ସ୍କୁଲ ଭିତରେ ସରକାରୀ ବସ୍ : ବସ ଭିତରେ ପାଠ ପଢୁଛନ୍ତି କୁନିକୁନି ପିଲା  

କୁନ୍ଦ୍ରା ସ୍କୁଲ କାନ୍ଥରୁ ବସ୍ ଯାତ୍ରାର ଜ୍ଞାନ ଆହରଣ କରୁଛନ୍ତି ପିଲା

148

କନକ ବ୍ୟୁରୋ : ସ୍କୁଲ ଭିତରେ ସରକାରୀ ବସ୍ । ବସ ଭିତରେ ପାଠ ପଢୁଛନ୍ତି କୁନିକୁନି ପିଲା । ଛାତ୍ରଛାତ୍ରୀଙ୍କୁ  ବିଦ୍ୟାଳୟ ମୁହାଁ କରିବା ପାଇଁ ଶିକ୍ଷା ବିଭାଗର ଏକ ଅଭିନବ ପ୍ରୟାସ । ସ୍କୁଲକୁ ଆସୁନଥିବା ପିଲା ଏହି ବସ୍  ଗେଟ ଖୋଲି ଆନନ୍ଦରେ ଚଢ଼ୁଛନ୍ତି ବସ୍ । ଆଉ ଭିତରେ ବସି ପାଠ ପଢୁଛନ୍ତି । ଏହି ବସ୍ ଯୋଗୁଁ ସ୍କୁଲରେ ଉପସ୍ଥାନ ବଢୁଥିବା କହିଛନ୍ତି ସ୍କୁଲ କର୍ତ୍ତୃପକ୍ଷ ।

ସ୍କୁଲରେ ସରକାରୀ ବସ୍ । ଆପଣ ଭାବୁଥିବେ ସ୍କୁଲକୁ ବୋଧେ ସରକାରୀ ବସଟି ଆସିଛି । ନା, ବସ୍ ଆସିନି ବସ୍ ତିଆରି କରାଯାଇଛି । ଏବେ ଆପଣ ଭାବୁଥିବେ ସ୍କୁଲରେ କେମିତି ବସ୍ ତିଆରି ହେବ, ସ୍କୁଲରେ ତ ପାଠପଢା ହୁଏ । ଏମିତି ଭ୍ରମ ସୃଷ୍ଟି କରୁଛି କୋରାପୁଟ କୁନ୍ଦ୍ରା ବ୍ଳକର ଏକ ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କାନ୍ଥରେ ତିଆରି ହୋଇଥିବା ବସର ଚିତ୍ର । ଅତି ସୁନ୍ଦର ଭାବେ ଓଏସଆରଟିସି ବସର ଚିତ୍ର କରାଯାଇଛି । ଚିତ୍ରଟି ଏମତି ହୋଇଛି ଯେ ଦେଖିଲେ ଲାଗୁଛି ଯେମିତି ବସରେ ବସି ଛାତ୍ରଛାତ୍ରୀ ପାଠ ପଢୁଛନ୍ତି । ଗାଁରେ କେବେ ସରକାରୀ ବସ୍ ଦେଖି ନଥିବା ଛାତ୍ରଛାତ୍ରୀ ସ୍କୁଲ କାନ୍ଥରେ ହୋଇଥିବା ବସକୁ ଦେଖି ପାଠ ପଢିବା ସହ ବସ୍ ଯାତ୍ରା ବାବଦରେ ଜ୍ଞାନ ଆହରଣ କରୁଛନ୍ତି ।

ପିଲାଙ୍କୁ ସ୍କୁଲ ମୁହାଁ କରିବା ପାଇଁ କେବଳ ବସ୍ ନୁହେଁ ସ୍କୁଲରେ ବିଭିନ୍ନ ପ୍ରକାରର ଚିତ୍ର କରୁଛି ଶିକ୍ଷା ବିଭାଗ । ଏହି ଚିତ୍ର ମାଧ୍ୟମରେ ପିଲାଙ୍କ ମନରେ ପାଠ ପଢା ପାଇଁ ଆଗ୍ରହ ବଢ଼ାଇବା ସହ ଉପସ୍ଥାନ ମଧ୍ୟ ବଢ଼ିଛି । ଅଭିଭାବକ ଓ ଗ୍ରାମବାସୀ ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି । ତେବେ ଅନ୍ୟ ସ୍କୁଲ ଗୁଡ଼ିକରେ ମଧ୍ୟ ଏଭଳି ପ୍ରୟାସ ହେବା ଦରକାର ବୋଲି କହିଛନ୍ତି କୁନ୍ଦ୍ରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ।