରେ ବି ଅଦଳବଦଳ କରାଯିବ । ତେବେ କିଏ କିଏ ମନ୍ତ୍ରୀ ହେବେ, ସେ ନେଇ ସରକାରଙ୍କ ପକ୍ଷରୁ ନିର୍ଦ୍ଦିଷ୍ଟ ସୂଚନା ମିଳିନାହିଁ । ଶେଷ ପର୍ଯ୍ୟନ୍ତ ସସପେନ୍ସ ଜାରି ରହିଛି ।

ଶନିବାର ରାତିରେ ବିଭିନ୍ନ ଜାତୀୟ ଗଣମାଧ୍ୟମରେ ଯେଉଁମାନଙ୍କ ନାଁ ଚର୍ଚ୍ଚାରେ ରହିଛି ସେମାନେ ହେଲେ ୟୁପିର ଶିବପ୍ରସାଦ ଶୁକ୍ଳା, ଓ ସତ୍ୟପାଲ ସିଂହ (ପୂର୍ବତନ ଆଇପିଏସ୍ ଅଧିକାରୀ), ବିହାରର ଅଶ୍ୱିନୀ ଚୌବେ ଓ ରାଜକୁମାର ସିଂହ (ପୂର୍ବତନ ଆଇଏଏସ୍ ଅଧିକାରୀ), ମଧ୍ୟପ୍ରଦେଶର ବୀରେନ୍ଦ୍ର କୁମାର, କର୍ଣ୍ଣାଟକର ଅନନ୍ତକୁମାର ହେଗଡେ, ରାଜସ୍ଥାନର ଗଜେନ୍ଦ୍ର ସିଂହ ଶେଖାଓ୍ଵତ, ପୂର୍ବତନ ଆଇଏଫଏସ୍ ଅଧିକାରୀ ହରଦୀପ ସିଂହ ପୁରୀ ଏବଂ କେରଳ କ୍ୟାଡରର ପୂର୍ବତନ ଆଇଏଏସ୍ ଅଧିକାରୀ ଆଲଫୋନ୍ସ କନ୍ନଥନମ। ଏହି ତାଲିକା ଅନେକକୁ ବିସ୍ମିତ କରିଛି । ବିଶେଷକରି ଜଣେ ଆଇପିଏସ୍, ୨ ଜଣ ଆଇଏଏସ୍ ଓ ଜଣେ ଆଇଏଫଏସ୍ ଅଧିକାରୀଙ୍କ ନାମକୁ ନେଇ ବେଶ୍ ଚର୍ଚ୍ଚା ଚାଲିଛି । ଗୋଟିଏ ପଟରେ କାର୍ଯ୍ୟଦକ୍ଷତାକୁ ଆଧାର କରି ଏଥର ମନ୍ତ୍ରିମଣ୍ଡଳ ଅଦଳ ବଦଳ ହେଉଛି ବୋଲି କୁହାଯାଉଥିବା ବେଳେ ଏହି ଅଧିକାରୀମାନଙ୍କ ନାଁ ଚର୍ଚ୍ଚାକୁ ଅଧିକ ରୋଚକ କରୁଛି ।

ସୂଚନାଯୋଗ୍ୟ, ଶନିବାର ସଂଧ୍ୟା ସୁଦ୍ଧା ସମ୍ଭାବ୍ୟ ମନ୍ତ୍ରୀ ତାଲିକାରେ ବିଜେପିର ବିନୟ ସହସ୍ରବୁଦ୍ଧେ, ରାମ୍ ମାଧବ, ଅନୁରାଗ ଠାକୁର, ପ୍ରହ୍ଲାଦ ଯୋଶୀ, ଭୂପିନ୍ଦର ଯାଦବ, ହିମନ୍ତ ବିଶ୍ୱ ଶର୍ମା, ଶୋଭା କରନ୍ଦାଲଜୀ, ସୁରେଶ ଅଂଗଡ଼ୀ, ସତ୍ୟପାଲ ସିଂହ, ପୁନମ ମହାଜନ ଏବଂ ପ୍ରେମ କୁମାର ଧୁମାଲଙ୍କ ନାମ ଚର୍ଚ୍ଚାରେ ରହିଥିଲା ।

ଏହାଛଡ଼ା ନୀତୀଶ କୁମାରଙ୍କ ଜେଡିୟୁରୁ ଆରସିପି ସିଂହ ଓ ସନ୍ତୋଷ କୁମାର ଏବଂ ଆନ୍ନାଡିଏମକେରୁ ଥମ୍ବିଦୁରାଇ ଓ ବେଣୁଗୋପାଳଙ୍କୁ ମଧ୍ୟ ମୋଦି ମନ୍ତ୍ରିମଣ୍ଡଳରେ ସ୍ଥାନ ମିଳିବ ବୋଲି ମଧ୍ୟ କଳ୍ପନାଜଳ୍ପନା ଚାଲିଥିଲା । ଉଭୟ ନେତା ଗତକାଲି ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ସହିତ ଆଲୋଚନା କରିଥିଲେ ।

ସେପଟେ ଶନିବାର କେନ୍ଦ୍ର ମନ୍ତ୍ରିମଣ୍ଡଳରେ ଏଆଇଏଡିଏମକେ ଏବଂ ଜେଡିୟୁ ସାମିଲ ହେବା ନେଇ ସନ୍ଧ୍ୟା ସୁଦ୍ଧା କୌଣସି ସ୍ପଷ୍ଟ ସୂଚନା ମିଳିନାହିଁ । ଏଆଇଏଡିଏମକେରେ ଲାଗି ରହିଥିବା କଳହ ଏବଂ ବିଦ୍ରୋହୀ ନେତା ଟିଟିଭି ଦିନାକରନଙ୍କୁ ନେଇ ବଢ଼ୁଥିବା ଅଡ଼ୁଆ ଯୋଗୁଁ ଦଳ କେନ୍ଦ୍ର ମନ୍ତ୍ରିମଣ୍ଡଳରେ ସାମିଲ ହେବାନେଇ ନିଷ୍ପତ୍ତି ନେଇପାରିନାହିଁ ବୋଲି ଚର୍ଚ୍ଚା ଚାଲିଛି । ଅନ୍ୟପକ୍ଷରେ ଜେଡିୟୁ ସୂତ୍ରରୁ ଜଣାଡ଼ିଛି ଯେ, ସରକାରରେ ସାମିଲ ହେବାନେଇ ଏ ପର୍ଯ୍ୟନ୍ତ ସେମାନଙ୍କ ସହ କିଛି ଆଲୋଚନା କରାଯାଇନାହିଁ । ଜେଡିୟୁ ସାଂସଦମାନେ ଏବେ ଦିଲ୍ଲୀରେ ଅଛନ୍ତି, କିନ୍ତୁ ସେମାନଙ୍କୁ ସଂପ୍ରସାରଣ ନେଇ ସରକାରଙ୍କ ଆଡ଼ୁ କିଛି ସୂଚନା ଦିଆଯାଇନାହିଁ ।

ଶିବସେନାର କୌଣସି ସଦସ୍ୟଙ୍କୁ ମଧ୍ୟ ସଂପ୍ରସାରଣରେ ସାମିଲ କରିବାକୁ ଆମନ୍ତ୍ରଣ କରାଯାଇନଥିବା ଦଳ ସୁପ୍ରିମୋ ଉଦ୍ଧବ ଥାକରେ କହିଛନ୍ତି । ତେବେ ବିଜେପି ନେତାମାନେ କହିଛନ୍ତି ଯେ ଆଜି ଏହି ଶପଥ ଗ୍ରହଣ ପୂର୍ବରୁ ସବୁକିଛି ସ୍ପଷ୍ଟ ହୋଇଯିବ । ଶପଥ ଗ୍ରହଣ ଉତ୍ସବକୁ ନେଇ କୌଣସି ଦ୍ୱନ୍ଦ୍ୱ ନାହିଁ ଏବଂ ଅଂଶୀଦାର ଦଳମାନେ ମଧ୍ୟ ଏ ବାବଦରେ ଭଲଭାବେ ଅବଗତ ଥିବା କୁହାଯାଇଛି ।

ଶନିବାର ଅପରାହ୍ନରେ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଭେଟି ସମ୍ଭାବ୍ୟ ମନ୍ତ୍ରିମଣ୍ଡଳର ରୂପରେଖ ସଂକ୍ରାନ୍ତରେ ଆଲୋଚନା କରିଥିଲେ । ଦୁଇଟି ବଡ଼ ମନ୍ତ୍ରାଳୟ ଅର୍ଥ ଏବଂ ପ୍ରତିରକ୍ଷା ଦାୟିତ୍ୱରେ ଥିବା ଅରୁଣ ଜେଟଲିଙ୍କ ପାଖରେ ସମ୍ଭବତଃ ଏବେ ଗୋଟିଏ ମନ୍ତ୍ରାଳୟ ରହିବ ଏବଂ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କୁ ଅତିରିକ୍ତ ଦାୟିତ୍ୱ ଦିଆଯିବ ବୋଲି ଯୋଜନା ହେଉଛି । ନିକଟରେ ରେଳ ଦୁର୍ଘଟଣା ପାଇଁ ନୈତିକ ଦାୟିତ୍ୱ ନେଇ ଇସ୍ତଫା ଦେବାକୁ ଚାହୁଥିବା ରେଳମନ୍ତ୍ରୀ ସୁରେଶ ପ୍ରଭୁଙ୍କ ବିଭାଗ ବଦଳାଇ ତାଙ୍କୁ ଅନ୍ୟ କୌଣସି ମନ୍ତ୍ରାଳୟ ଦିଆଯିବ ବୋଲି ଜଣାପଡ଼ିଛି ।

ମନ୍ତ୍ରିମଣ୍ଡଳରେ ଅନେକ ନୂଆ ମୁହଁ ସାମିଲ ହେବାକୁ ଥିବାରୁ ୬ ଜଣ ମନ୍ତ୍ରୀଙ୍କୁ ବିଦାୟ ନେବାକୁ ପଡ଼ିଛି । ଇସ୍ତଫା ଦେଇଥିବା ୬ ଜଣ ମନ୍ତ୍ରୀ ହେଲେ ରାଜୀବ ପ୍ରତାପ ରୁଢ଼ି, ସଂଜୀବ ବାଲ୍ୟାନ, ଫଗନ ସିଂହ କୁଲସ୍ତେ, ମହେନ୍ଦ୍ର ପାଣ୍ଡେ, ବନ୍ଦାରୁ ଦତ୍ତାତ୍ରେୟ ଏବଂ କଲରାଜ ମିଶ୍ର। ଉମା ଭାରତୀ ଇସ୍ତଫା ସଂପର୍କରେ ସ୍ଥିତି ସ୍ପଷ୍ଟ ହୋଇନାହିଁ । ତେବେ ସେ ମନ୍ତ୍ରୀ ରହିବେ ଓ ତାଙ୍କୁ ଅନ୍ୟ ବିଭାଗ ଦିଆଯିବ ବୋଲି ଗତକାଲି କେତେକ ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି।

ବର୍ତ୍ତମାନ ମୋଦି ମନ୍ତ୍ରିମଣ୍ଡଳରେ ପ୍ରଧାନମନ୍ତ୍ରୀଙ୍କୁ ମିଶାଇ ସମୁଦାୟ ୭୩ ଜଣ ମନ୍ତ୍ରୀ ଅଛନ୍ତି ଏବଂ କୌଣସି ସ୍ଥିତିରେ ବି ଏହା ୮୧ ଭିତରେ ସୀମିତ ରହିବ । ସୂଚନାଯୋଗ୍ୟ, ମୋଦି ମନ୍ତ୍ରିମଣ୍ଡଳର ପ୍ରଥମ ସଂପ୍ରସାରଣ ୯ ନଭେମ୍ବର୨୦୧୪ ଓ ଦ୍ୱିତୀୟ ସଂପ୍ରସାରଣ ୫ ଜୁଲାଇ ୨୦୧୬ରେ କରାଯାଇଥିଲା ।

ମୋଦିଙ୍କ ଟିମରେ ୯ ନୂଆ ମୁହଁ

ମୋଦି ମନ୍ତ୍ରିମଣ୍ଡଳ ସଂପ୍ରସାରଣରେ ଆଜି ସାମିଲ ହେବାକୁ ଥିବା ୯ ନୂଆ ମୁହଁ ନେଇ ବିଭିନ୍ନ ମହଲରେ ଚର୍ଚ୍ଚା ଜାରି ରହିଛି । ସେମାନଙ୍କ ସଂପର୍କରେ କିଛି ତଥ୍ୟ-

ଶିବ ପ୍ରସାଦ ଶୁକ୍ଳା: ଉତ୍ତର ପ୍ରଦେଶରୁ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି ଶିବ ପ୍ରସାଦ ଶୁକ୍ଳା । ସେ ରାଜ୍ୟ ବିଧାନସଭାକୁ ୪ ଥର ନିର୍ବାଚିତ ହୋଇଥିଲେ ।

ଅଶ୍ୱିନୀ କୁମାର ଚୌବେ: ବିହାରର ବକ୍ସରରୁ ନିର୍ବାଚିତ ସାଂସଦ ଅଶ୍ୱିନୀ କୁମାର ଚୌବେ ସଂସଦୀୟ ଶକ୍ତି ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟିରେ ସଦସ୍ୟ ଅଛନ୍ତି । ବିହାର ବିଧାନସଭାକୁ ସେ ୫ ଥର ଲଗାତାର ନିର୍ବାଚିତ ହୋଇଥିବା ବେଳେ ରାଜ୍ୟ ସରକାରରେ ୮ ବର୍ଷ କ୍ୟାବିନେଟ୍ ମନ୍ତ୍ରୀ ରହିଥିଲେ ।

ବୀରେନ୍ଦ୍ର କୁମାର: ମଧ୍ୟପ୍ରଦେଶର ଟିକମଗଡ଼ ସଂସଦୀୟ କ୍ଷେତ୍ରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ବୀରେନ୍ଦ୍ର କୁମାର ଜଣେ ପୁରୁଖା ସାଂସଦ । ସେ ୬ ଥର ଲୋକସଭାକୁ ନିର୍ବାଚିତ ହୋଇଛନ୍ତି ଏବଂ ବିଭିନ୍ନ ସଂସଦୀୟ କମିଟିରେ ସଦସ୍ୟ ରହି ଅଭିଜ୍ଞତା ହାସଲ କରିଛନ୍ତି ।

ଅନନ୍ତ କୁମାର ହେଗଡ଼େ: କର୍ଣ୍ଣାଟକର ଉତ୍ତର କନ୍ନଡ଼ରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ଅନନ୍ତ କୁମାର ହେଗଡ଼େ ଜଣେ ଦକ୍ଷ ସଂଗଠକ ଭାବେ ଜଣାଶୁଣା । ସେ ଏବେ ୫ମ ଥର ପାଇଁ ସାଂସଦ ଅଛନ୍ତି ।

ରାଜ କୁମାର ସିଂହ: ବିହାରରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ରାଜ କୁମାର ସିଂହ ଜଣେ ପୂର୍ବତନ ଆଇଏସ୍ ଅଧିକାରୀ । ସେ ଦେଶର ସ୍ୱରାଷ୍ଟ୍ର ସଚିବ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଲମ୍ବା ପ୍ରଶାସନିକ ଅଭିଜ୍ଞତା ରଖିଥିବା ସିଂହ ଏବେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ସଂପର୍କିତ ସଂସଦୀୟ ଷ୍ଟାଣ୍ଡିଂ କମିଟିର ସଦସ୍ୟ ଅଛନ୍ତି ।

ହରଦୀପ ସିଂହ ପୁରୀ: ୧୯୭୪ ବ୍ୟାଚର ଆଇଏଫଏସ୍ ଅଫିସର ହରଦୀପ ପୁରୀ ବିଦେଶ ନୀତି ଏବଂ ଜାତୀୟ ନିରାପତ୍ତା କ୍ଷେତ୍ରରେ ତାଙ୍କ ଅଭିଜ୍ଞତା ପାଇଁ ଜଣାଶୁଣା ।

ଗଜେନ୍ଦ୍ର ସିଂହ ଶେଖାଓ୍ଵତ: ରାଜସ୍ଥାନ ଯୋଧପୁରରୁ ଲୋକସଭା ସାଂସଦ ଭାବେ ନିର୍ବାଚିତ ହୋଇଥିବା ଶେଖାଓ୍ଵତ କ୍ରୀଡ଼ା କ୍ଷେତ୍ରରେ ବିଶେଷ ରୁଚି ରଖନ୍ତି।

ସତ୍ୟପାଲ ସିଂହ: ଉତ୍ତରପ୍ରଦେଶର ବାଗପତରୁ ଲୋକସଭାକୁ ନିର୍ବାଚିତ ହୋଇଥିବା ମହାରାଷ୍ଟ୍ର କ୍ୟାଡରର ପୂର୍ବତନ ଆଇପିଏସ୍ ଅଧିକାରୀ ସତ୍ୟପାଲ ସିଂହ ଗୃହ ବ୍ୟାପାର ସଂସଦୀୟ ଷ୍ଟାଣ୍ଡିଂ କମିଟି ସଦସ୍ୟ ଅଛନ୍ତି । ସେ ମୁମ୍ବାଇ ପୁଲିସ କମିସନର ଥିଲେ । ମଧ୍ୟପ୍ରଦେଶ ଓ ଆନ୍ଧ୍ରପ୍ରଦେଶର ନକ୍ସଲ ଅଂଚଳରେ ବି ସେ ଉଲ୍ଲେଖନୀୟ କାର୍ଯ୍ୟ କରିଥିଲେ। ଦେଶର ଆଦିବାସୀ ସଂସ୍କୃତି ଏବଂ ଏବଂ ନକ୍ସଲବାଦ ଉପରେ ସେ ରଚନା କରିଥିବା ପୁସ୍ତକ ଦେଶ ବିଦେଶରେ ଆଦୃତି ଲାଭ କରିଛି।

ଏ. କନ୍ନଥନମ: ୧୯୭୯ ବ୍ୟାଚ୍ର କେରଳ କ୍ୟାଡର ଆଇଏଏସ୍ ଅଫିସର ଏ. କନ୍ନଥନମ ଜଣେ ଦକ୍ଷ ପ୍ରଶାସକ ଭାବେ ଜଣାଶୁଣା। ଦିଲ୍ଲୀ ଉନ୍ନୟନ କର୍ତ୍ତୃପକ୍ଷର କମିସନର ଥିବା ସମୟରେ ସେ ‘ଡିମୋଲିସନ ମ୍ୟାନ୍’ ଭାବେ ପରିଚିତ ଥିଲେ।।