ଦୁଇ ଗରାକୁ ପଚାଶ ଟଙ୍କା ! ବଲାଙ୍ଗିରରେ ବିକ୍ରି ହେଉଛି ପିଇବା ପାଣି

38

କନକ ବ୍ୟୁରୋ : ପାଣି ନେବ ପାଣି । ଓଡିଶାରେ ବିକ୍ରି ହେଉଛି ପିଇବା ପାଣି । ଏଭଳି ଚିତ୍ର ବୋଧହୁଏ ଆପଣ କେବେ ଅନୁମାନ କରିନଥିବେ । କିନ୍ତୁ ବଲାଙ୍ଗିରରୁ ଆସିଛି ଏଭଳି ଅଭାବନୀୟ ଚିତ୍ର । ପାଣି ନପାଇ ଲୋକେ ଟଙ୍କା ଦେଇ ପାଣି କିଣୁଛନ୍ତି । ଦୁଇ ଗରା ପାଣିକୁ ଜଣେ ବ୍ୟକ୍ତି ୫୦ ଟଙ୍କାରେ ବିକ୍ରି କରୁଛି । ଲୋକେ ପାଣି ପାଇଁ ଅନେକ ଦୂର ନଯାଇ ତାଙ୍କଠାରୁ ପାଣି କିଣିବାକୁ ବାଧ୍ୟ ହେଉଛନ୍ତି । ଆଉ ପ୍ରବଳ ତାତି ସହ ଜଳାଭାବରେ ଡହଳବିକଳ ହେଉଛନ୍ତି ବଲାଙ୍ଗିର ନିକଟସ୍ଥ ବନ୍ଧାନଘୁର ଗାଁ ଲୋକେ ।

ଗତ ଛଅମାସ ଧରି ବଲାଙ୍ଗିରର ବନ୍ଧାନଘୁର ଗାଁରେ ପାଣି ସମସ୍ୟା ଲାଗି ରହିଛି । ଆଉ ତାତି ବଢିବା ସହ ସ୍ଥତି ଅସମ୍ଭାଳ ହୋଇଛି । ଗାଁରେ ତିବା ୪ଟି ନଳକୂପରୁ ଦୁଇଟି ଏବେ ଅଚଳ । ଯେଉଁ ଦୁଇଟି ନଳକୂପ କାମ କରୁଛି ସେଥିରୁ ବି ପାଣି ଠିକ ସେ ବାହାରୁ ନାହିଁ । ଏମିତିକି ଗାଧୋଇବା ପାଇଁ ମାଇଲ ମାଇଲ ବାଟ ଚାଲିବା ପରେ ମିଳୁଛି ପୋଖରୀର ଗୋଳିଆ ପାଣି । ଗ୍ରୀଷ୍ମ ବଢିବା ସହିତ ଅସମ୍ଭାଳ ତାତି ଭିତରେ ଜଳାଭାବ ଲୋକଙ୍କୁ ଜର୍ଜରିତ କରୁଛି ।

ପାଣି ପୋଖରୀ ନଳକୂପକୁ ନେଇ ଚାଲେ ଗାଁ ରାଜନୀତି । ଆଉ ନେତା ବି ବଡ ବଡ ପ୍ରତିଶ୍ରୁତି ଦେବାକୁ ଭୂଲନ୍ତି ନାହିଁ । ହେେଲେ ମରୁଡି ଓ ମରୁଭୂମିକୁ ବି ବଳି ଯାଇଛି ବଲାଙ୍ଗିରର ଜଳସଙ୍କଟ । ଅନ୍ତତଃ ଏଦୃଶ୍ୟ ଦେଖିବା ପରେ ଜନପ୍ରତିନିଧି ମାନେ ଆତ୍ମସମୀକ୍ଷା କରିବାର ବେଳ ଆସିଛି ।