ଅକସ୍ମାତ ଆସେ ମୃତ୍ୟୁ ! ଝିଅକୁ ନାଚ ଶିଖାଇବାକୁ ନେଉଥିବା ବେଳେ ଉପରୁ ଖସିଲା ମୃତ୍ୟୁର ସ୍ଲାବ୍

64

କନକ ବ୍ୟୁରୋ : ରାଜଧାନୀର ଏହି ଦୁର୍ଘଟଣା ଗୋଟିଏ ପରିବାରର ହସଖୁସିକୁ ଛାରଖାର କରିଦେଇଛି । ଅଳ୍ପ ବୟସରେ ଆରପାରିକୁ ଚାଲିଯାଇଛନ୍ତି ପରିବାରର ମୁରବୀ । ଝିଅ ଏବେ ଜୀବନ ଓ ମରଣ ମଧ୍ୟରେ ସଂଘର୍ଷ କରୁଛି । ଆଉ ଦୁଃଖରେ ଭାଂଗି ପଡିଥିବା ପରିବାର କହିଛନ୍ତି, ଏହା ଦୁର୍ଘଟଣା ନୁହେଁ ହତ୍ୟା ।

ଦିନ ପ୍ରାୟ ସାଢେ ୧୨ । ଝାରପଡା ଘରୁ ଝିଅକୁ ସାଙ୍ଗରେ ନେଇ ବାହାରିଥିଲେ ସତ୍ୟବ୍ରତ ପଟନାୟକ । ରବିବାର ଛୁଟିଦିନରେ ହୁଏ ଝିଅର ଡାନ୍ସ କ୍ଲାସ୍ । ସବୁଥର ଭଳି ଆଜି ବି ବମିଖାଲରେ ଥିବା ସେହି ଡାନ୍ସ କ୍ଲାସକୁ ଝିଅକୁ ଛାଡିବାକୁ ଯାଉଥିଲେ ବାପା ସତ୍ୟବ୍ରତ । ବମିଖାଲର ଖାଲଖମା ରାସ୍ତାରେ ଅଙ୍କେଇ ବଙ୍କେଇ ଚାଲୁଥିଲା ଧଳାରଂଗର ସ୍କୁଟି । ଗାଡି ପଛରେ ବସି ବାପାଙ୍କୁ ଜାବୁଡି ଧରିଥିଲେ ଶୀତଲ । ହେଲେ ରାସ୍ତାରେ ଯେମିତି ଅପେକ୍ଷା କରିଥିଲା ମୃତ୍ୟୁ । ଗାଡିରେ ହସଖୁସିରେ ଗପି ଯାଉଥିବା ବାପ-ଝିଅଙ୍କ ଉପରେ ହଠାତ୍ ଖସି ପଡିଲା ଓଭରବ୍ରିଜ୍ ।

ପାହାଡ ଭଳି ମାଡି ବସିଲା କଂକ୍ରିଟ୍ ଓ ଲୁହାର ଫ୍ଲାଏ ଓଭର । ଆଉ ନିମିଷକ ମଧ୍ୟରେ ସବୁ ଶେଷ ହୋଇଗଲା । ଜୀବନ ଚାଲିଗଲା ବାପାଙ୍କର । ପଛରେ ବସିଥିବା ଝିଅ ସୌଭାଗ୍ୟବଶତଃ ବଂଚିଗଲେ । ହେଲେ ମୁଣ୍ଡରେ ଗୁରୁତର ଆଘାତ ଲାଗିଥିବାରୁ ଅବସ୍ଥା ଏବେ ବି ସଂଗୀନ ରହିଛି । ବମିଖାଲ ଫ୍ଲାଏ ଓଭର ଭୁଶୁଡିବା ଏକ ଦୁର୍ଘଟଣା ହୋଇପାରେ । ହେଲେ ଏହି ଦୁର୍ଘଟଣା ଅକାଳରେ ଗୋଟିଏ ଜୀବନ ଛଡାଇ ନେଇଛି । ଆଉ ମୁରବୀକୁ ହରାଇଥିବା ପରିବାର କହିଛି ଏହା ଦୁର୍ଘଟଣା ନୁହେଁ ହତ୍ୟା ।