ପ୍ରବଳ ବିରୋଧ ଓ ହିଂସା ପରେ ଧିରେ ଧିରେ ସୁଧୁରୁଛି ଆସାମର ସ୍ଥିତି । କେତେକ ସ୍ଥାନରେ କର୍ଫ୍ୟୁ ହେଲା କୋହଳ, ଅଧିକ ସେନା ମୁତୟନ

ତେଜୁଛି ମେଘାଳୟ ହିଂସାତ୍ମକ ଆନ୍ଦୋଳନ; ସେପଟେ ଉତର୍ ପୂର୍ବ ଭାରତ ଗସ୍ତ ନକରିବାକୁ ନିଜ ଦେଶର ନାଗରିକଙ୍କୁ ପରାମର୍ଶ ଦେଲା ଆମେରିକା

153

କନକ ବ୍ୟୁରୋ: ନାଗରିକ ସଂଶୋଧନ ବିଲକୁ ନେଇ ଉତର ପୂର୍ବ ଭାରତରେ ଉତେଜନା ଜାରି ରହିଛି । ଅବଶ୍ୟ ଆସାମରେ ସ୍ଥିତି ସାମାନ୍ୟ ବଦଳିଥିବା ବେଳେ କର୍ଫ୍ୟୁକୁ କୋହଳ କରାଯାଇଛି । କିନ୍ତୁ ସ୍ଥିତିକୁ ଦୃଷ୍ଟିରେ ରଖି ଅଧିକ ସେନା ମୁତୟନ କରାଯାଇଛି । ପୂର୍ବରୁ ବିଲ୍କ ବିରୋଧ କରି ଦେଖା ଦେଇଥିବା ହିଂସାରେ ପୁଲିସର ଗୁଳିରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା । କିନ୍ତୁ ଏବେ ସ୍ଥିତିରେ ବେଶ୍ ସୁଧାର ଆସିଛି । ଆସାମରେ କୌଣସି ସ୍ଥାନରେ ହିଂସାର ଖବର ଆସି ନଥିବା ବେଳେ ଗୌହାଟିରେ ଗଣ ଆମରଣ ଅନଶନ ଆରମ୍ଭ ହୋଇଛି । ଏଥିରେ ହଜାର ହଜାର ଜନତା ସାମିଲ ହୋଇଛନ୍ତି ।

ହେଲେ ପଶ୍ଚିମ ବଙ୍ଗରେ ଏହି ବିଦ୍ରୋହର ନିଆଁ ହୁତ ହୁତ ହୋଇ ଜଳୁଛି । ମୁର୍ସିଦାବାଦରେ ଉତ୍ୟକ୍ତ ଲୋକେ ରେଳ ଷ୍ଟେସନରେ ନିଆଁ ଲଗାଇ ଦେଇଥିଲେ । ସେହିପରି ମେଘାଳୟରେ ହିଂସାତ୍ମକ ଆନ୍ଦୋଳନ ଦେଖିବାକୁ ମିଳିଛି । ତେଣୁ ୪୮ ଘଂଟା ପାଇଁ ସେଠାରେ ଇଂଟରନେଟ ସେବା ବନ୍ଦ କରିଦିଆଯାଇଛି । ପୁଲିସ ସ୍ଥିତି ଉପରେ କଡା ନଜର ରଖିଛି । ସେପଟେ ଭାରତର ଉତର ପୂର୍ବାଂଚଳର ଏଭଳି ଅବସ୍ଥାକୁ ଦେଖି ଆମେରିକା ଭାରତ ଗସ୍ତରେ ଆସୁଥିବା ନାଗରିକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛି । ଏହା ସହ ଦେଶର ଉତର ପୂର୍ବାଂଚଳକୁ ନଯିବାକୁ କହିଛି ।

ଏପଟେ, ନାଗରିକ ସଂଶୋଧନ ବିଲ ଆଇନରେ ପରିଣତ ହୋଇଛି । କିନ୍ତୁ ଏହାକୁ ନେଇ ସଂଖ୍ୟାଲଘୁ ସଂପ୍ରଦାୟ ବିଶେଷ କରି ମୁସଲମାନ ବିରୋଧ କରିଛନ୍ତି । ଜାତି ଆଧାରରେ ସମ୍ବିଧାନର ଖୋଲାଖୋଲି ଉଲ୍ଲଂଘନ ହୋଇଛି ବୋଲି କହି ବିରୋଧ କରିଛନ୍ତି ଯାଜପୁର ଅଂଚଳର ଜମିଆତ ଉଲାମା ଇ ଓଡିଶା ସଂଗଠନ । ଶାନ୍ତିପୂର୍ଣ୍ଣ ଭାବେ ସେମାନେ ଏହି ଆଇନ୍କୁ ବିରୋଧ କରିଛନ୍ତି । ଏନଆରସି ଓ ସିଏବିକୁ ବିରୋଧ କରିଛନ୍ତି ସେମାନେ । ଦେଶ ବାହାରୁ ଆସୁଥିବା ଅଣ ମୁସଲମାନଙ୍କୁ ନାଗରିକତ୍ୱ ପ୍ରଦାନ କରାଯାଉଥିବା ବେଳେ କାହିଁକି ଅନ୍ୟମାନଙ୍କୁ ସେଥିରୁ ବଂଚିତ କରାଯାଉଛି ବୋଲି ଆନ୍ଦୋଳନକାରୀ ପ୍ରଶ୍ନ କରିଛନ୍ତି ।