ଚାରିଆଡେ ତତଲା ବାଲି, ଉପରୁ ନିଆଁ ବର୍ଷିଲା ପରି ଖରା । ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାରେ ବି କର୍ତ୍ତବ୍ୟ ଭୁଲିନାହାନ୍ତି ଭାରତୀୟ ଯବାନ, ସବୁବେଳେ ରହିଛନ୍ତି ସଜାଗ ।

306

କନକ ବ୍ୟୁରୋ : ଗୋଟିଏ ପଟେ ମୁଣ୍ଡ ଫଟା ଖରା । ଅନ୍ୟ ପଟେ ଦେଶର ସୀମା ସୁରକ୍ଷାର ଗୁରୁଦାୟିତ୍ୱ । ପ୍ରାୟ ୪୫ ଡିଗ୍ରୀରୁ ଅଧିକ ତାପମାତ୍ରାକୁ ବି ଖାତିର ନାହିଁ । ଦେଶର ସୁରକ୍ଷାରେ ନିଜ ଜୀବନକୁ ବାଜି ଲଗାଇ ଦେଇଥିବା ଯବାନମାନେ ହେଉଛନ୍ତି ବିଏସଏଫର । ପ୍ରଚଣ୍ଡ ଖରାରେ ଅନ୍ତର୍ଜାତୀୟ ସୀମାରେଖା ନିକଟରେ ମୁତୟନ ଅଛନ୍ତି ବିଏସଏଫର ଯବାନ । ପ୍ରବଳ ଖରାରେ ଦେଶରେ ଲୋକମାନେ ଶାନ୍ତିରେ ଶୋଉଛନ୍ତି । ଦିନରେ ପ୍ରବଳ ଗରମରୁ ତ୍ରାହି ପାଇବାକୁ ଫ୍ୟାନ୍ କିମ୍ବା ଏସି ପବନକୁ ସାହାରା କରୁଛନ୍ତି । ହେଲେ ସୀମାରେ ମୁତୟନ ଥିବା ଯବାନମାନେ କିନ୍ତୁ ଆଦରି ନେଇଛନ୍ତି ଏହି ତତଲା ପରିବେଶକୁ ।

ଚାରିଆଡେ ତତଲା ବାଲି ଓ ଶୁଖା ଜଙ୍ଗଲ । ଉପରୁ ନିଆଁ ବର୍ଷିଲା ପରି ଖରା । କେବେ ହାତରେ ବାଇନାକୁଲର ନେଇ ଶତ୍ରୁ ପକ୍ଷ ଉପରେ ନଜର ରହୁଛନ୍ତି ତ, କେତେବେଳେ ପାଟ୍ରୋଲିଂରେ ବ୍ୟସ୍ତ ରହୁଛନ୍ତି ଏମାନେ । ସବୁବେଳେ ଜାଗ୍ରତ, ସବୁବେଳେ ସଜାଗ । ତାପମାତ୍ରା ଯେତେ ଉଚ୍ଚ ରହିଲେବି ଯବାନଙ୍କ ଜୋସ୍ କିନ୍ତୁ ହ୍ରାସ ପାଉନି । ସବୁବେଳେ ସୀମାରେ ଆଲର୍ଟ ରହିଛନ୍ତି ଜବାନ । ବର୍ଷର ୩୬୫ ଦିନ ସୀମା ସୁରକ୍ଷା ଦାୟିତ୍ୱରେ ଥିବା ଯବାନଙ୍କ ପାଇଁ ଦେଶର ସୁରକ୍ଷା ଆଗରେ ଏହି ଖରା ତାତି କିଛି ନୁହଁ ବୋଲି ପ୍ରମାଣ କରିଛନ୍ତି ବିଏସଏଫ୍ ଯବାନ ।