ଚୀନରେ ଆଜିଠୁ ଆରମ୍ଭ ହେଉଛି ବ୍ରିକ୍ସ ସମ୍ମିଳନୀ ! ଯୋଗ ଦେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଡୋକଲାମ୍ ପ୍ରସଙ୍ଗରେ ଜିଙ୍ଗପିନଙ୍କ ସହ ଆଲୋଚନା ସମ୍ଭାବନା

44

କନକ ବ୍ୟୁରୋ : ଚୀନ ଜିଆମେନ୍ ସହରରେ ଆଜିଠାରୁ ଆରମ୍ଭ ହେବାକୁ ଥିବା ବ୍ରିକ୍ସ ସମ୍ମିଳନୀରେ ଯୋଗଦେବ ମୋଦି । ଭାରତ, ରୁଷ, ଚାଇନା, ଦକ୍ଷିଣ ଆଫ୍ରିକା ଏବଂ ବ୍ରାଜିଲକୁ ନେଇ ଗଠିତ ଏହି ପଞ୍ଚରାଷ୍ଟ୍ରୀୟ ସମ୍ମଳନୀରେ ଅର୍ଥନୀତି ଏବଂ ନିରାପତ୍ତା ଭଳି ବହୁପାକ୍ଷିକ ପ୍ରସଙ୍ଗ ଉପରେ ଆଲୋଚନା ହେବାର ସମ୍ଭାବନା ରହିଛି ।

ଆଜି ବଦଳିବ ମୋଦିଙ୍କ ମନ୍ତ୍ରୀମଣ୍ଡଳ ରୂପରେଖ । ନୂଆ ମନ୍ତ୍ରୀଙ୍କ ଶପଥଗ୍ରହଣ ପରେ ଚୀନ୍ ଅଭିମୁଖେ ଗସ୍ତ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏହି ବ୍ରିକ୍ସ ସମ୍ମିଳନୀ ଉପରେ ପୂରା ବିଶ୍ୱର ନଜର ରହିଛି । ତା ଛଡା ଏହି ସମ୍ମିଳନୀରେ ଡୋକଲାମକୁ ନେଇ ଗତ କିଛିଦିନ ଧରି ଭାରତ ଓ ଚୀନ୍ ମଧ୍ୟରେ ଲାଗି ରହିଥିବା ବିବାଦର କୌଣସି ସ୍ଥାୟୀ ସମାଧାନର ବାଟ ବାହାରିବାର ଆଶା କରାଯାଉଛି । କାରଣ ଏହି ସମ୍ମିଳନୀ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ଦୀର୍ଘ ଧରି ଲାଗି ରହିଥିବା ଡୋକଲାମ ବିବାଦର ଅନ୍ତ ଘଟିଥିଲା ।

ଏହି ସମ୍ମିଳନୀରେ ମୋଦି ଏବଂ ଜିଙ୍ଗପିନଙ୍କ ମଧ୍ୟରେ ଦ୍ୱିପାକ୍ଷିକ ଆଲୋଚନା ହେବାର ସମ୍ଭାବନା ରହିଛି । ଚୀନ୍ ବୈଦେଶିକ ବ୍ୟାପର ମନ୍ତ୍ରାଳୟ ପକ୍ଷରୁ ଆଲୋଚନା ନେଇ ବ୍ୟବସ୍ଥା କରାଯାଇଥିବା ସୂଚନା ମିଳିଛି । ପୂର୍ବରୁ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ଦୁଇ ଦିନିଆ ଚୀନ ଗସ୍ତରେ ଯାଇ ଏନଏସଏସ ସ୍ତରୀୟ ବୈଠକରେ ଯୋଗ ଦେଇ ଡୋକଲାମ ବିବାଦର ସମାଧାନ ପାଇଁ ବାଟ କାଢିଥିଲେ ।

ବ୍ରିକ୍ସ ସମ୍ମିଳନୀ ଆରମ୍ଭ ହେବା ପୂର୍ବରୁ କେଁ ପୂରାଇଛି ଚୀନ୍ । ପୁଣି ପାକିସ୍ତାନ ପ୍ରୀତି ଦେଖାଇଛି ଚୀନ୍ । ଭାରତର ପାରମ୍ପରିକ ଶତ୍ରୁ ତଥା ଚୀନର ସବୁଦିନିଆ ବନ୍ଧୁ କୁହାଯାଉଥିବା ପାକିସ୍ତାନକୁ ନଜରରେ ରଖି ଏହି ସମ୍ମିଳନୀରେ ଆତଙ୍କବାଦ ପ୍ରସଙ୍ଗ ନଉଠାଇବା ପାଇଁ ଚୀନ ପରୋକ୍ଷରେ ଭାରତକୁ ଇସାରା କରିଛି । ଚୀନ୍ ବୈଦେଶିକ ମନ୍ତ୍ରାଳୟର ମୁଖପାତ୍ର ହୁଆ ଚୁଇଙ୍ଗ୍ କହିଛନ୍ତି, ବ୍ରିକ୍ସ ସମ୍ମିଳନୀ ପାଇଁ ଆତଙ୍କବାଦୀ ପ୍ରସଙ୍ଗ ଉପଯୁକ୍ତ ବିଷୟ ନୁହେଁ । ତେଣୁ ଆତଙ୍କବାଦ ପ୍ରସଙ୍ଗ ଉଠାଇଲେ ବ୍ରିକ୍ସ ସମ୍ମଳନୀର ପ୍ରକୃତ ଉଦ୍ଦେଶ୍ୟ ପ୍ରଭାବିତ ହେବାର ଆଶଙ୍କା ରହିଛି । ବ୍ରିକ୍ସ ସମ୍ମଳନୀ ପ୍ରତି ବିଶ୍ୱ ସମୁଦାୟର ଏକ ନଜର ରହିଛି । ତେଣୁ ଉଚିତ ଯୋଗଦାନ ଦେଇ ପ୍ରତିନିଧି ରାଷ୍ଟ୍ରଗୁଡ଼ିକ ଏହି ସମ୍ମିଳନୀର ସଫତଳା ନେଇ ପ୍ରୟାସ କରିବା ଆବଶ୍ୟକ ।

ପୂର୍ବରୁ ପାକିସ୍ତାନ ଦ୍ୱାରା ସୃଷ୍ଟି ହେଉଥିବା ଆତଙ୍କବାଦ ନେଇ ଭାରତ କଡା ଅଭିମୁଖ୍ୟ ଗ୍ରହଣ କରୁଥିବା ବେଳେ ଆମେରିକା ମଧ୍ୟ ପାକିସ୍ତାନକୁ ଉଚିତ ଶିକ୍ଷା ଦେଇଛି । ଆତଙ୍କବାଦୀଙ୍କୁ ପ୍ରୋତ୍ସାହନ ଦେବା ବନ୍ଦ ନକଲେ ପାକିସ୍ତାନକୁ ଦିଆଯାଉଥିବା ଆର୍ଥିକ ସହାୟତା ବନ୍ଦ କରିବା ନେଇ ଟ୍ରମ୍ପ ସରକାର ଚେତାବନୀ ଦେଇଥିଲେ । ତେବେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ବ୍ରିକ୍ସ ସମ୍ମିଳନୀର ପ୍ରମୁଖ ଏଜେଣ୍ଡା ଭିତରେ ରହିଛି ଆତଙ୍କବାଦ ବିରୋଧରେ ପ୍ରତିନିଧି ରାଷ୍ଟ୍ରମାନେ ପରସ୍ପରକୁ ସହଯୋଗ କରିବେ । କିନ୍ତୁ ଠିକ୍ ସମ୍ମିଳନୀ ପୂର୍ବରୁ ଚୀନର ଏହି ପାକିସ୍ତାନ ପ୍ରୀତି ପ୍ରତିନିଧି ରାଷ୍ଟ୍ରଙ୍କୁ ଏକ ପ୍ରକାର ଅଡୁଆ ସ୍ଥିତିରେ ପକାଇଦେଇଛି । ତେଣୁ ଚୀନର ଏହି ଇସାରକୁ କେମିତି ଗ୍ରହଣ କରୁଛି ଭାରତ ଓ ଏହି ସମ୍ମିଳନୀରେ ମୋଦି କ’ଣ କହୁଛନ୍ତି, ତା ଉପରେ ଏବେ ପୂରା ଦେଶର ନଜର ।