ଭାରତକୁ ବଡ କୁଟନୈତିକ ସଫଳତା ! ବ୍ରିକ୍ସରେ ଶୁଭିଲା ପାକିସ୍ତାନ ବିରୋଧୀ ସ୍ୱର

32

କନକ ବ୍ୟୁରୋ : ଚୀନ ମାଟିରେ ନମୋ ନାରା । ଭୁଟାନ ସୀମାରେ ଡୋକଲାମକୁ ନେଇ ଡ୍ରାଗନ ସହ ବିବାଦ ପରେ ପଡୋଶୀ ମାଟିରେ ପହଂଚିଥିବା ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଭବ୍ୟ ସ୍ୱାଗତ କରାଯାଇଛି । ଚୀନର ସିଆମେନ ସହରରେ ନବମ ବ୍ରିକ୍ସ ସମ୍ମଳନୀରେ ଯୋଗ ଦେବାପାଇଁ ପହଂଚିଛନ୍ତି ପ୍ରଧାନମନ୍ତ୍ରୀ । ପ୍ରବାସୀ ଭାରତୀୟଙ୍କୁ ଭେଟିଛନ୍ତି । ଆଉ ମୋଦିଙ୍କୁ ରେଡ କାର୍ପେଟ ସ୍ୱାଗତ କରିଛନ୍ତି ଆୟୋଜକ ସି-ଜିନପିଙ୍ଗ ସରକାର ।

ଡୋକଲାମକୁ ନେଇ ଚୀନ ସହ ବିବାଦ ଓ ପାକିସ୍ତାନ ପ୍ରସଙ୍ଗ ଉଠାଇବାକୁ ବେଜିଂର ବାରଣ ସତ୍ୱେ ବ୍ରିକ୍ସ ଅର୍ଥାତ ବ୍ରାଜିଲ, ଋଶିଆ, ଭାରତ, ଚୀନ ଓ ଦକ୍ଷିଣ ଆଫ୍ରିକା ରାଷ୍ଟ୍ର ସମୁହ ବୈଠକରେ ମୋଦିଙ୍କ ମାଷ୍ଟର ଷ୍ଟ୍ରୋକ୍ । ପାକିସ୍ତାନର ନାଁ ନନେଇ ପାରମ୍ପରିକ ଶତ୍ରୁକୁ ଚୀନ ମାଟିରୁ ଚେତାବନୀ । ଆତଙ୍କବାଦ ବିରୋଧରେ ବ୍ରିକ୍ସ ନେତାଙ୍କୁ ଏକାଠି କରିବାକୁ ସଫଳ ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ସିଆମେନ ଡିକ୍ଲାରେସନରେ ଆତଙ୍କବାଦ ବିରୋଧରେ ଲଢିବାକୁ ସମ୍ମତି ଜଣାଇଛନ୍ତି ବ୍ରିକ୍ସର ସହଯୋଗୀ ରାଷ୍ଟ୍ର । ଯେଉଁଥିରେ ବି ରହିଛି ଚୀନ ।

ପାକିସ୍ତାନ ମାଟିରୁ ଅପରେଟ କରୁଥିବା ଆତଙ୍କବାଦୀ ସଂଗଠନ ହକାନୀ ନେଟୱର୍କ, ଜୈଶ-ଏ-ମହମ୍ମତ ଓ ଲସ୍କର-ଇ-ତୋଇବାର ନାଁ ନେଇ ଏଗୁଡିକର ବ୍ରିକ୍ସ ରାଷ୍ଟ୍ର ଓ ବିଶ୍ୱର ଅନ୍ୟାନ୍ୟ ସ୍ଥାନରେ କରୁଥିବା ଆକ୍ରମଣକୁ କଡା ନିନ୍ଦା କରାଯାଇଛି । ସେହିପରି ଜାତିସଂଘର ଆତଙ୍କବାଦ ନିରୋଧୀ ପ୍ରାବଧାନକୁ ଆହୁରି କଡାକଡି କରିବାକୁ ଡିକ୍ଲାରେସନରେ କୁହାଯାଇଛି ।

ମୁମ୍ବାଇ ଆକ୍ରମଣର ମାଷ୍ଟର ମାଇଣ୍ଡ ଜୈଶ-ଏ-ମହମ୍ମଦ ମୁଖ୍ୟ ମାସୁଦ ଆଜହାରକୁ ଆତଙ୍କବାଦୀ ଘୋଷଣା କରିବାକୁ ଭାରତର ବାରମ୍ବାର ଦାବି ସତ୍ୱେ ଜାତିସଂଘରେ ଏହାକୁ ବିରୋଧ କରିଆସୁଥିଲା ଚୀନ । ହେଲେ ବ୍ରିକ୍ସ ସମ୍ମିଳନୀରେ ପାକିସ୍ତାନ ପ୍ରାୟୋଜିତ ଆତଙ୍କବାଦୀ ସଂଗଠନ ଓ ଏହାର ନେତାଙ୍କୁ ଏକଘରିକିଆ କରିବା ନେଇ ଭାରତର ଚାପ ଆଗରେ ନଇଁଛି ଚୀନ ।