ଧାର ଟଙ୍କା ଶୁଝିବା ପାଇଁ ବନ୍ଧା ପଡିଛି ଶୈଶବ…ଛେଳି ଚରାଇ ଋଣ ପରିଶୋଧ କରିବା ସହ ଦୁଇ ସାନ ଭାଇଭଉଣୀଙ୍କ ମୁହଁରେ ଦାନା ଦେଉଛି କୁନି ଅଶୋକ

388

କନକ ବ୍ୟୁରୋ: ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେଇଥିବା ଧାର ଟଙ୍କା ଶୁଝିବା ପାଇଁ ବନ୍ଧା ପଡିଛି ଶୈଶବ । ଋଣ ପରିଶୋଧ କରିବାକୁ ଛେଳି ଚରାଉଛି ୧୩ବର୍ଷର ନାବାଳକ । ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ପୁରୁଣାପାଣି ଜୁଆଙ୍ଗ ସାହିରୁ ଆସିଛି ଏଭଳି ଖବର । ନାବାଳକ ଜଣଙ୍କ ଛେଳି ଚରାଇ ଋଣ ପରିଶୋଧ କରିବା ସହ ଦୁଇ ସାନ ଭାଈଭଉଣୀଙ୍କ ମୁହଁରେ ଦେଉଛନ୍ତି ଦାନା ।

 

ଖେଳିବା ବୁଲିବା ବୟସରେ ପରିବାର ଚଳାଇବାର ବୋଝ । ଆଉ ତାସାଙ୍ଗକୁ ବାପାଙ୍କ ଶୁଦ୍ଧିକ୍ରିୟା ପାଇଁ ନେଇଥିବା ଉଦ୍ଧାର ଟଙ୍କା ଶୁଝିବାର ଭାର ବୋହୁଛନ୍ତି ତେଲକୋଇ ବ୍ଲକ ବିମଳା ପଞ୍ଚାୟତ ନମକାନି ପୁରୁଣାପାଣି ଜୁଆଙ୍ଗ ସାହିର ନାବାଳକ ଅଶୋକ । ଭାଇଭଉଣୀଙ୍କୁ ପାଠପଢ଼ାଇବା ସହ ଋଣ ଶୁଝିବା ପାଇଁ ପର ଘରେ ସେ ଛେଳି ଚଳାଉଛନ୍ତି । ଗତବର୍ଷ ଜୁଲାଇରେ ଅଶୋକଙ୍କ ମାଆଙ୍କର ସାପ କାମୁଡାରେ ମୃତ୍ୟୁ ଘଟିଥିଲା । ତେବେ ମାଆଙ୍କ ମୃତ୍ୟୁ ପରେ ହରିଶ୍ଚନ୍ଦ୍ର ଯୋଜନାରେ ସହାୟତା ପାଇଁ ବାପା ମନୁ ଜୁଆଙ୍ଗ ସରପଞ୍ଚଙ୍କୁ ଜଣାଇଥିଲେ । ହେଲେ କିଛି ସୁଫଳ ମିଳିନଥିଲା ।

ଗତ ମାସରେ ମନୁ ମଧ୍ୟ ସାପ କାମୁଡାରେ ଚାଲିଗଲେ । ଆଉ ବାପା-ମାଆ ଆରପାରିକି ଚାଲିଗଲା ପରେ ଏବେ ଅନାଥ ହୋଇଯାଇଛନ୍ତି ଅଶୋକ, ସୁଶାନ୍ତ ଓ ନନ୍ଦିନୀ । ଦାଦା ବେଣୁଙ୍କ ପାଖରେ ଆଶ୍ରୟ ନେଉଛନ୍ତି ଏହି ୩ ନିଷ୍ପାପ ଶିଶୁ । ହେଲେ ବାପାଙ୍କ ଶୁଦ୍ଧକ୍ରିୟା ପାଇଁ ଅଶୋକ ଗାଁର କିଛି ଲୋକଙ୍କ ପାଖରୁ ଟଙ୍କା ଉଦ୍ଧାର ଆଣିଥିଲା । ହେଲେ ଉଧାର ଟଙ୍କାକୁ ସୁଝିନପାରି ପାଠ ବଦଳରେ ଅଶୋକ ଏବେ ଲୋକଙ୍କର ଛେଳି ଚରାଉଛି । ତେବେ ସରକାରଙ୍କ ପକ୍ଷରୁ ଯଦି ଏହି ଅନାଥ ପିଲାଙ୍କୁ କିଛି ସହାୟତା ମିଳିପାରନ୍ତା ତେବେ ଏମାନଙ୍କ ମୁହଁରେ ପୁଣି ଥରେ ହସଫୁଟିପାରନ୍ତା ।