ନବରଙ୍ଗପୁର କୋସାଗୁମୁଡାରେ ଚାଂଚଲ୍ୟ । ନାବାଳିକାକୁ ଗଣଦୁଷ୍କର୍ମ ପରେ ହତ୍ୟା ଅଭିଯୋଗ ଆଣିଲେ ପରିବାର ଲୋକେ

ଗତକାଲି ରାତିରୁ ନିଖୋଜ ପରେ ଆଜି ବିଲ ଭିତରୁ ମିଳିଲା ମୃତଦେହ

379

କନକ ବ୍ୟୁରୋ: ନବରଙ୍ଗପୁର କୋସାଗୁମୁଡା ଥାନା ଅଂଚଳରେ ଚାଂଚଲ୍ୟ । ଗଣଦୁଷ୍କର୍ମ ପରେ ନାବାଳିକାଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ସ୍ୱେଚ୍ଛାସେବୀ ସଂଗଠନ ମା’ଘର ଓ ପରିବାର ଲୋକଙ୍କ ପକ୍ଷରୁ ଦୁଷ୍କର୍ମ ଓ ହତ୍ୟା ଅଭିଯୋଗ କରାଯାଇଛି । ଗତକାଲି ରାତିରୁ ନାବାଳିକା ଜଣକ ନିଖୋଜ ଥିବା ବେଳେ ଆଜି ବିଲ ଭିତରୁ ତାଙ୍କର ମୃତଦେହ ମିଳିଛି । ପୋଲିସ ଘଟଣାସ୍ଥଳରେ ପହଂଚି ତଦନ୍ତ ଆରମ୍ଭ କରିଛି । ଘଟଣାସ୍ଥଳରୁ ଚପଲ ଓ ଜିନ୍ସ ପ୍ୟାଂଟ ଜବତ କରିଛି ପୋଲିସ ।

ମିଳିଥିବା ସୂଚନା ଅନୁଯାୟୀ ନବରଙ୍ଗପୁର ଜିଲ୍ଲାର କୋସାଗୁମୁଡା ଥାନା ଗୁମଣ୍ଡଳୀ ଗାଁରେ ଜଣେ ନାବାଳିକାଙ୍କ ମୃତ ଦେହ ଉଦ୍ଧାର କରାଯାଇଛି । ଗୁମଣ୍ଡଳୀରେ ଗତକାଲି ଦିଆଳି ପର୍ବ ଥିବା ବେଳେ ଗ୍ରାମରେ ସମସ୍ତେ ମଉଜ ମଜଲିସରେ ବ୍ୟସ୍ତ ଥିଲେ । ନାବାଳିକାଜଣକ ଦିଆଳି ପର୍ବ ଦେଖି ଘରକୁ ଫେରିଥିଲେ ଏବଂ ରାତି ପ୍ରାୟ ସାଢ଼େ ୭ଟା ରୁ ୮ ଟା ମଧ୍ୟରେ ସେ ପରିସ୍ରା କରିବାଲାଗି ବାହାରକୁ ଯାଇ ଆଉ ଘରକୁ ଫେରିନଥିଲେ । ନାବାଳିକା ନ ଫେରିବାରୁ ବାଧ୍ୟ ହୋଇ ଘରଲୋକେ ରାତିସାରା ଖୋଜାଖୋଜି କରିଥିଲେ, କିନ୍ତୁ ନାବାଳିକାଙ୍କୁ ପାଇ ନ ଥିଲେ।

ଆଜି ସକାଳେ ଗାଁର କିଛି ମହିଳା ନାବାଳିକାଙ୍କ ମୃତ ଦେହ ଗାଁଠାରୁ ପ୍ରାୟ ଅଧା କିଲୋମିଟର ଦୂରରେ ଥିବା ଏକ ବିଲରେ ପଡିଥିବା ଦେଖି ପରିବାର ଲୋକଙ୍କୁ ଜଣାଇଥିଲେ । ଶବ ନିକଟରେ ଦୁଇଟି ଜିନ୍ସ ପ୍ୟାଣ୍ଟ ପଡ଼ିରହିଛି, ନାବାଳିକାଙ୍କ ହାତ ଓ ପାଦରେ କ୍ଷତ ଚିହ୍ନ ଥିବା ବେଳେ ଦେହରେ ଅନେକ ସ୍ଥାନରେ କ୍ଷତ ଚିହ୍ନ ରହିଛି । ପରିପାର୍ଶିକ ପରିସ୍ଥିତିକୁ ଆଧାର କରି ପରିବାର ଲୋକେଏହା ଏକ ଗଣଦୁଷ୍କର୍ମ ପରେ ହତ୍ୟା ବୋଲି ଅଭିଯୋଗ କରିଛନ୍ତି ।