‘ନିର୍ଭୟା’ ଦୋଷୀଙ୍କୁ ଫାଶୀ ଦେବା ପାଇଁ ଚାଲିଛି ପ୍ରସ୍ତୁତି ! ବିହାର ବକ୍ସର ଜେଲରେ ତିଆରି ହେଉଛି ସ୍ୱତନ୍ତ୍ର ଦଉଡି ।

370

କନକ ବ୍ୟୁରୋ : ନିର୍ଭୟା ଦୋଷୀଙ୍କୁ ଖୁବ ଶୀଘ୍ର ମିଳିପାରେ ଫାଶୀ । ମିଳିଥିବା ସୂଚନା ଅନୁସାରେ ଏଥିପାଇଁ ପ୍ରସ୍ତୁତ ହେଉଛି ସ୍ୱତନ୍ତ୍ର ମନିଲା ଫାଶୀ ଫନ୍ଦା । ବିହାରର ବକ୍ସର ଜେଲରେ କଏଦୀ ମାନେ ଏହି ଦଉଡି ପ୍ରସ୍ତୁତ କରୁଛନ୍ତି । ଅପରପକ୍ଷରେ ଜେଲରେ ବନ୍ଦୀ ଥିବା ନିର୍ଭୟା ଅଭିଯୁକ୍ତଙ୍କୁ ଫାଶୀ ଖୁଂଟରେ ଝୁଲାଇବା ପାଇଁ ତିହାର ଜେଲରେ ଜହ୍ଲାଦ ନାହାନ୍ତି । ତେବେ ଏଥିପାଇଁ ୟୁପି ଜେଲ ପ୍ରଶାସନଙ୍କ ସହ ତିହାର ଜେଲ ଯୋଗାଯୋଗ କରିଥିବା ସୂଚନା ମିଳିଛି ।

ବହୁଚର୍ଚ୍ଚିତ ନିର୍ଭୟା ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଖୁବଶୀଘ୍ର ଦୋଷୀଙ୍କୁ ମିଳିବ ଫାଶୀ । ତେବେ ଏଥିପାଇଁ ବିହାର ବକ୍ସର ଜେଲରେ ସ୍ୱତନ୍ତ୍ର ଦଉଡି ପ୍ରସ୍ତୁତ ହେଉଛି । ସେଠାରେ ସଜା କାଟୁଥିବା କଏଦୀମାନେ ଏହି ଦଉଡି ପ୍ରସ୍ତୁତ କରୁଛନ୍ତି । ଚଳିତ ସପ୍ତାହର ଶେଷ ସୁଦ୍ଧା ଫାଶୀ ପାଇଁ ୧୦ଟି ଫାଶୀ ଫନ୍ଦା ପ୍ରସ୍ତୁତ କରି ରଖିବାକୁ ବକ୍ସର ଜେଲକୁ ନିର୍ଦ୍ଦେଶ ଦିଆଯାଇଛି । ତେଣୁ ୧୦ଟି ଫନ୍ଦାରୁ ୪ଟି ଫନ୍ଦା ନିର୍ଭୟା ମାମଲାର ଦୋଷୀଙ୍କ ପାଇଁ ବୋଲି ଚର୍ଚ୍ଚା ହେଉଛି । ଏହାପୂର୍ବରୁ ୨୬/୧୧ ମୁମ୍ବାଇ ଆକ୍ରମଣରେ ଗିରଫ ହୋଇଥିବା ଆତଙ୍କବାଦୀ ଅଜମଲ କସାବଙ୍କୁ ମଧ୍ୟ ବକ୍ସର ଜେଲରେ ପ୍ରସ୍ତୁତ ସ୍ୱତନ୍ତ୍ର ଦଉଡିରେ ଫାଶୀ ଦିଆଯାଇଥିଲା । ଏହାସହ ଫେବ୍ରୁୟାରୀ ୯, ୨୦୧୩ରେ ଫାଶୀ ଦିଆଯାଇଥିବା ଅଫଜଲ ଗୁରୁ ପାଇଁ ମଧ୍ୟ ବକ୍ସର ଜେଲରେ ପ୍ରସ୍ତୁତ ହୋଇଥିଲା ସ୍ୱତନ୍ତ୍ର ଦଉଡି । ୨୦୦୧ ସଂସଦ ଭବନ ଆକ୍ରମଣ ଘଟଣାରେ ଅଫଜଲ ଗୁରୁକୁ ମିଳିଥିଲା ଫାଶୀ ।

ମିଳିଥିବା ସୂଚନା ଅନୁସାରେ ଜେଲ ନିର୍ଦ୍ଦେଶାଳୟ ଠାରୁ ବକ୍ସର କାରାଗାର ଅଧିକ୍ଷକଙ୍କୁ ଡିସେମ୍ବର ୧୪ ମଧ୍ୟରେ ୧୦ଟି ଫାଶୀ ଫନ୍ଦା ପ୍ରସ୍ତୁତ କରି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଫାଶୀ ଦେବା ବେଳେ ମନିଲା ଦଉଡି ନାମକ ଏକ ଦଉଡିର ବ୍ୟବହାର କରାଯାଇଥାଏ । ବକ୍ସରେ ଜେଲରେ ଏହି ଫାଶୀ ଫନ୍ଦା ପ୍ରସ୍ତୁତ କରାଯାଏ । ୭୨୦୦ସୂତାରେ ଫାଶୀ ଫନ୍ଦା ପ୍ରସ୍ତୁତ କରାଯାଏ । ଏହାକୁ ତିଆରି କରିବା ପାଇଁ ୨ରୁ ୩ଦିନ ସମୟ ଲାଗେ । ଏଥିପାଇଁ ୫ରୁ ୬ଜଣ କଏଦୀ କାମ କରିଥାନ୍ତି । ଏବଂ ମେସିନର ମଧ୍ୟ ବ୍ୟବହାର କରାଯାଇଥାଏ ।

ଅପରପକ୍ଷରେ ମିଳିଥିବା ସୂଚନା ଅନୁସାରେ ଦୋଷୀଙ୍କୁ ଫାଶୀ ଦେବା ପାଇଁ ତିହାର ଜେଲରେ ନାହାନ୍ତି ଜହ୍ଲାଦ । ଦୋଷୀଙ୍କୁ ଫାଶୀ ଦେବା ପାଇଁ ଜହ୍ଲାଦ ଯୋଗାଇ ଦେବାକୁ ଉତ୍ତରପ୍ରଦେଶ ଜେଲ ପ୍ରଶାସନଙ୍କ ସହ ଯୋଗାଯୋଗ କରିଥିବା ସୂଚନା ମିଳିଛି । ତେବେ ଚଳିତ ମାସ ୧୬ତାରିଖରେ ନିର୍ଭୟା ଦୋଷୀଙ୍କୁ ଫାଶୀ ଦଣ୍ଡାଦେଶ ମିଳିପାରେ ବୋଲି ସୂଚନା ମିଳିଛି ।