ପୁଣି ଚିନ୍ତା ବଢ଼ାଇଲା ବିଶ୍ୱ ବ୍ୟାଙ୍କର ଆକଳନ । କହିଲା, ୬ ପ୍ରତିଶତରେ ସୀମିତ ରହିବ ଭାରତର ଅଭିବୃଦ୍ଧି ହାର । ଭାରତ ଠାରୁ ଆଗରେ ରହିବ ନେପାଳ ଓ ବାଂଲାଦେଶ ।

248

କନକ ବ୍ୟୁରୋ : ଭାରତରେ ମାନ୍ଦାବସ୍ଥା ଉତ୍କଟ ହେଉଥିବା ନେଇ ସତର୍କ କରାଇଛି ବିଶ୍ୱବ୍ୟାଙ୍କ । ଚଳିତ ଆର୍ଥିକ ବର୍ଷରେ ଦେଶର ଅଭିବୃଦ୍ଧି ହାର ୬ ପ୍ରତିଶତ ଆକଳନ କରିଛି ବିଶ୍ୱବ୍ୟାଙ୍କ । ପୂର୍ବରୁ ଏହା ୭.୫ ପ୍ରତିଶତ ରହିବ ବୋଲି ଆକଳନ କରିଥିଲା । ସେପଟେ ଗୋଟିଏ ଦିନରେ ତିନିଟି ଫିଲ୍ମରୁ ୧୨୦ କୋଟି ଟଙ୍କା ବ୍ୟବସାୟ ହୋଇଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଅଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ । ଏହାକୁ ନେଇ ବିବାଦ ବଢ଼ିବାରୁ ନିଜ ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଗତ ୬ ବର୍ଷ ମଧ୍ୟରେ ସବୁଠୁ ଅଧିକ ମନ୍ଥର ହୋଇଛି ଦେଶର ଅର୍ଥନୀତି । ବିଶ୍ୱବ୍ୟାଙ୍କ ସତର୍କ କରାଇଛି ଯେ ଚଳିତ ଆର୍ଥିକ ବର୍ଷରେ ପୂର୍ବ ଆକଳନ ଠାରୁ ଅଭିବୃଦ୍ଧି ହାର ଦେଢ଼ ପ୍ରତିଶତ ହ୍ରାସ ପାଇ ୬ ପ୍ରତିଶତରେ ରହିବ । ଅର୍ଥନୀତିକୁ ଗତିଶୀଳ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଏହି ବର୍ଷ ପାଂଚ ଥର କମାଇଛି ସୁଧ ହାର । ନିକଟରେ ରିଜର୍ଭ ବ୍ୟାଙ୍କ ମଧ୍ୟ ଆକଳନ କରିଥିଲା ଯେ ଅଭିବୃଦ୍ଧି ହାର ୬.୧ ପ୍ରତିଶତ ରହିବ । ଏଭଳି ସମୟରେ ଦେଶରେ ମାନ୍ଦାବସ୍ଥା ନାହିଁ ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କରଙ୍କ ଯୁକ୍ତି ବିବାଦ ସୃଷ୍ଟି କରିଛି । ଅବଶ୍ୟ ପରେ ଏହି ମନ୍ତବ୍ୟକୁ ପ୍ରତ୍ୟାହାର କରିଛନ୍ତି କେନ୍ଦ୍ରମନ୍ତ୍ରୀ ।

ଲୋକଙ୍କ କ୍ରୟ କ୍ଷମତା, ନିଯୁକ୍ତି, ନିର୍ମାଣ ଓ ଉପଭୋକ୍ତା ସାମଗ୍ରୀ ବିକ୍ରି କ୍ଷେତ୍ରରେ ଅଭିବୃଦ୍ଧିକୁ ନେଇ ଅର୍ଥନୀତିର ଗତିିଶୀଳତାକୁ ମାପ କରାଯାଉଥିବା ବେଳେ ମନ୍ତ୍ରୀଙ୍କ ଯୁକ୍ତିକୁ ସମାଲୋଚନା କରିଛନ୍ତି ବିରୋଧୀ । ଗୋଟିଏ ଦିନରେ ତିନିଟି ଫିଲ୍ମରୁ ୧୨୦ କୋଟି ଟଙ୍କା ବ୍ୟବସାୟ ହୋଇଥିବାରୁ ଅର୍ଥନୀତିରେ ମାନ୍ଦାବସ୍ଥା ଅଛି ବୋଲି କହିବା ଠିକ୍ ହେବ ନାହିଁ ବୋଲି ଯୁକ୍ତି ବାଢ଼ିଥିଲେ କେନ୍ଦ୍ର ଆଇନମନ୍ତ୍ରୀ ରବିଶଙ୍କର ପ୍ରସାଦ ।

ବିମୁଦ୍ରାକରଣ ଓ ତରବରିଆ ଭାବେ ଜିଏସଟି ଲାଗୁକରିବା ଆଦି କିଛି କାରଣ ଦେଶର ଅର୍ଥନୀତି ଉପରେ ପ୍ରଭାବ ପକାଇଥିବା ଅଭିଯୋଗ ହେଉଛି । ସେହିଭଳି ଆମେରିକା ଓ ଚୀନ ଭିତରେ ଲାଗିଥିବା ବାଣିଜ୍ୟିକ ଲଢ଼େଇ ଏକ ବଡ଼ କାରଣ ବୋଲି କୁହାଯାଉଛି । ବିଶ୍ୱର ଅଧିକାଂଶ ଦେଶ ଏବେ ମାନ୍ଦାବସ୍ଥାର ଶିକାର ହୋଇଥିବା କହିଛି ବିଶ୍ୱବ୍ୟାଙ୍କ ।