ବିଜେପୁରରେ ଅଗ୍ନିପରୀକ୍ଷା ! ସୁବଳ ସାହୁଙ୍କ ଦେହାନ୍ତ ପରେ ବିଜେପୁରରେ ଉପନିର୍ବାଚନ ନେଇ ଚର୍ଚ୍ଚା

37

କନକ ବ୍ୟୁରୋ: ବିଜେପୁରରେ ଅଗ୍ନିପରୀକ୍ଷା ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ଦ୍ୱାଦଶାହ ଅବସରରେ ଦଳମତ ନିର୍ବିଶେଷରେ ହଜାର ହଜାର ଲୋକ ବରପାଲିରେ ଯୋଗ ଦେଇଥିଲେ । ସ୍ୱର୍ଗତ ସାହୁଙ୍କର ଦ୍ୱାଦଶାହ କାର୍ଯ୍ୟକ୍ରମ ଶେଷ ହେବା ସହିତ ବରଗଡ଼ ଜିଲ୍ଲାର ବିଜେପୁର ବିଧାନସଭା ଆସନରେ ଉପନିର୍ବାଚନ ନେଇ ରାଜନୈତିକ ଦଳ ଗୋଟିଚାଳନା ଆରମ୍ଭ କରିଛନ୍ତିି । ଅନ୍ୟପକ୍ଷରେ ଆସନ୍ତା ବର୍ଷ ଯଦି ଆଗୁଆ ସାଧାରଣ ନିର୍ବାଚନ ହୁଏ, ତେବେ ତିନି ପ୍ରମୁଖ ରାଜନୈତିକ ଦଳ ପାଇଁ ଏହି ଉପନିର୍ବାଚନ ଅଗ୍ନିପରୀକ୍ଷା ହେବ ବୋଲି ରାଜନୈତିକ ପର୍ଯ୍ୟବେକ୍ଷକ ମହଲ ଏବେଠାରୁ ଅଙ୍କ କଷିଲେଣି । କଂଗ୍ରେସ ନିଜ ହାତରେ ଏହି ଆସନ ରଖିପାରିବ କି ନାହିଁ , ତାହା ଏବେ ଦଳୀୟ ନେତୃତ୍ୱଙ୍କ ପାଇଁ ଆହ୍ୱାନ ପାଲଟିଛି ।

ପଂଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ, ଏହି ଉପନିର୍ବାଚନ ଫଳ ତାର ମାପକାଠି ହେବ ବୋଲି ଚର୍ଚ୍ଚା ହେଉଛି । ପଂଚାୟତ ନିର୍ବାଚନକୁ ପରିବର୍ତ୍ତନର ସଙ୍କେତ ମନେକରି ଆସନ୍ତା ସାଧାରଣ ନିର୍ବାଚନରେ ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯେଉଁ ସ୍ୱପ୍ନ ଦେଖାଇଛନ୍ତିି, ଏହି ଉପନିର୍ବାଚନରେ ତା ପଛରେ ସତ୍ୟତା କେତେ ରହିଛି ତାର ପରୀକ୍ଷା ହେବ । ଶ୍ରୀ ସାହୁଙ୍କ ପରଲୋକ ପରେ ଏହି ଆସନ ପାଇଁ ଯେ କୋ÷ଣସି ମୂହୂର୍ତ୍ତରେ ନିର୍ବାଚନ କମିସନ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିପାରନ୍ତି । ଏଣୁ ଏହି ଆସନ ଉପରେ ଏବେ ସମସ୍ତଙ୍କ ନଜର ।

ତେବେ କଂଗ୍ରେସ ନିଜ ହାତରେ ଏହି ଆସନ ରଖିପାରିବ କି ନାହିଁ, ତାହା ଏବେ ଦଳୀୟ ନେତୃତ୍ୱଙ୍କ ପାଇଁ ଆହ୍ଵାନ ପାଲଟିଛି । ପଞ୍ଚାୟତ ନିର୍ବାଚନ ବିପର୍ଯ୍ୟୟ ପରେ ବିଜେଡିର ସ୍ଥିତିରେ ଉନ୍ନତି ଘଟିଛି କି ନାହିଁ, ଏହି ଉପନିର୍ବାଚନ ଫଳାଫଳ ତାର ଏକ ମାପକାଠି ହୋଇପାରେ । ସର୍ବୋପରି ପଞ୍ଚାୟତ ନିର୍ବାଚନ ସଫଳତାକୁ ପରିବର୍ତ୍ତନର ସଙ୍କେତ ବୋଲି ମନେ କରି ଆସନ୍ତା ସାଧାରଣ ନିର୍ବାଚନରେ ୧୨୦ ଆସନ ଦଖଲ କରିବା ଲାଗି ବିଜେପି ରାଷ୍ଟ୍ରୀୟ ସଭାପତି ଅମିତ ଶାହା ଯେଉଁ ସ୍ୱପ୍ନ ଦେଖାଇଛନ୍ତି, ଏହି ଉପନିର୍ବାଚନରେ ତା ପଛର ବାସ୍ତବତା ପରୀକ୍ଷା ପାଇଁ ସୁଯୋଗ ରହିଛି ।

ବରଗଡ଼ ଜିଲ୍ଲାର ବିଜେପୁର ନିର୍ବାଚନମଣ୍ଡଳୀରୁ କ୍ରମାଗତ ତିନି ତିନି ଥର ବିଧାନସଭାକୁ ନିର୍ବାଚିତ ହୋଇଥିଲେ କଂଗ୍ରେସ ବିଧାୟକ ସୁବଳ ସାହୁ । ଶ୍ରୀ ସାହୁଙ୍କ ପରଲୋକ ପରେ ଏହି ଆସନ ପାଇଁ ଯେ କୌଣସି ମୂହୂର୍ତ୍ତରେ ଭାରତର ନିର୍ବାଚନ କମିସନ ଉପନିର୍ବାଚନ ଲାଗି ତାରିଖ ଘୋଷଣା କରିପାରନ୍ତି । ଏଣୁ ଏହି ଆସନ ପାଇଁ ଏବେଠାରୁ ପ୍ରମୁଖ ରାଜନୈତିକ ଦାବିଦାରମାନେ ଗୋଟିଚାଳନା ଆରମ୍ଭ କରିଦେଲେଣି । ତେବେ ଦ୍ୱାଦଶାହ ଅବସରରେ ବିଜେପୁରରେ ଏହାର ଝଲକ ଦେଖିବାକୁ ମିଳିଛି । ବିଶେଷକରି ସୁବଳଙ୍କ ପରଲୋକ ପରେ ତାଙ୍କ ପରିବାର ପ୍ରତି ରହିଥିବା ଅନୁକମ୍ପା ତଥା ସ୍ଥାନୀୟ ଅଞ୍ଚଳର ଭୋଟରଙ୍କ ଭିତରେ ସୃଷ୍ଟି ହୋଇଥିବା ଭାବାବେଗକୁ ଅସ୍ତ୍ର କରି ଏବେ ପ୍ରମୁଖ ରାଜନୈତିକ ଦଳ ଏହି ନିର୍ବାଚନମଣ୍ଡଳୀରେ ପଶିବାକୁ ଉଦ୍ୟମ ଆରମ୍ଭ କରିଛନ୍ତି ।

ବରପାଲି, ବିଜେପୁର ଓ ଗାଈସିଲଟ ବ୍ଲକକୁ ନେଇ ଗଠିତ ଏହି ନିର୍ବାଚନମଣ୍ଡଳୀରେ ୨୦୧୪ ସାଧାରଣ ନିର୍ବାଚନରେ ମୁଖ୍ୟତଃ କଂଗ୍ରେସ ଓ ବିଜେଡି ମଧ୍ୟରେ କଡ଼ା ଟକ୍କର ହୋଇଥିଲା । ସୁବଳ ସାହୁ ମାତ୍ର ୪୫୮ ଖଣ୍ଡ ଭୋଟରେ ବିଜେଡିର ଟାଣୁଆ ତଥା ବର୍ତମାନର ସାଂସଦ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ହରାଇଥିଲେ । ବିଜେପି ଏଠାରେ ତୃତୀୟ ସ୍ଥାନରେ ଥିଲା ଓ କଂଗ୍ରେସ ଠାରୁ ପ୍ରାୟ ୧୪% କମ୍ ଭୋଟ ପାଇଥିଲା ।

ଏହି ଆସନର ଗତ ନିର୍ବାଚନ ଫଳାଫଳକୁ ପର୍ଯ୍ୟାଲୋଚନା କଲେ ଦେଖାଯାଉଛି, ବିଜେପି ତୃତୀୟ ଆସନରେ ରହି ଯେତିକି ଭୋଟ (୧୮.୧%) ପାଇଥିଲା, ପାଖାପାଖି ସେତିକି ଭୋଟ (୧୭.୫୭%) ଅନ୍ୟ ୮ ପ୍ରମୁଖ ଛୋଟ ଛୋଟ ରାଜନୈତିକ ଦଳ ହାତେଇଥିଲେ । ଅନ୍ତଃକନ୍ଦଳ ବିଜେଡି ପାଇଁ ମହଙ୍ଗା ହୋଇଥିଲା । କେବଳ ସେତିକି ନୁହେଁ, ବରଗଡ଼ର ପ୍ରାର୍ଥୀଙ୍କୁ ବିଜେପୁର ଆସନରେ ଥଇଥାନ କରିବା ଲାଗି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ପରୀକ୍ଷା ନିରୀକ୍ଷା ବି ପୁଣି ଥରେ ଫେଲ୍ ମାରିଥିଲା ଏହି ଆସନରେ । ପରିଣାମ ହେଲା, ବିଜେଡିରୁ ବହିଷ୍କୃତ ହୋଇ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିବା ପୂର୍ବତନ ବିଧାୟକ ଅଶୋକ କୁମାର ପାଣିଗ୍ରାହୀ ପାଖାପାଖି ୧୧% ଭୋଟ ଛଡ଼ାଇ ନେଇଥିଲେ । ଅନ୍ୟପକ୍ଷରେ ନବୀନଙ୍କ ଗୋଟିଚାଳନା ବିଫଳ ହେବାର ଅନ୍ୟ ଏକ କାରଣ ଥିଲା, ଏହି ଆସନରେ ପ୍ରଭାବ ରଖୁଥିବା କୁଲିତା (ଚାଷୀ ବର୍ଗ) ଭୋଟ ସୁବଳଙ୍କ ସପକ୍ଷରେ ଥିଲା।

ସଂପ୍ରତି ପଞ୍ଚାୟତ ନିର୍ବାଚନରେ ଏହି ନିର୍ବାଚନମଣ୍ଡଳୀ ଅନ୍ତର୍ଗତ ୬ଟି ଜୋନରୁ ବିଜେଡି ଗୋଟିଏ ଓ ବିଜେପି ୫ଟିରେ ଜିତିଛି । ମାତ୍ର ବ୍ଲକ ଦଖଲ କରିଛନ୍ତି ବିଜେଡି ଓ କଂଗ୍ରେସ । ଏହି ଦୃଷ୍ଟିକୋଣରୁ ଏହି ନିର୍ବାଚନର ଗୁରୁତ୍ୱ ବହୁଗୁଣିତ ହୋଇଯାଇଛି ।

ରାଜନୈତିକ ମହଲର ଖବର ଅନୁସାରେ, ସୁବଳ ତାଙ୍କ ଜୀବିତାବସ୍ଥାରେ ନିଜର ପରିବାରର କୌଣସି ଲୋକଙ୍କୁ ରାଜନୀତି ସହିତ ସଂପୃକ୍ତ କରାଇନଥିଲେ । ଏବେ କିନ୍ତୁ ତାଙ୍କ ପରିବାରର ଲୋକଙ୍କ ଉପରେ ସବୁ ରାଜନୈତିକ ଦଳର ନଜର ରହିଛି । ସ୍ୱାଭାବିକ ଭାବେ କଂଗ୍ରେସ ଆଶା କରିଛି, ସୁବଳଙ୍କ ବର୍ତ୍ତମାନରେ ତାଙ୍କ ପତ୍ନୀ କିମ୍ବା ପୁଅ ନିର୍ବାଚନମଣ୍ଡଳୀରୁ ପ୍ରତିନିଧିତ୍ୱ କରିବା ଦରକାର । ଏଣୁ ପିସିସି ଓ ବିଧାୟକ ଦଳ ମଧ୍ୟରେ ବିଭେଦ ସତ୍ତ୍ୱେ ଉଭୟ ଗୋଷ୍ଠୀ ତତ୍ପରତା ଦେଖାଇଛନ୍ତି । ବିଜେଡି ମଧ୍ୟ ଏ ଦୌଡରେ ପଛରେ ନାହିଁ । ସଂପ୍ରତି ଏଠାରୁ ପ୍ରାର୍ଥୀ ହୋଇଥିବା ପ୍ରସନ୍ନ ଆଚାର୍ଯ୍ୟ ରାଜ୍ୟସଭାକୁ ନିର୍ବାଚିତ ହୋଇଥିବା ପରିପ୍ରେକ୍ଷୀରେ ସୁବଳଙ୍କ ପରିବାରକୁ ନିଜ ଆଡକୁ ଟାଣିବା ଲାଗି କସରତ ଆରମ୍ଭ ହୋଇଛି। ବିଜେପି କିନ୍ତୁ ଠୋସ୍ କି ରଣନୀତି ଆପଣାଇବା ସେ ନେଇ ସୂଚନା ମିଳିପାରିନାହିଁ ।

ଏହି ନିର୍ବାଚନକୁ ନେଇ ରାଜନୈତିକ ପର୍ଯ୍ୟବେକ୍ଷକ ବେଶ୍ ଉତ୍ସାହିତ ହୋଇପଡିବାର କାରଣ ହେଉଛି, ଏ ମଧ୍ୟରେ ବିଜେପିର ମୁଖ୍ୟସ୍ରୋତରୁ ଦୂରେଇଯାଇଥିବା ବରିଷ୍ଠ ନେତା ବିଜୟ ମହାପାତ୍ର, ବିଜେପି ବିଧାୟକ ଦିଲ୍ଲିପ ରାୟ ଏହି ନିର୍ବାଚନମଣ୍ଡଳୀ ଯାଇ ବୁଲି ଫେରିଆସିଲେଣି । ଉଭୟ ସୁବଳଙ୍କ ପରିବାରକୁ ବି ଭେଟିଥିଲେ । ସେହିଭଳି ରାଜ୍ୟରେ ଚାଷୀ ଓ ଜମାକାରୀ ଆନ୍ଦୋଳନର ନେତୃତ୍ୱ ନେଉଥିବା ଆମଓଡ଼ିଶା ପାର୍ଟିର ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକ ମଧ୍ୟ ବିଜେପୁର ଯାଇ ଫେରିଛନ୍ତି ।

ରାଜନୈତିକ ମହଲର କହିବା କଥା ହେଉଛି, ପୂର୍ବରୁ ବିଜୁ ପଟ୍ଟନାୟକ ସରକାର ସମୟରେ ଏହି ଆସନ ଉପନିର୍ବାଚନ ସାମ୍ନା କରିଥିଲା। ସେତେବେଳେ ବିଧାୟକ ନିକୁଞ୍ଜ ବିହାରୀ ସିଂହଙ୍କ ପରଲୋକରେ ତାଙ୍କ ପତ୍ନୀ କିଶୋରୀ ମଣି ସିଂହ ଜନତା ଦଳରୁ ନିର୍ବାଚିତ ହୋଇଥିଲେ । ବିଜୟଙ୍କ ନେତୃତ୍ୱରେ ଏହି ନିର୍ବାଚନ ହୋଇଥିଲା । ସଂପ୍ରତି ବିଜେପିର ଏହି ଅସନ୍ତୁଷ୍ଟ ନେତାଙ୍କ ବିଜେପୁର ଗସ୍ତକୁ ହାଲୁକା ଭାବେ ନେଇ ହେବ ନାହିଁ । ସେହିପରି ବରଗଡ଼ ଭଳି ଚାଷ ଉପରେ ନିର୍ଭର କରୁଥିବା ଏହି ନିର୍ବାଚନମଣ୍ଡଳୀରେ ଶ୍ରୀ ପଟ୍ଟନାୟକଙ୍କ ପ୍ରଭାବ ଏ ମଧ୍ୟରେ ବଢିଛି । ବାସ୍ତବରେ ଏହି ଦୁଇ ନେତାଙ୍କର ଉପନିର୍ବାଚନରେ ଏକ ଭୂମିକା ଏଠାରେ ରହିପାରେ ।

ବରଗଡ଼ ଜିଲ୍ଲାର ଦୁଇ ଦୁଇ ଜଣ ନେତା ସୁଶାନ୍ତ ସିଂହ ଓ ସ୍ନେହାଙ୍ଗିନୀ ଛୁରିଆ ମନ୍ତ୍ରିମଣ୍ଡଳରେ ଅଛନ୍ତି । ପ୍ରସନ୍ନ ଆଚାର୍ଯ୍ୟଙ୍କୁ ମଧ୍ୟ ରାଜ୍ୟସଭାରେ ଥଇଥାନ କରାଯାଇଛି । ଏଭଳି ପରିସ୍ଥିତିରେ ଏହି ତିନିଜଣ ନେତାଙ୍କ ଏହି ନିର୍ବାଚନ ଚ୍ୟାଲେଞ୍ଜ ହୋଇଛି । ଯଦିଓ ପୂର୍ବତନ ସାଂସଦ ପ୍ରାର୍ଥୀ ସୁବାସ ଚୌହାନ ସକ୍ରିୟ ଅଛନ୍ତି, ତଥାପି ବିଜେପି ଏଠାରେ କାହାକୁ ଆଗରେ ରଖି ନିର୍ବାଚନକୁ ଓହ୍ଲାଇବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି ।

ପ୍ରକାଶଥାଉକି, ୨୦୧୪ ନିର୍ବାଚନରେ ସୁବଳ ସାହୁ ୫୩ହଜାର ୨୯୦ (୩୨.୧୫%) ଭୋଟ ପାଇଥିବା ବେଳେ ଶ୍ରୀ ଆଚାର୍ଯ୍ୟଙ୍କୁ ୫୨ ହଜାର ୮୩୨ (୩୧.୮୮%) ଭୋଟ୍ ମିଳିଥିଲା । ବିଜେପିର ଜୟଶଙ୍କର ପଟ୍ଟନାୟକ ୩୦ ହଜାର୧ (୧୮.୧୦%) ଭୋଟ୍ ପାଇଥିଲେ ।