ବ୍ରିଜ ବାଡରେ ଝୁଲି ରହିଥିଲା ୫୦ ଜୀବନ ! ଦେବଗଡରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ

54

କନକ ବ୍ୟୁରୋ : କଥାରେ ଅଛି ରଖେ ହରି ତ ମାରେ କିଏ । ଏହି ଉକ୍ତିର ଅନେକ ଉଦାହରଣ ଦେଖିବାକୁ ମିଳିଛି । ଆଜି ପୁଣି ଥରେ ଏହି ଉକ୍ତିରେ ଆଉ ଏକ ଫର୍ଦ୍ଦ ଯୋଡି ହୋଇଯାଇଛି । ଅନେକ ସମୟରେ ବିନା କାରଣରେ ଲୋକ ମୃତ୍ୟୁବରଣ କରୁଥିବାର ଆପଣ ଦେଖିଥିବେ ଆଉ କିଛି ଲୋକ ମୃତ୍ୟର ଫାଶରୁ ନିଜକୁ ରକ୍ଷା କରିଥିବାର ନଜିର ରହିଛି । ଆଉ ଆଜି ଏଭଳି ଘଟଣା ଦେଖିବାକୁ ମିଳିଛି ଦେବଗଡରେ । ନିଶ୍ଚିତ ମୃତ୍ୟୁମୁଖରୁ ବର୍ତ୍ତି ଯାଇଛନ୍ତି ୫୦ ଜଣ ଯାତ୍ରୀ । ଦେବଗଡରେ ଯାତ୍ରୀବାହୀ ବସ୍ ଦୁର୍ଘଟଣାଗ୍ରସ୍ତ ହୋଇଥିଲେ ମଧ୍ୟ କାହାର କିଛି କ୍ଷତି ହୋଇନାହିଁ ।

bus accidentସମୟ ଭୋର ପ୍ରାୟ ୪ଟା । ରାତିର ଅନ୍ଧକାରରେ ଇସ୍ପାତ ନଗରୀ ଆଡକୁ ମାଡି ଚାଲିଥିଲା ବସ । ରାଜଧାନୀ ଭୁବନେଶ୍ୱରରୁ ବାହାରି ଇସ୍ପାତ ନଗରୀ ରାଉରକେଲାକୁ ଯାଉଥିବା ଇସ୍ପାତ ବସଟି ହଠାତ୍ ଏକ ଭୟଙ୍କର ଶବ୍ଦରେ ଥରିଉଠିଲା । ବସରେ ଥିବା ଯାତ୍ରୀ ପ୍ରାୟ ସମସ୍ତେ ଶୋଇ ଯାଇଥିଲେ । କିନ୍ତୁ ନିଦ ଭାଙ୍ଗିବା ପୂର୍ବରୁ ବସଟି ଦୁର୍ଘଟଣାଗ୍ରସ୍ତ ହୋଇ ବ୍ରିଜକୁ ଅତି ଜୋରରେ ଧକ୍କା ଦେଇଥିଲା ।

bus 3କିଛି ଅଘଟଣ ହୋଇଥିବା ଭାବି ଯାତ୍ରୀ ବାହାରକୁ ଦେଖିବା ବେଳକୁ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କାରଣ ଦୁର୍ଘଟଣା ଏତେ ଜୋରରେ ହୋଇଥିଲା ଯେ, ବସଟି ବ୍ରିଜ ଉପରେ ଝୁଲିବା ଅବସ୍ଥାରେ ରହିଥିଲା । ଆଉ ବ୍ରିଜ ତଳେ ବ୍ରାହ୍ମଣୀ ନଦୀର ପାଣି ଉଛୁଳି ଉଠିଥିଲା । ସମସ୍ତେ ଭାବିଥିଲେ ତାଙ୍କ ଜୀବନ ଦୀପ ଏଇଠି ହିଁ ଲିଭିଯିବ । କାରଣ ବ୍ରିଜରେ ହିଁ ଝୁଲି ରହିଥିଲା ୫୦ ଜଣଙ୍କ ଜୀବନ । କିନ୍ତୁ ସେମିତି କିଛି ହୋଇନଥିଲା ।

ଏକ ଭୟଙ୍କର ଦୁର୍ଘଟଣାରୁ ବର୍ତି ଯାଇଥିଲା ଯାତ୍ରୀବାହୀ ବସ୍ । ଏତେ ବଡ ଦୁର୍ଘଟଣା ଘଟିଥିଲେ ମଧ୍ୟ କଣ୍ଡକ୍ଟରଙ୍କ ବ୍ୟତୀତ ଅନ୍ୟ ସମସ୍ତ ଯାତ୍ରୀ ସୁରକ୍ଷିତ ରହିଥିଲେ । ବସ ଡ୍ରାଇଭରଙ୍କ ଉପସ୍ଥିତି ବୁଦ୍ଧି ଯୋଗୁଁ ଏକ ଭୟଙ୍କର ଦୁର୍ଘଟଣାରୁ ୫୦ ଜଣ ଯାତ୍ରୀଙ୍କ ଜୀବନ ବଞ୍ଚିଯାଇଛି ।