ଶ୍ରୀକ୍ଷେତ୍ରରେ ପାଳନ ହେଲା ବ୍ୟଞ୍ଜନ ଏକାଦଶୀ । ୧୪ ପ୍ରକାର ଅନ୍ନ ସହ ୬୦ ପ୍ରକାର ଭଜା, ରାଧାକୃଷ୍ଣଙ୍କ ନିକଟରେ ଲାଗି ହେଲା ୬୭୧ ପ୍ରକାରର ସୁସ୍ୱାଦୁ ବ୍ୟଞ୍ଜନ

363

କନକ ବ୍ୟୁରୋ : ମାର୍ଗଶୀର ଶୁକ୍ଳପକ୍ଷ ଦ୍ୱାଦଶୀ ତିଥିରେ ଶ୍ରୀମନ୍ଦିରରେ ପାଳିତ ହୋଇଛି ବ୍ୟଞ୍ଜନ ଦ୍ୱାଦଶୀ । ଶ୍ରୀକ୍ଷେତ୍ରରେ ଥିବା ରାଧାକୃଷ୍ଣଙ୍କ ମନ୍ଦିରରେ ୬୭୧ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ଲାଗି କରାଯାଇଥିଲା । ଆଜିର ବିଶେଷ ତିଥିରେ ଗୌଡୀୟ ଓ ବୈଷ୍ଣବ ମଠରେ ଏହି ଭୋଗ ପ୍ରସ୍ତୁତ କରାଯାଇଥାଏ । ଏହି ଉପଲକ୍ଷେ ପୁରୀର ଗୌରବିହାର ପରିସରରେ ୬୭୧ ପ୍ରକାର ବ୍ୟଞ୍ଜନ ପ୍ରସ୍ତୁତ କରାଯାଇଥିଲା ।

୪୦ ଜଣ ଭକ୍ତ, ୮ ଘଣ୍ଟାରୁ ଅଧିକ ସମୟ ଧରି ପ୍ରସ୍ତୁତ କରିଥିଲେ ଏହି ସୁସ୍ୱାଦୁ ବ୍ୟଞ୍ଜନ । ଭଳିକି ଭଳି ପିଠା ସହ ବିଭିନ୍ନ ରକମର ଅନ୍ନ, ଡାଲି ଆଦି ପ୍ରସ୍ତୁତ କରାଯାଇଥିଲା । ୧୪ ପ୍ରକାରର ଅନ୍ନ, ୭ ପ୍ରକାର ଡାଲି, ତରକାରୀ,ଖଟା, କ୍ଷୀରି, ପିଠା,  ପ୍ରସ୍ତୁତ ହୋଇଥିଲା । ୪୦ ପ୍ରକାର ଚଟଣୀ ଓ ୬୦ ପ୍ରକାରର ଭଜା ପ୍ରସ୍ତୁତ ହୋଇଥିଲା । ବିଶ୍ୱାସ ରହିଛି, କାଳିଆ ଠାକୁରଙ୍କୁ ଶ୍ରୀମନ୍ଦିରରେ ମାଆ ଲକ୍ଷ୍ମୀ ଦ୍ୱାଦଶୀ ତିଥିରେ ସୁସ୍ୱାଦୁ ଭୋଜନ ଦେଇଥାନ୍ତି । ଏହାକୁ ଆଧାର କରି ଗୌଡୀୟ ଓ ବୈଷ୍ଣବ ଭକ୍ତମାନେ ରାଧାକୃଷ୍ଣ ମନ୍ଦିରରେ ଏହି ତିଥିରେ ଭୋଗ ଲାଗି କରିଥାନ୍ତି ।

ପରମ୍ପରା ଅନୁଯାୟୀ ଭୋଗ ଲାଗି ହେବା ପରେ ଭକ୍ତମାନେ ପ୍ରସାଦ ସେବନ କରିଥିଲେ । ଏତେ ପ୍ରକାର ବ୍ୟଞ୍ଜନ ଦେଖିବା ପାଇଁ ଏବଂ ପ୍ରସାଦ ପାଇବା ପାଇଁ ଶ୍ରଦ୍ଧାଳୁଙ୍କ ଭିଡ଼ ଦେଖିବାକୁ ମିଳିଥିଲା ।