ଇଏ କିଭଳି ଗୋରକ୍ଷା ! ଯାହା ନେଇଯାଉଛି ଲୋକଙ୍କ ଜୀବନ, ବୁଲନ୍ଦସର କାହିଁକି ପାଲଟିଲା ବାରୁଦ ସହର ? 

103

କନକ ବ୍ୟୁରୋ : ଉତ୍ତରପ୍ରଦେଶ ବୁଲନ୍ଦସରରେ ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟାକୁ ନେଇ ଉତେଜନା ବଢିବାରେ ଲାଗିଛି । ଘଟଣାରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବା ବେଳେ ୭ଜଣଙ୍କ ନାଁରେ ମାମଲା ରୁଜୁ କରିଛି । ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ କୁହାଯାଉଥିବା ବଜରଙ୍ଗ ଦଳ ସହ ଘଟଣାସ୍ଥଳରେ ଲୋକଙ୍କୁ ଉତ୍ତେଜିତ କରୁଥିବା ଅଭିଯୋଗରେ ଯୋଗେଶ ରାଜ ନାମକ ଜଣେ ବ୍ୟକ୍ତିକୁ ବି ଗିରଫ କରିଛି ପୋଲିସ । ସେପଟେ ସାମ୍ନାକୁ ଆସିଛି ଇନ୍ସପେକ୍ଟର ସୁବୋଧ ସିଂଙ୍କ ହତ୍ୟାକାଣ୍ଡ ବେଳର ଭିଡିଓ । ଯେଉଁଥିରେ ହତ୍ୟାକାରୀମାନେ ପୁରା ଫିଲ୍ମ ଷ୍ଟାଇଲରେ ଇନ୍ସପେକ୍ଟରକୁ ଗୋଡେଇ ଗୋଡେଇ ହତ୍ୟା କରୁଛନ୍ତି । ଆଜି ସୁବୋଧଙ୍କୁ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ସଲାମ ଦିଆଯାଇଛି । ତେବେ ତାଙ୍କ ପରିବାରକୁ ହତ୍ୟା ଧମକ ଦିଆଯାଉଛି ବୋଲି କହିଛନ୍ତି ସୁବୋଧଙ୍କ ପୁଅ । ବେଆଇନ୍ କଂସେଇ କାରଖାନାକୁ ନେଇ ଉପୁଜିଛି ଏଭଳି ସାଂଘାତିକ ସ୍ଥିତି ।

ୟୁପି ବୁଲନ୍ଦସରରେ ଜଳିଲା ହିଂସାର ନିଆଁ । ପୋଲିସ ନିୟନ୍ତ୍ରଣ ବାହାରକୁ ଚାଲିଗଲା ପୁରା ଘଟଣା । ହାତରେ ଲାଠି, ପଥର ଓ ମାରଣାସ୍ତ୍ର ଧରି ପୋଲିସ ଉପରକୁ ଆକ୍ରମଣ କଲେ ଉତ୍ୟକ୍ତ ଲୋକ । ଏପରିକି ପୋଲିସ ଉପରକୁ ଚାଲିଲା ଗୁଳି । ଲୋକଙ୍କ ଗୁଳିରେ ପୋଲିସ ଇନସ୍ପେକ୍ଟର ସହିଦ । ଅନ୍ୟଜଣେ ସ୍ଥାନୀୟ ଯୁବକଙ୍କ ମୃତ୍ୟୁ । ୟୁପି ପୋଲିସର ସୂଚନା ଅନୁସାରେ ସୋମବାର ଦିନ ପ୍ରାୟ ସାଢେ ୧୦ଟାରୁ ୧୧ଟା ଭିତରେ ଗୋମାଂସ ମିଳିବା ନେଇ ସୂଚନା ମିଳିବା ପରେ ଘଟଣାସ୍ଥଳରେ ପହଂଚିଥିଲା ପୋଲିସ । ହେଲେ ଉତ୍ୟକ୍ତ ଲୋକଙ୍କ ସହ ମୁହାଁମୁହିଁ ହେବାକୁ ପଡିଥିଲା । ଯେଉଁଥିରେ ସ୍ୟାନା ଥାନା ଇନସ୍ପେକ୍ଟର ସୁବୋଧ କୁମାର ସିଂଙ୍କ ମୃତ୍ୟୁ ହୋଇଥିଲା ।

ୟୁପି ବୁଲନ୍ଦସରରେ ଭିଡତନ୍ତ୍ର ଘଟାଇଥିବା ହିଂସାକାଣ୍ଡର ଏହି ଦୁଃଖଦ ଭିଡିଓ ଏବେ ସୋସିଆଲ ମିଡିଆରେ ଘୁରିବୁଲୁଛି । କ୍ଷେତ ମଝିରେ ରହିଛି ଏକ ଟାଟା ସୁମୋ ଗାଡି । ଗାଡିଟିର ଡ୍ରାଇଭର ସିଟ୍ ପାଖ ଡୋର ଖୋଲା ରହିଛି । ଏବଂ ଡ୍ରାଇଭର ସିଟ୍ ପଟୁ ତଳକୁ ଝୁଲି ରହିଛି ଇନସ୍ପେକ୍ଟର ସୁବୋଧ କୁମାର ସିଂଙ୍କ ମୃତଦେହ । ମୁଣ୍ଡ ଗାଡିରୁ ତଳକୁ ଝୁଲି ରହିଥିବାବେଳେ ଶରୀରର ବାକି ଅଂଶ ଗାଡି ଭିତରକୁ ରହିଛି । ମୁଣ୍ଡରେ ଗୁଳି ବାଜିବା ପରେ ଗାଡିରୁ ତଳକୁ ଟଳିପଡିଛନ୍ତି ସ୍ୟାନା ଥାନା ଇନସ୍ପେକ୍ଟର । ସବୁଠାରୁ ବଡକଥା ହେଉଛି ମୁଣ୍ଡକୁ ଗୁଳି କରି ହତ୍ୟା କରିବା ପରେ ଇନସ୍ପେକ୍ଟର ସୁବୋଧ କୁମାର ସିଂଙ୍କ ଭିଡିଓକୁ ସୋସିଆଲ ମିଡିଆରେ ମଧ୍ୟ ଅପଲୋଡ କରିଛନ୍ତି ହତ୍ୟାକାରୀ ।

ସେପଟେ ସୁବୋଧଙ୍କ ମୃତ୍ୟୁକୁ ଅଖଲାକ ମାମଲା ସହ ଯୋଡିଛନ୍ତି ତାଙ୍କ ଭଉଣୀ । ୨୦୧୫ରେ ଗ୍ରେଟର ନୋଏଡାର ମହମ୍ମଦ ଅଖଲାକ ଲିଚିଂ ମାମଲାର ତଦନ୍ତ ଅଧିକାରୀ ଥିଲେ ସୁବୋଧ । ତେଣୁ ତାଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରାଯାଇଥିବା ତାଙ୍କ ଭଉଣୀ ଅଭିଯୋଗ କରିବା ସହ ଏଥିରେ କିଛି ପୋଲିସ ଅଧିକାରୀଙ୍କ ହାତ ଥିବା କହିଛନ୍ତି । ବୁଲନ୍ଦସର ହିଂସାକାଣ୍ଡ ପାଇଁ ବଜରଙ୍ଗ ଦଳ ଦାୟୀ । ପୋଲିସ ଏଫଆଇଆର ଅନୁସାରେ ବଜରଙ୍ଗ ଦଳର ଜିଲ୍ଲା ସଂଯୋଜକ ଯୋଗେଶ ରାଜ ପୁରା ମାମଲା ପାଇଁ ମୁଖ୍ୟ ଆରୋପୀ । ତାରି ନେତୃତ୍ୱରେ ବଜରଙ୍ଗ ଦଳ ଓ ଭାରତୀୟ ଜନତା ପାର୍ଟି ଯୁବ ମୋର୍ଚ୍ଚାର କାର୍ଯ୍ୟକର୍ତା ଏଭଳି ହିଂସାକାଣ୍ଡ ଘଟାଇଥିଲେ । ଏହାରି ଭିତରେ ପୋଲିସ ୪ଜଣଙ୍କୁ ଗିରଫ କରିଥିବାବେଳେ ଫେରାର ଅଛି ଯୋଗେଶ ରାଜ । ଅନ୍ୟ ୮୫ ଜଣଙ୍କ ନାଁରେ ମଧ୍ୟ ପୋଲସ ମାମଲା ରୁଜୁ କରିଛି ।