ଚନ୍ଦ୍ରବାବୁ ନାଇଡୁଙ୍କ ପୁଅର ନାଁ ନେଇ ଟାର୍ଗେଟ କଲେ ମୋଦି! ଜବାବରେ ଟିଡିପି ମୁଖ୍ୟ ଉଠାଇଲେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ କଥା, କହିଲେ ଯିଏ ସ୍ତ୍ରୀଙ୍କୁ ଦୂରେଇ ଦେଇଛନ୍ତି ସେ କଣ ଜାଣିବେ ପରିବାର କଣ?

277

କନକ ବ୍ୟୁରୋ : ଦୁଇଟି ରାଜନୈତିକ ଦଳର ଶୀର୍ଷ ନେତାଙ୍କ ପରସ୍ପର ବିରୋଧୀ ବ୍ୟକ୍ତିଗତ ଆକ୍ଷେପ । ପ୍ରଥମେ ଟିଡିପି ମୁଖ୍ୟ ତଥା ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଚନ୍ଦ୍ରବାବା ନାଇଡୁଙ୍କ ପୁଅଙ୍କ ନାଁ ନେଇ ପ୍ରଧାନମନ୍ତ୍ରୀ ଟାର୍ଗେଟ କରିଥିଲେ । ପରେ ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇ ଟାର୍ଗେଟ କରିଛନ୍ତି ଚନ୍ଦ୍ରବାବୁ ନାଇଡୁ । ଯାହାକୁ ନେଇ ଜାତୀୟ ରାଜନୀତିରେ ବଡ ହଟଚମଟ ସୃଷ୍ଟି ହୋଇଛି ।

ନିର୍ବାଚନ ପୂର୍ବରୁ ଦୁଇଟି ରାଜନୈତିକ ଦଳର ଶୀର୍ଷ ନେତାଙ୍କ ପରସ୍ପରକୁ ବ୍ୟକ୍ତିଗତ ଆକ୍ଷେପ । ଆଜି ଆନ୍ଧ୍ରପ୍ରଦେଶ ଗୁଂଟୁରରେ ଜନସଭାକୁ ସମ୍ବୋଧିତ କରି ଆନ୍ଧ୍ର ମୁଖ୍ୟମନ୍ତ୍ରୀ ତଥା ଟିଡିପି ମୁଖ୍ୟ ଚନ୍ଦ୍ରବାବୁ ନାଇଡୁଙ୍କୁ ଜୋରଦାର ଆକ୍ରମଣ କରିଥିଲେ ପ୍ରଧାନମନ୍ତ୍ରୀ ମୋଦି । ସିଧାସଳଖ ତାଙ୍କ ନାଁ ନେଇ ଏନ ଲୋକେଶଙ୍କ ବାପା ବୋଲି ସମ୍ବୋଧନ କରିଥିଲେ ମୋଦି । ନାଇଡୁଙ୍କ ବିଜେପିକୁ ବିରୋଧର ୪ଟି କାରଣ ଦର୍ଶାଇଥିଲେ ମୋଦି । ନିର୍ବାଚନରେ ପରାଜୟର ଭୟ, ପୁଅକୁ ରାଜନୀତିରେ ସ୍ଥାପିତ କରିବାକୁ ଚେଷ୍ଟା ଚଳାଇଛନ୍ତି ନାଇଡୁ ।

ହେଲେ ପ୍ରଧାନମନ୍ତ୍ରୀଙ୍କ ଏହି ବ୍ୟକ୍ତିଗତ ଆକ୍ଷେପକୁ ହଜମ କରିପାରିନଥିଲେ ନାଇଡୁ । ବିଶେଷ କରି ମୋଦି ତାଙ୍କ ପୁଅର ନାଁ ନେଇ ଆକ୍ଷେପ କରିଥିବାରୁ ମୋଦିଙ୍କ ପତ୍ନୀଙ୍କ ପ୍ରସଙ୍ଗ ଉଠାଇ ଟାର୍ଗେଟ କରିଥିଲେ ଚନ୍ଦ୍ରବାବୁ । ପତ୍ନୀଙ୍କୁ ନିଜଠାରୁ ଦୂରେଇ ଦେଇଥିବାରୁ ମୋଦି ପରିବାର କଣ ବୁଝନ୍ତି ନାହିଁ ବୋଲି କହିବାକୁ ପଛାଇନଥିଲେ । ନାଇଡୁ କହିଥିଲେ, ‘ଆପଣ ପତ୍ନୀଙ୍କୁ ପର କରିଦେଇଛନ୍ତି । ପରିବାର ପ୍ରତି ଆପଣଙ୍କର କିଛି ସମ୍ମାନ ଅଛି? ଆପଣ ମୋ ପୁଅର ନାଁ ନେଇଥିବାରୁ ମୁଁ ଆପଣଙ୍କ ପତ୍ନୀଙ୍କ ନାଁ ନେଉଛି । ଆପଣମାନେ ଜାଣିଛନ୍ତି ପ୍ରଧାନମନ୍ତ୍ରୀଙ୍କର ଜଣେ ପତ୍ନୀ ଅଛନ୍ତି? ତାଙ୍କ ନାଁ ଯଶୋଦାବେନ୍’

ଦୀର୍ଘଦିନ ଧରି ଏନଡିଏ ମେଂଟରେ ରହିଆସିଥିବା ଟିଡିପି, ଆନ୍ଧ୍ରକୁ ସ୍ୱତନ୍ତ୍ର ରାଜ୍ୟ ପାହ୍ୟା ଦାବି କରି ଅଲଗା ହୋଇଯାଇଥିଲା । ଏପରିକି ମୋଦି ସରକାରଙ୍କ ବିରୋଧରେ ସଂସଦରେ ଅନାସ୍ଥା ପ୍ରସ୍ତାବ ଆଣି ଏବେ ମୋଦି ବିରୋଧୀ ମେଂଟର ନେତୃତ୍ୱ ନେଉଛନ୍ତି ଚନ୍ଦ୍ରବାବୁ ନାଇଡୁ । ୨୦୧୯ରେ ବିଜେପି ଓ ମୋଦିଙ୍କ ଟକ୍କର ଦେବାଲାଗି କଂଗ୍ରେସ ନେତୃତ୍ୱାଧୀନ ମୋଦି ବିରୋଧୀ ମେଂଟର ମଙ୍ଗୁଆଳ ସାଜିଛନ୍ତି ଟିଡିପି ମୁଖ୍ୟ । ଯେଉଁଥିପାଇଁ ମୋଦିଙ୍କ ଟାର୍ଗେଟରେ ଅଛନ୍ତି ଆନ୍ଧ୍ର ମୁଖ୍ୟମନ୍ତ୍ରୀ । ହେଲେ ପ୍ରଥମଥର ପ୍ରଧାନମନ୍ତ୍ରୀଙ୍କ ପତ୍ନୀଙ୍କ ନାଁ ନେଇ ପାଲଟା ଆକ୍ରମଣ କରିଛନ୍ତି ଟିଡିପି ମୁଖ୍ୟ ।